ତେଜିଲା ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ
ମୁମ୍ବାଇ / ବେଙ୍ଗାଲୁରୁ (ଏଜେନ୍ସି): କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ରହିଆସିଥିବା ସୀମା ବିବାଦ ଏବେ ଉଗ୍ରରୂପ ନେବା ଆରମ୍ଭ କରିଛି । ଗତ ୨/୩ ମାସ ମଧ୍ୟରେ କ୍ରମାଗତ ୨ୟ ଥର ପାଇଁ ଉଭୟ ରାଜ୍ୟ ମଧ୍ୟରେ ସୀମା ବିବାଦ ଅତ୍ୟନ୍ତ ବଢ଼ିଯାଇଛି । ମଙ୍ଗଳବାର କର୍ଣ୍ଣାଟକର ବେଲଗାଭିର ବାଗେୱାଡି ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ କର୍ଣ୍ଣାଟକ ରକ୍ଷଣ ବୈଦିକ କାର୍ଯ୍ୟକର୍ତ୍ତାମାନେ ମହାରାଷ୍ଟ୍ରର କେତେକ ଟ୍ରକ୍ ଉପରେ ପଥର ମାଡ଼ କରିଛନ୍ତି । ହିରବାଗଡେୱାଡି ଟୋଲ୍ଗେଟ୍ ପାଖରେ ଏହି ଘଟଣା ଘଟିଥିଲା । ଏହି ମାମଲାରେ କର୍ଣ୍ଣାଟକ ପୁଲିସ୍ ରକ୍ଷଣ ବୈଦିକ ସଂଗଠନର ଅନେକ କର୍ମକର୍ତ୍ତାଙ୍କୁ ଗିରଫ ମଧ୍ୟ କରିଛି । ତେବେ ଏସମ୍ପର୍କରେ ଜାଣିବା ପରେ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଦଳ ଶିବସେନାର କର୍ମୀମାନେ ଏହାକୁ ବିରୋଧ କରିବା ସହ ମହାରାଷ୍ଟ୍ର ଯାଉଥିବା ଏକାଧିକ ବସ୍-ଟ୍ରକ୍ ଉପରେ ‘ଜୟ ମହାରାଷ୍ଟ୍ର’ ଲେଖିଛନ୍ତି । ନିଜକୁ ସଂସ୍କାରୀ ଦର୍ଶାଇବା ଆଳରେ ବସ୍-ଟ୍ରକ୍ଗୁଡ଼ିକୁ କ୍ଷତି ପହଞ୍ଚାଉନଥିବା ଭଳି ଚେତାବନୀ ମଧ୍ୟ ଶିବସେନା ପକ୍ଷରୁ ଦିଆଯାଇଛି । ତେବେ ଏହାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଏବେ ଉତ୍ତେଜନା ବେଶ୍ ବୃଦ୍ଧି ପାଇଛି ।
ପ୍ରକାଶ, କିଛି ଦିନ ପୂର୍ବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସୀମା ବିବାଦ ପ୍ରସଙ୍ଗରେ କହୁ କହୁ କହିଥିଲେ ଯେ, ତାଙ୍କ ସରକାର ରାଜ୍ୟର ସୀମା ସୁରକ୍ଷା କରିବାରେ ସମର୍ଥ । ମହାରାଷ୍ଟ୍ର କିମ୍ବା ଅନ୍ୟ କୌଣସି ରାଜ୍ୟ କର୍ଣ୍ଣାଟକର ଜମି ଉପରେ ନଜର ପକାଇପାରିବେନି । ଓଲଟା ପାଣି ସମସ୍ୟା ସହ ଜୁଝୁଥିବା ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲା (ବେଲଗାଭୀ ସୀମାରେଖାରେ ଅବସ୍ଥିତ)ର ପ୍ରାୟ ୪ଠ ଗ୍ରାମର ଗ୍ରାମବାସୀ, କର୍ଣ୍ଣାଟକରେ ମିଶିବା ପାଇଁ ଦାବି କରିବା ପୂର୍ବକ ଏକ ପ୍ରସ୍ତାବ ମଧ୍ୟ ତାଙ୍କ ସରକାରଙ୍କୁ ଦେଇଛନ୍ତି । ବୋମାଇଙ୍କ ଏପ୍ରକାର ମନ୍ତବ୍ୟକୁ ଖଣ୍ଡନ କରିଥିଲେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ । ଫଡନବୀସ କହିଥିଲେ ମହାରାଷ୍ଟ୍ରର କୌଣସି ସ୍ଥାନ କୁଆଡେ ବି ଯିବ ନାହିଁ । ବୋମାଇ ଅଯଥା ବିବାଦ ସୃଷ୍ଟି କରିବାକୁ ମିଥ୍ୟା ପ୍ରଚାର କରୁଛନ୍ତି । କୌଣସି ଗ୍ରାମବାସୀ ଏପ୍ରକାର ଦାବି କରିନଥିବା ଫଡନବୀସ କହିଥିଲେ । ବାସ୍ ଏହି ଠାରୁ ହିଁ ବିବାଦ ଆରମ୍ଭ ହୋଇଛି । ଏହି ଘଟଣାରେ ଉଦ୍ଧବ ଠାକ୍ରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନେ୍ଦ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ଅନ୍ୟପକ୍ଷେ ଏହାକୁ କେନ୍ଦ୍ର କରି ଏବେ ଉଭୟ ରାଜ୍ୟ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଉଭୟ ରାଜ୍ୟ ମଧ୍ୟରେ ଗାଡି ଚଳାଚଳକୁ ବନ୍ଦ କରିବାକୁ ପ୍ରତିପକ୍ଷ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି କର୍ଣ୍ଣାଟକ ଗସ୍ତରେ ଯିବାକୁ ଥିବା ମହାରାଷ୍ଟ୍ର ସରକାରଙ୍କ ୨ ମନ୍ତ୍ରୀ ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ୍ କରିଛନ୍ତି ।