ପଦ୍ମପୁରରେ ବମ୍ପର୍ ଭୋଟିଂ
ଭୁବନେଶ୍ୱର, ୫ା୧୨ (ବୁ୍ୟରୋ): ଭୋଟ୍ ଦେଇ ନେତା ବାଛିଲେ ପଦ୍ମପୁରବାସୀ । ପଦ୍ମପୁର ଉପନିର୍ବାଚନରେ ମତଦାନ ପାଇଁ ସତେ ଯେମିତି ପୂରା ଉକ୍ରଣ୍ଠାରେ ଥିଲେ ଜନତା ଜନାର୍ଦ୍ଦନ । ଦିବ୍ୟାଙ୍ଗ, ମହିଳା, ବୟସ୍କ ଓ ଯୁବ ଭୋଟର, କେହି ହାତଛଡ଼ା କରିନଥିଲେ ନିଜ ସାମ୍ବିଧାନିକ ଅଧିକାର । କେଉଁଠି ଭୋଟରଙ୍କୁ ସ୍ୱାଗତ ଲାଗି ବୁଥ୍ ସଜେଇ ହୋଇଥିଲା ତ ପୁଣି କେଉଁଠି କଡ଼ା ସୁରକ୍ଷାର ପ୍ରତିଶ୍ରୁତି ପାଳନ ସ୍ୱରୂପ ସଶସ୍ତ୍ର ଯବାନ ମୁତୟନ ହୋଇଥିଲେ । ଝାରବନ୍ଧ ବୁଥ୍ ସାମ୍ନାରେ ରଙ୍ଗବେରଙ୍ଗର ବେଲୁନ୍ରେ ସଜେଇ ହୋଇଥିଲା ପ୍ରବେଶ ପଥ । ଆଗରେ ଝୋଟି ପଡିଥିଲା-କଳସ ବସିଥିଲା । ସତେ ଯେମିତି ଭୋଟରଙ୍କୁ ହାତଠାରି ଡାକୁଥିଲା ଆଦର୍ଶ ମତଦାନ କେନ୍ଦ୍ର । ବରିକେଲରେ ହ୍ୱିଲ୍ ଚେୟାରରେ ବସି ଭୋଟ୍ ଦେବାକୁ ଆସିଥିଲେ ଦିବ୍ୟାଙ୍ଗ । ଚାଲିପାରୁନଥିଲେ କି କଥା କହିପାରୁ ନଥିଲେ ବି ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ଭୁଲିନଥିଲେ ।
ସେହିପରି ବୁଥ୍ ନମ୍ବର ୨୨୧ ଓ ୨୨୨କୁ କରାଯାଇଥିଲା ପିଙ୍କ୍ ବୁଥ୍ । ଯେଉଁଠି କେବଳ ମହିଳା ଭୋଟରଙ୍କର ଲାଗିଥିଲା ଲମ୍ବା ଲାଇନ୍ । ନୂଆକରି ଭୋଟର ତାଲିକାରେ ସ୍ଥାନ ପାଇଥିବା ମତଦାତା ବି ମତାଧିକାର ସାବ୍ୟସ୍ତ କରିବାର ସୁଯୋଗ ପାଇ ବେଶ୍ ଖୁସି ଅନୁଭବ କରିଥିଲେ । ମାଓ ପ୍ରବଣ ଇଲାକା ହୋଇଥିବାରୁ ବରତୁଣ୍ଡା ବୁଥ୍ରେ ଅପରାହ୍ନ ୪ଟା ଯାଏଁ ଏମିତି ଜଗି ରହିଥିଲେ, ସଶସ୍ତ୍ର ସୁରକ୍ଷା ବାହିନୀ ।
ନିଜ ନିଜ ଅଞ୍ଚଳର ବୁଥ୍ରେ ଧାଡ଼ିରେ ଆସି ମତଦାନ କରିଥିଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି କ୍ୟାଣ୍ଡେଟ୍ ପ୍ରଦୀପ ପୁରୋହିତ ପାଇକମାଳ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ନିଜ ମାଆ ଓ ପତ୍ନୀଙ୍କ ସହ ଆସି ମତଦାନ କରିଥିଲେ । ପଦ୍ମପୁର ଘଇଉର ରାଜାପଡ଼ା ହାଇସ୍କୁଲର ୨୧୩ ନମ୍ବର ବୁଥରେ ଭୋଟ୍ ଦେଇଥିଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା । ସେମିତି ପାଇକମାଳ ମାଣ୍ଡୋସିଲ ୧୦୨ ନମ୍ବର ବୁଥରେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ଦେଇଥିଲେ ଭୋଟ୍ । ଅନ୍ୟ ପ୍ରାର୍ଥୀମାନେ ବି ନିଜ ନିଜ ଅଞ୍ଚଳରେ ମତଦାନ ସାବ୍ୟସ୍ତ କରିଛନ୍ତି । ସମସ୍ତଙ୍କ ଆଶା ପଦ୍ମପୁର ଜନତା ସେମାନଙ୍କୁ ନିଶ୍ଚେ ସେବା କରିବାର ସୁଯୋଗ ଦେବେ ।
ପଦ୍ମପୁରରେ ସକାଳ ୭ଟାରେ ମତଦାନ ଆରମ୍ଭ ପୂର୍ବରୁ ମକ୍ ପୋଲିଂ ବେଳେ କିଛି ସ୍ଥାନରେ ଇଭିଏମ୍ରେ ତ୍ରୁଟି ଦେଖାଦେଇଥିଲା । ତୁରନ୍ତ ତାକୁ ସୁଧାରି ଦିଆଯାଇଥିଲା । ୩୧୯ ବୁଥ୍ରେ ମତଦାନ ବ୍ୟବସ୍ଥା ହୋଇଥିବାବେଳେ ମୋଟ୍ ୧୨୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା ଓ ୧୨୦ ବୁଥ୍ରେ ୱେବ୍ କାଷ୍ଟିଂ ସହ ୬୬ ବୁଥ୍ରେ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ହୋଇଥିଲା । ମାଓ ପ୍ରବଣ ଇଲାକା ହୋଇଥିବାରୁ ଅପରାହ୍ନ ୪ଟାରେ ଭୋଟିଂ ଶେଷ ହୋଇଥିଲା ।
ସୂଚନାଯୋଗ୍ୟ, ସରିଛି ଉପ-ନିର୍ବାଚନ, ଇଭିଏମ୍ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଏଥରକ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ଗତ ୨୦୧୯ ନିର୍ବାଚନରେ ୭୯% ମତଦାନ ହୋଇଥିବାବେଳେ ଏଥର ୮୦.୫% ଟପିଥିବା ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି । ନିର୍ବାଚନ ମଣ୍ଡଳୀରେ ଏଥର ୩୧୯ ବୁଥ୍ରେ ୨,୬୯,୩୨୬ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଏଥିରେ ୧,୩୦,୩୩୧ ଜଣ ପୁରୁଷ, ୧,୨୮,୯୮୧ ଜଣ ମହିଳା ଓ ୧୪ ଜଣ ତୃତୀୟ ଲିଂଗୀ ଭୋଟର୍ ରହିଛନ୍ତି ।
ସମୁଦାୟ ୩୧୯ ବୁଥ୍ରୁ ୪୬ ମାଓ ଅଧ୍ୟୁଷିତ ଇଲାକାରେ ରହିଛି । ୧୫୨ ସମ୍ବେଦନଶୀଳ ଓ କ୍ରିଟିକାଲ୍ ବୁଥ୍ ରହିଛି । ଏହି ବୁଥ୍ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ସିସିଟିଭି ଓ ୱେବ୍ କ୍ୟାମେରା ବ୍ୟବହାର ସହ ବୁଥ୍ ପିଛା ଜଣେ ମାଇକ୍ରୋ ଅବଜର୍ଭର ରହିଛନ୍ତି । ମୋଟ ୩୧୯ ବୁଥ୍ରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିଛନ୍ତି । ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆର୍ପିଏଫ୍, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିôବରେ ରହିଛନ୍ତି । ନିର୍ବାଚନମଣ୍ଡଳୀର ପ୍ରତି ବ୍ଲକ୍ରେ ୨ ଲେଖାଏଁ ମୋଟ୍ ୬ ପିଙ୍କ୍ ବୁଥ୍ ଓ ୧୫ ଆଦର୍ଶ ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି ।