ସବୁଠାରୁ ଖରାପ ଖେଳାଳିଙ୍କ ଏକାଦଶରେ ରୋନାଲ୍ଡୋ
ଫିଫା ବିଶ୍ୱକପ୍ ଗ୍ରୁପ୍ ପର୍ଯ୍ୟାୟ
ଦୋହା, ୫ା୧୨ (ଏଜେନ୍ସି): ଫିଫା ବିଶ୍ୱକପ୍ ୨୦୧୨ର ରୋମାଞ୍ଚ ଲହଡ଼ି ଭାଙ୍ଗୁଛି । ପ୍ରି-କ୍ୱାର୍ଟର୍ଫାଇନାଲ୍ର ଅର୍ଦ୍ଧାଧିକ ମୁକାବିଲା ଶେଷ ହେଲାଣି । ଏଥର ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟରେ ଅନେକ ଉକ୍ରଣ୍ଠାପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଥିଲା । କାଗଜକଲମରେ ଦୁର୍ବଳ ଟିମ୍ଗୁଡ଼ିକ ନିଜ ଠାରୁ ଉନ୍ନତ ଟିମ୍କୁ ହରାଇ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି । ପର୍ତ୍ତୁଗାଲ୍, ଜର୍ମାନୀ, ବ୍ରାଜିଲ୍ ଓ ସ୍ପେନ୍ ଭଳି ବଡ଼ ଟିମ୍ ବିପର୍ଯ୍ୟୟର ଶିକାର ହୋଇଛନ୍ତି । ବଡ଼ ଟିମ୍ଗୁଡ଼ିକ ମଧ୍ୟରେ ଜର୍ମାନୀ ଓ ଉରୁଗୁଏକୁ ଛାଡ଼ିଦେଲେ, ଅନ୍ୟ ସମସ୍ତ ଟିମ୍ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପାଇଛନ୍ତି ।
ବିଶ୍ୱକପ୍ରେ ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି ରୋନାଲ୍ଡୋ
ତାରକା ଫୁଟ୍ବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନେତୃତ୍ୱରେ ପର୍ତ୍ତୁଗାଲ୍ ଚଳିତ ବର୍ଷ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଟିମ୍ ନିଜ ପ୍ରଥମ ମ୍ୟାଚ୍ରେ ଘାନାକୁ ୩-୨ରେ ହରାଇଥିଲା । ଏଥିରେ ରୋନାଲ୍ଡୋ ପେନାଲ୍ଟିରୁ ଏକ ଗୋଲ୍ କରିଥିଲେ । ତେବେ ଏହି ଗୋଲ୍ ପରଠାରୁ ଏ ଯାବତ ରୋନାଲ୍ଡୋ ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି । ଏହା ତାଙ୍କର ଶେଷ ବିଶ୍ୱକପ୍ ହୋଇପାରେ । ପ୍ରି-କ୍ୱାର୍ଟର୍ଫାଇନାଲ୍ ପର୍ଯ୍ୟାୟରେ ସେ ଉତ୍ତମ ପ୍ରଦର୍ଶନ କରି ଟିମ୍କୁ ଜିତାଇବେ ବୋଲି ତାଙ୍କ ପ୍ରଶଂସକ ଆଶା କରୁଛନ୍ତି ।
ଖେଳାଳିଙ୍କ ରେଟିଂ କରୁଥିବା ୱେବ୍ସାଇଟ୍ ‘ସୋଫାସ୍କୋର୍’ ଗ୍ରୁପ୍ ପର୍ଯ୍ୟାୟ ସମୟରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କର ଏକ ଟିମ୍ ଗଠନ କରିଛି । ଏଥିରେ ରୋନାଲ୍ଡୋ ମଧ୍ୟ ରହିଛନ୍ତି । ରୋନାଲ୍ଡୋଙ୍କ ପ୍ରଦର୍ଶନକୁ ୬.୩୭ର ଆଭରେଜ୍ ରେଟିଂ ଦିଆଯାଇଛି । ଏହି ତାଲିକାରେ ତାଙ୍କ ଛଡ଼ା କତରର ଚାରି ଜଣ, କାନାଡା ଓ କୋଷ୍ଟାରିକାର ଦୁଇ ଜଣ ଲେଖାଏଁ ଏବଂ ସାଉଦୀ ଆରବ ଓ ଅଷ୍ଟ୍ରେଲିଆର ଜଣେ ଲେଖାଏଁ ଖେଳାଳି ରହିଛନ୍ତି ।
ରୋନାଲ୍ଡୋ ଏହି ବିଶ୍ୱକପ୍ରେ ଗୋଟିଏ ଗୋଲ୍ କରିବା ସହିତ ରେକର୍ଡ ବୁକ୍ରେ ସାମିଲ୍ ହୋଇଥିଲେ । ସେ ବିଶ୍ୱକପ୍ର ପାଞ୍ଚ ସଂସ୍କରଣରେ ଗୋଲ୍ କରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇପାରିଥିଲେ । ତେବେ ଏହାଛଡ଼ା ତାଙ୍କ ପ୍ରଦର୍ଶନ ସେମିତି କିଛି ଖାସ୍ ନ ଥିଲା । ସେ ସେଟ୍ ପିସ୍ରେ ଗୋଲ୍ କରିବାରେ ବିଫଳ ହୋଇଥିଲେ ।
ସେ ଦୁଇ ଥର ବିବାଦରେ ଛନ୍ଦି ହୋଇଛନ୍ତି । ଉରୁଗୁଏ ବିପକ୍ଷ ମ୍ୟାଚ୍ରେ ବ୍ରୁନୋ ଫର୍ଣ୍ଣାଣ୍ଡିସ୍ଙ୍କ ଏକ ଗୋଲ୍ରେ ସେ ନିଜର ହକ୍ ଜାହିର କରିବାକୁ ଚାହିଁଥିଲେ । କିନ୍ତୁ ରେଫରୀ ବ୍ରନୋଙ୍କୁ ଗୋଲ୍ର ଶ୍ରେୟ ଦେଇଥିଲେ । ଏହାପରେ ରୋନାଲ୍ଡୋ ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକଟ କରିଥିଲେ । ଏହାଛଡ଼ା ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚ୍ରେ ସେ ଜଣେ କୋରୀୟ ଖେଳାଳିଙ୍କ ସହ ଝଗଡ଼ା କରିଥିଲେ ।
ସବୁଠାରୁ ଖରାପ ଖେଳାଳିଙ୍କ ଏକାଦଶ
ଏ. ଅଲୀ, ସି. ରୋନାଲ୍ଡୋ, ଟି. ବୁଚାନନ୍, ଏ. ଅଲ୍ ମଲ୍କୀ, କେ. ବୌଡଲାଫ, ଏମ୍. ଲୋକୀ, ଏଚ୍. ଅହମଦ, ଏଫ୍. କାଲ୍ଭୋ, ଓ. ଡୁଆର୍ତ୍ତେ, ଏ. ଜନ୍ସନ୍, ଏମ୍. ଐସା ବର୍ଷମ୍ ।