ନିଜଆଡୁ ହଟିଲେ ଜବରଦଖଲକାରୀ

ଚକ୍ରତୀର୍ଥ ରୋଡ୍ ପ୍ରଶସ୍ତୀକରଣ
ପୁରୀ (ବୁ୍ୟରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ଖୁବ୍ଶୀଘ୍ର ଆରମ୍ଭ ହେବ ଚକ୍ରତୀର୍ଥ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ । ଆଉ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କ ଗାଡ଼ି ଜାମ୍ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଫସି ରହିବନି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ରାସ୍ତା ପ୍ରଶସ୍ତୀକରଣ ଲାଗି ଆବଶ୍ୟକୀୟ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟ ଶେଷପର୍ଯ୍ୟାୟରେ ପହଞ୍ଚôଛି । ଏପରିକି ଅନେକ ସ୍ଥାନୀୟ ବାସିନ୍ଦା ସରକାରୀ ଜମି ଜବରଦଖଲ କରି ନିଜର ଘର ଓ ବ୍ୟବସାୟ ଅନୁଷ୍ଠାନ କରିଥିଲେ । ହେଲେ ପ୍ରଥମେ ପୌରପାଳିକା ପକ୍ଷରୁ ସରକାରୀ ଜମି ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ୬ ତାରିଖ ସୁଦ୍ଧା ଘର ଖାଲି କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ପ୍ରଶାସନ ଜବରଦଖଲ ଉଚ୍ଛେଦ ପୂର୍ବରୁ ପେଣ୍ଠକଟାରେ ରହିଥିବା ଜବରଦଖଲକାରୀ ମଙ୍ଗଳବାର ନିଜଆଡୁ ଘର ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଏପରିକି ପ୍ରଶାସନ ତରଫରୁ ଦିଆଯାଇଥିବା ଚିହ୍ନ ଠାରୁ ସେମାନେ ସେମାନଙ୍କ ଉଚ୍ଛେଦ କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଯେଉଁମାନଙ୍କ ସ୍ଥିତିବାନ ଜମି ରହିଛି ସେମାନଙ୍କ ସହ ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି ।
ସୂଚନାଥାଉକି, ଶ୍ରୀକ୍ଷେତ୍ର ହେବ ବିଶ୍ୱଐତିହ୍ୟ ନଗରୀ । ସେଥିଲାଗି ପୁରୀର ଭିତ୍ତିଭୂମି ଉନ୍ନତୀକରଣ ଜାରି ରହିଛି । ଏହାରି ମଧ୍ୟରେ ପ୍ରଥମେ ସହରକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ସଂପ୍ରସାରଣ କରାଯିବା ଲାଗି ପ୍ରକି୍ରୟା ଜାରି ରହିଛି । ବିଶେଷ ଭାବେ ସହରର ସୁଭାଷ ବୋଷ ଛକ ଠାରୁ ପେଣ୍ଠକଟା ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପ୍ରଶସ୍ତୀକରଣ କରିବାକୁ ଉଦ୍ୟମ ଜାରି ରହିଛି । ପ୍ରଥମେ ଉକ୍ତ ରାସ୍ତାକୁ ୪୦ଫୁଟ ଓସାର କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସେଥିଲାଗି ମାପଚୁପ ଶେଷ ହୋଇଛି । ଖୋଦ୍ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ମାପଚୁପ ହୋଇଥିଲା । ଫଳରେ ପ୍ରଶାସନର ଏହି ମାପଚୁପକୁ କେତେଜଣ ସ୍ଥାନୀୟ ବାସିନ୍ଦା ଓ ହୋଟେଲ ମାଲିକ ସନ୍ତୋଷ ଥିବା ବେଳେ ଅନ୍ୟ କେତେଜଣ ଅସନ୍ତୁଷ୍ଟ ରହିଥିବା ଜଣାପଡ଼ିଛି । ତତ୍ସହିତ ପେଣ୍ଠକଟାଠାରେ ନିର୍ମାଣ ହେଉଥିବା ଷ୍ଟାଡିୟମ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଲାଣି । ଚକ୍ରତୀର୍ଥ ରାସ୍ତା ଅଣଓସାରିଆ ହୋଇଥିବାରୁ ସବୁବେଳେ ରାସ୍ତା ଜାମ୍ ରହୁଛି । ଫଳରେ ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ଗାଡ଼ି ଘଣ୍ଟା ଘଣ୍ଟା ଧରି ଜାମ୍ରେ ଫସି ରହୁଛି । ଯାହାଦ୍ୱାରା ସେମାନଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି । ରାସ୍ତା ସଂପ୍ରସାରଣ ହେବା ନିତ୍ୟାନ୍ତ ଆବଶ୍ୟକ ରହିଥିଲା । ସୁଭାଷବୋଷ ଛକଠାରୁ ପେଣ୍ଠକଟା ପର୍ଯ୍ୟନ୍ତ ଦୁଇ ଲେନ୍ ରାସ୍ତା ନିର୍ମାଣ ହେବାକୁ ଥିବାବେଳେ ପେଣ୍ଠକଟା ଛକଠାରୁ ପିକେଆର୍ଆଇଟି ଛକ ଦେଇ ଭୂଦାନ ଛକ ପର୍ଯ୍ୟନ୍ତ ୪ ଥାକିଆ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି । ସେଥିଲାଗି ମୋଟ ୧୩ କୋଟି ୯୯ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *