ଏନ୍ଆର୍ଏଲ୍ ବିରୋଧରେ ସ୍ୱର ଉଠାଇଲେ ପୌରାଧ୍ୟକ୍ଷ
ପାରାଦୀପ (ଆପ୍ର): ଷଣ୍ଢକୁଦ ବସ୍ତିରେ ଏନ୍ଆର୍ଏଲ୍ କମ୍ପାନୀକୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ । ଉପାଧ୍ୟକ୍ଷା ଓ କାଉନ୍ସିଲର ମାନଙ୍କୁ ଧରି ଷଣ୍ଡକୁଦ ଗ୍ରାମ୍ୟ କମିଟି ବ୍ୟାନରରେ ଶୋଭାଯାତ୍ରା ଓ ସଭା କରି ସମସ୍ତେ ଏକ ହୋଇ ବସ୍ତିର ସୁରକ୍ଷା ପାଇଁ ଲଢେଇ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଷଣ୍ଢକୁଦ ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିବା କମ୍ପାନି ବସ୍ତି ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ସହିତ ସ୍ଥାନୀୟ ଅଞ୍ଚଳରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଆଦି ଦାବି ଗୁଡିକୁ କମ୍ପାନୀ ପ୍ରଥମେ ପୂରଣ କରୁ ତାପରେ କମ୍ପାନୀ ପ୍ରତିଷ୍ଠା ହେଉ ଏହା ଥିଲା ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳଙ୍କ ଡାକରା ।
ଷଣ୍ଢକୁଦ ଅଟୋ ଷ୍ଟାଣ୍ଡରୁ ନିଜ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ବସ୍ତି ମଝିରେ ଥିବା ଜଗନ୍ନାଥ ମନ୍ଦିର ପାଖରେ ଗ୍ରାମର ମୁରବି ଓ କାଉନସିଲରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ମୁରବୀ ମାନଙ୍କ କହିବା ଅନୁଯାୟୀ କମ୍ପାନି ହେବାକୁ ସେମାନେ ସ୍ୱାଗତ କରୁଛନ୍ତି ହେଲେ କମ୍ପାନୀରେ ନିଯୁକ୍ତି ଓ ବସ୍ତିର ଡ୍ରେନ୍ ସୁବିଧା, ମେଡିକାଲ ଶିକ୍ଷାର ସୁବନେ୍ଦାବସ୍ତ କରିବା, ଶିକ୍ଷାର ଉନ୍ନତି କରିବା ପାଇଁ କମ୍ପାନୀ ପାଖରେ ଦାବି ହୋଇଛି । ଦାବି ଗୁଡିକୁ କମ୍ପାନି କର୍ତ୍ତୃପକ୍ଷ ମାନି ବା ସହ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ । ଷଣ୍ଢକୁଦ ଅଞ୍ଚଳବାସୀଙ୍କ ସମସ୍ୟାକୁ ନେଇ କୌଣସି ସଙ୍ଗଠନ ଆନ୍ତରିକତା ନ ଥିବା କାଉନସିଲର ମାନେ ଅଭିଯୋଗ କରିଛନ୍ତି । ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳ ନିଜ ଟିମ୍କୁ ନେଇ ଷଣ୍ଡକୁଦରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଏହି ସମାବେଶରେ ୩ ଟି ୱାର୍ଡର ହଜାର ହଜାର ଲୋକ ଉପସ୍ଥିତ ଥିଲେ ।