ସିଡିଏମ୍ଓ ଅଫିସ୍ ଘେରିଲା ଛାତ୍ର ଓ ଯୁବ କଂଗ୍ରେସ
ଜିଲ୍ଲା ମେଡିକାଲ୍ରେ ସ୍ୱାସ୍ଥ୍ୟ ସେବା ବୀପର୍ଯ୍ୟସ୍ତ
ପୁରୀ (ବୁ୍ୟରୋ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ଏପରିକି ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ଚିକିତ୍ସାଳୟକୁ ଆସୁଥିବା ସାଧାରଣ ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ଚିକିତ୍ସା ଯୋଗାଇ ଦେବାକୁ ନିଦେ୍ର୍ଦଶ ରହିଛି । ଏହି ନିଦେ୍ର୍ଦଶ ପ୍ରତି କାହାର ଦୃଷ୍ଟି ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଜିଲ୍ଲା ମେଡିକାଲ୍ରେ । ଏଠାରେ ଉତ୍ତମ ଚିକିତ୍ସା ଲାଗି ବାରମ୍ବାର ଅଘଟଣ ଘଟୁଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ବା ସ୍ୱାସ୍ଥ୍ୟ ବିଭାଗର ଚେତା ପଶୁନି । ଫଳରେ ପ୍ରତ୍ୟେକ ଦିନ ଶତାଧିକ ରୋଗୀ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ଏପରିକି ନର୍ସଙ୍କ ଭରସାରେ ଚାଲୁଛି ଜିଲ୍ଲା ମେଡିକାଲ୍ । ଯାହାକୁ ବିରୋଧ କରି ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମଙ୍ଗଳବାର ସିଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏନେଇ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ କୁହନ୍ତି, ସୋମବାର ରାତ୍ର ସାଢ଼େ ୮ଟାରେ ଜଣେ ରୋଗୀଙ୍କ ଚିକିତ୍ସା ଲାଗି ମେଡିକାଲକୁ ଯାଇଥିଲେ । ଏହି ସମୟରେ ୱାର୍ଡରେ ବା ଡାକ୍ତରଙ୍କ ରୁମ୍ରେ କୌଣସି ଡାକ୍ତର ନ ଥିଲେ । ତତ୍ସହିତ ଡୁ୍ୟଟି ଚାର୍ଟରେ ମଧ୍ୟ କୌଣସି ଡାକ୍ତରଙ୍କ ନାଁ ମଧ୍ୟ ଉଲ୍ଲେଖ ନ ଥିଲା । ଏହା ସତ୍ତ୍ୱେ ଘଟଣା ସମ୍ପର୍କରେ ଏଡିଏମ୍ଓ ଓ ସିଡିଏମ୍ଓଙ୍କୁ ଫୋନ୍ ଯୋଗେ ଯୋଗଯୋଗ କରାଯାଇଥିଲେ ସୁଦ୍ଧା କେହି ଶୁଣି ନ ଥିଲେ । ଫଳରେ ଗୁରୁତର ରୋଗୀ ନର୍ସଙ୍କ ଭରସାରେ ରହିଥିଲେ । ଏପରିକି ଆଉଟ୍ଡୋର୍ରେ ରହୁଥିବା ଡାକ୍ତରମାନେ ନିରାମୟ ପରିବର୍ତ୍ତେ ବାହାରୁ ଔଷଧ କିଣିବାକୁ ପରାମର୍ଶ ଦେଉଛନ୍ତି । ସେହିଭଳି ପ୍ରସୂତୀ ବିଭାଗରେ ବିନା ଲାଞ୍ଚରେ ପ୍ରସୂତୀ ହେଉନାହିଁ । ଲାଞ୍ଚ ନ ଦେଲେ ରୋଗୀ ଗୁରୁତର ବୋଲି କହି ଭୁବନେଶ୍ୱର ଓ କଟକକୁ ସ୍ଥାନାନ୍ତର କରୁଛନ୍ତି । ତେଣୁ ଉକ୍ତ ଘଟଣାର ତୁରନ୍ତ ସମାଧାନ ଦାବିରେ ପ୍ରତିବାଦ କରାଯାଇଥିଲା ।
ଶେଷରେ ସିଡିଏମ୍ଓ ଡଃ ସୁଜତା ମିଶ୍ର ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରି ଘଟଣାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏହି ପ୍ରତିବାଦ ବେଳେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର, ଯୁବ ନେତା ମନୋଜ ମଣ୍ଡଳ, ଅଗସ୍ତିନ୍ ଜୋସେଫ, ଅନିଲ ବେଜ, ଆଦିତ୍ୟ ସାମନ୍ତରାୟ, ଜଗଦୀଶ ରାଉତ, ହିଫଜୁଲ ଷ୍ଟିଫେନ୍, ଅମିତ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।