୧୭୧ ଆସନ ଜିତିବ ଆପ୍
ଏମ୍ସିଡି ନିର୍ବାଚନ: ଏକ୍ଜିଟ୍ ପୋଲ୍ ଫଳାଫଳ
ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଲୀ ନଗର ନିଗମ (ଏମ୍ସିଡି) ନିର୍ବାଚନ ଶେଷ ହେବାର ଦିନକ ପରେ ଏକ୍ଜିଟ୍ ପୋଲ୍ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି । ତେବେ ଚଳିତ ଏମ୍ସିଡି ନିର୍ବାଚନରେ ପ୍ରଥମ ଥର ପାଇଁ ଆମ୍ ଆଦ୍ମୀ ପାର୍ଟି (ଆପ୍) ସମ୍ଭବତଃ ବିଜୟୀ ହେବା ସ୍ପଷ୍ଟ ପ୍ରତୀତ ହୋଇଛି । ଗତ ୧୫ ବର୍ଷ ଧରି ଏମ୍ସିଡି ବିଜେପି ଅକ୍ତିଆରରେ ରହିଆସିଥିବା ବେଳେ ଏଥର କିନ୍ତୁ ନଗରବାସୀ ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍ଙ୍କ ଉପରେ ବିଶ୍ୱାସ କରିଛନ୍ତି । ଚଳିତ ଏମ୍ସିଡି ନିର୍ବାଚନରେ ଏମ୍ସିଡି ଉପରେ ପୂର୍ଣ୍ଣାଙ୍ଗ କ୍ଷମତା ବିଜେପି ହାତରୁ ଖସି ଆପ୍ ହାତକୁ ଯାଉଥିବା ଅନୁୂଭୂତ ହେଉଛି । ପ୍ରକାଶ ବୁଧବାର ଏମ୍ସିଡ଼ି ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।
ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲ୍ ଅନୁସାରେ ଏମ୍ସିଡିର ମୋଟ୍ ୨୫ଠ ଆସନ ମଧ୍ୟରୁ ଆପ୍କୁ ବହୁମତ ( ୧୪୯ରୁ ୧୭୧) ମିଳିବାର ସମ୍ଭାବନା ରହିଥିବା ଦେଖିବାକୁ ମିଳିଛି । ସେହିପରି ବିଜେପି ୬୯ରୁ ୯୧ ଆସନ ପାଇ ୨ୟ ସ୍ଥାନରେ ରହିବାକୁ ଯାଉଥିବା ବେଳେ କଂଗ୍ରେସ ମାତ୍ର ୩ରୁ ୭ଟି ଆସନ ହାତେଇବାରେ ସଫଳ ହେବ ବୋଲି ପ୍ରତୀତ ହୋଇଛି । ସୂଚନାଯୋଗ୍ୟ ଏମ୍ସିଡିର ମୋଟ୍ ଆସନ ୨୫ଠ ରହିଥିବା ବେଳେ ସଂଖ୍ୟା ଗରିଷ୍ଠତା ପାଇଁ ଯେକୌଣସି ଦଳକୁ ୧୨୬ଟି ଆସନର ଆବଶ୍ୟକତା ରହିଛି । ଏହି ଦୃଷ୍ଟିକୋଣରୁ ଆପ୍ ହିଁ ଏମ୍ସିଡି ନିର୍ବାଚନରେ ବିଜୟୀ ହେବା ନିଶ୍ଚିତ ହେଉଥିବା ସ୍ପଷ୍ଟ ହୋଇଛି । ସେହିପରି ଟାଇମ୍ସ ନାଓ-ଇଟିଜି ଏକ୍ଜିଟ୍ ପୋଲ୍ ଅନୁସାରେ ଆପ୍ ୧୪୬ରୁ ୧୫୬ ଆସନ, ବିଜେପି ୮୪ରୁ ୯୪ ଆସନ ଏବଂ କଂଗ୍ରେସ ୬ରୁ ୧ଠ ଆସନ ଜିତିବାରେ ସଫଳ ହେବେ ବୋଲି ଦର୍ଶାଯାଇଛି । ଏମ୍ସିଡିରେ ହୋଇଥିବା ଦୁର୍ନୀତିକୁ ମୂଳପୋଛ କରିବାକୁ ଆପ୍ ଦେଇଥିବା ନାରା ସମ୍ଭବତଃ କାମ ଦେବ ବୋଲି ଏଜଜିଟ୍ ପୋଲରୁ ଜଣାପଡୁଛି ।
ଦିଲ୍ଲୀରେ ୨ଠ୧୪ ଏବଂ ୨ଠ୧୯ ଲୋକସଭା ନିର୍ବାଚନରେ ବିଜେପି ସମସ୍ତ ୭ଟି ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ କିମ୍ବା ଆମ୍ ଆଦ୍ମୀ ପାର୍ଟି (ଆପ୍) ଏହି ଦୁଇଟି ଯାକ ଲୋକସଭା ନିର୍ବାଚନରେ ଖାତା ମଧ୍ୟ ଖୋଲିପାରିନଥିଲେ । ପ୍ରକାଶ, ଚଳିତ ଏମ୍ସିଡି ନିର୍ବାଚନରେ ମୋଟ୍ ୧୩୪୯ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି ।