ଜି୨ଠ ଭେନୁ୍ୟରେ କୋଣାର୍କ!
ସର୍ବଦଳୀୟ ବୈଠକରେ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୫ ।୧୨: ଜି-୨୦ ଶିଖର ସମ୍ମିଳନୀ ଆୟୋଜନ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସୋମବାର ଡକାଯାଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଛନ୍ତି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ଦଳର ନେତୃବର୍ଗ ଶିଖର ସମ୍ମିଳନୀ ସମ୍ବନ୍ଧୀୟ ରଣନୀତି ଉପରେ ପ୍ରସ୍ତାବ ତଥା ପରାମର୍ଶ ଦେଇଛନ୍ତି । ସୂର୍ଯ୍ୟ ମନ୍ଦିର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା କୋଣାର୍କକୁ ଶିଖର ସମ୍ମିଳନୀ ଭେନୁ୍ୟରେ ସାମିଲ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ସୋମବାର ଦିଲ୍ଲୀରେ ପହଞ୍ଚô ସାମ୍ବାଦିକମାନଙ୍କୁ କହିଥିଲେ, ଦେଶର ଭିନ୍ନ ଐତିହ୍ୟସମ୍ପନ୍ନ ସହରରେ ଶିଖର ସମ୍ମିଳନୀ କାର୍ଯ୍ୟକ୍ରମ କରିବାକୁ କେନ୍ଦ୍ର ସରକାର ବିଚାର କରୁଥିବାବେଳେ ସେହି ଏଜେଣ୍ଡାରେ କୋଣାର୍କକୁ ସ୍ଥାନ ମିଳିବା ଆଶା ରହିଛି ।
ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ ପରେ କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଯୋଜନା ଏବଂ ତତ୍ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଉପରେ ବୈଠକରେ ଏକ ଚିଠା ଉପସ୍ଥାପନ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନେ୍ଦ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ଼ୀ ପ୍ରମୁଖ ଯୋଗ ଦେଇଥିଲେ । ଏମାନଙ୍କ ବାଦ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୃହ ମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଜେପି ଅଧ୍ୟକ୍ଷ ଜେପି ନଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡା, ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ, ସିପିଆଇ ମହାସଚିବ ଡି. ରାଜା, ତେଲୁଗୁ ଦେଶମ ପାର୍ଟି ମୁଖିଆ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ତରଫରୁ ପ୍ରାୟ ୪୦ ଦଳର ଅଧ୍ୟକ୍ଷଙ୍କୁ ଆମନ୍ତ୍ରିତ କରାଯାଇଥିଲା ।
ଭାରତ ଡିସେମ୍ବର ୧ରୁ ଆନୁଷ୍ଠନିକଭାବେ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିଛି । ଆସନ୍ତା ବର୍ଷ ସେପ୍ଟେମ୍ବର ୯ ଓ ୧୦ରେ ନୂଆଦିଲ୍ଲୀରେ ଜି୨୦ ନେତାମାନଙ୍କ ଶିଖର ସମ୍ମିଳନୀ ହେବ । ତା ପୂର୍ବରୁ ଚଳିତ ମାସରେ ଦେଶର ବିଭିନ୍ନ ସ୍ଥାନରେ ୨୦୦ରୁ ଅଧିକ ଜି୨୦ ବୈଠକ ଆୟୋଜିତ ହେବା ଆଶା କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଜି୨୦ ହେଉଛି ପୃଥିବୀର ପ୍ରମୁଖ ବିକଶିତ ଓ ବିକାଶଶୀଳ ଦେଶମାନଙ୍କର ଏକ ଆନ୍ତଃ ସରକାରୀ ମଞ୍ଚ । ଏହି ସଂଘରେ ଅଛନ୍ତି, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ୍, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, କୋରିଆ ଗଣରାଜ୍ୟ, ମେକ୍ସିକୋ, ରୁଷ୍, ସାଉଦୀଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ୍, ଆମେରିକା ଓ ୟୁରୋପୀୟ ସଂଘ ।
