ସପ୍ତାହକ ପରେ ଚତୁର୍ଥ ଇକୋ ରି-ଟ୍ରିଟ୍ ଉଦ୍ଘାଟନ
କୋଣାର୍କ (ଆପ୍ର): ବିଗତ ୩ ବର୍ଷର ସଫଳ ଆୟୋଜନ ପରେ ଚଳିତବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗରେ ଆୟୋଜିତ ହେବ ୪ର୍ଥ ବାର୍ଷିକ ଇକୋ ରି-ଟ୍ରିଟ୍ ଉତ୍ସବ । ଏ ନେଇ ପ୍ରସ୍ତୁତି ଏବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଶେଷପର୍ଯ୍ୟାୟରେ ପହଞ୍ଚôଛି । ଉତ୍ସବକୁ ସମୁଦ୍ର ଜୁଆର ମାଡ଼ ଖାଇ କୂଳ ଖାଉଥିବାକୁ ନେଇ ନିର୍ମାଣ ପାଇଁ ସ୍ଥାନ ଅଭାବରୁ ଡିସେମ୍ବର ୧ରୁ ହେବାକୁ ଥିବା ଉଦ୍ଘାଟନୀ ଦିନକୁ ଘୁଞ୍ଚାଯାଇ ସପ୍ତାହକ ପରେ ଉଦ୍ଘାଟିତ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ବେଳାମାର୍ଗକୁ ଆକର୍ଷଣୀୟ ତୋରଣରେ ସଜା ଯିବା କାର୍ଯ୍ୟ କରାଯାଇଛି । ବଙ୍ଗୋପସାଗର ଶଯ୍ୟାରେ ଓ ପ୍ରାକୃତିକ ପରିବେଶ ଘେରା ସବୁଜିମା ମଧ୍ୟରେ ଏହି ଉତ୍ସବରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ୫୦ଟି ତମ୍ବୁଘର ନିର୍ମାଣ କରାଯାଇଛି । ଏହି ଉତ୍ସବରେ ପର୍ଯ୍ୟଟକଙ୍କ ପାଇଁ ଚାରି ପ୍ରକାରର ତମ୍ବୁଘର ଉପଲବ୍ଧ ହେବ । ଯାହାକି ଡିଲକ୍ସ କଟେଜ, ପ୍ରିମିୟମ କଟେଜ୍, ରୟାଲ କଟେଜ ଓ ପ୍ରେସିଡେନ୍ସ ଭିଲ୍ଲା ନାମରେ ନାମକରଣ କରାଯାଇଛି । ଏହି ତମ୍ବୁଘରେ ରାତ୍ରିଯାପନ ପାଇଁ ବିଭିନ୍ନ କଟେଜର ଭିନ୍ନ ଭିନ୍ନ ମୂଲ୍ୟ ରଖାଯାଇଛି । ତମ୍ବୁ ଘରେ ରାତ୍ରିଯାପନ ପାଇଁ ମୂଲ୍ୟ ୮ ହଜାରରୁ ଆରମ୍ଭ ହୋଇ ୨୫ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଏହି ତମ୍ବୁଘରେ ପର୍ଯ୍ୟଟକମାନେ ରାତ୍ରିଯାପନ କରିବା ସହିତ ପଞ୍ଚତାରକା ହୋଟେଲର ସୁବିଧା ସୁଯୋଗ ପାଇପାରିବେ । ଏହି ଉତ୍ସବ ନିମନ୍ତେ ସମୁଦ୍ରରେ ଜେଟି, ବଡ଼ ତୋରଣ, ସେଲ୍ଫି ପଏଣ୍ଟ, କନଫରେନ୍ସ ଓ ରିସେପ୍ସନ ପାଇଁ ଦୁଇଟି ବଡ଼ ହଲ ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା, ବିଦୁ୍ୟତ ସଂଯୋଗ ଆଦି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଓ ବିଶେଷ ଭାବେ ପର୍ଯ୍ୟଟକଙ୍କ ମନୋରଞ୍ଜନକୁ ପ୍ରାଥମିକତା ଦେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ପର୍ଯ୍ୟଟକମାନେ ସୁବିଧାରେ ସମୁଦ୍ର ମଧ୍ୟରେ ବୋଟିଙ୍ଗ କରିବା ନିମନ୍ତେ ଏକ ଉନ୍ନତ କୌଶଳରେ ନିର୍ମାଣ ହୋଇଥିବା ଫ୍ଲୋଟିଙ୍ଗ ଜେଟି ସମୁଦ୍ର ମଧ୍ୟରେ ନିର୍ମାଣ କରାଯାଇଛି । ଖୁବ୍ଶୀଘ୍ର ଏହା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହେବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।