ରାଧାକୃଷ୍ଣଙ୍କୁ ଲାଗିହେଲା ୮୨୧ ବ୍ୟଞ୍ଜନ

ଗୌରବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ
ପୁରୀ (ବୁ୍ୟରୋ): ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ସୋମବାର ଶ୍ରୀଗୌରବିହାର ଆଶ୍ରମ (ମାତାମଠ)ରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ପବିତ୍ର ତିଥିରେ ଶ୍ରୀଚୈତନ୍ୟ ମହାପ୍ରଭୁ ଏବଂ ଶ୍ରୀରାଧାକୃଷ୍ଣଙ୍କ ନିକଟରେ ୮୨୧ ପ୍ରକାର ବ୍ୟଞ୍ଜନ ନୈବେଦ୍ୟ ଅର୍ପଣ କରାଯାଇଛି । ମହନ୍ତ ସୁବଳ ଚରଣ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଭୋରରୁ ସମସ୍ତ ଦେବନୀତି ସମାପ୍ତ ପରେ ମଧ୍ୟାହ୍ନରେ ଶ୍ରୀଚୈତନ୍ୟ ଓ ଶ୍ରୀକୃଷ୍ଣଙ୍କୁ ନୈବେଦ୍ୟ ଅର୍ପଣ କରାଯାଇଥିଲା ।
ମଠ ମହନ୍ତ ସୁବଳ ଚରଣ ଦାସ ମହାରାଜ କହିଛନ୍ତି ଯେ, ଆଶ୍ରମର ଆରାଧ୍ୟ ଶ୍ରୀରାଧାକୃଷ୍ଣ ଓ ଚୈତନ୍ୟ ମହାପ୍ରଭୁଙ୍କ ନିକଟରେ ୮୨୧ପ୍ରକାର ବ୍ୟଞ୍ଜନ ସମର୍ପଣ କରାଯାଇଛି । ଏହି ସବୁ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ଦୁଇଦିନ ଲାଗି ଥିବାବେଳେ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ସେବିକା ଓ ସେବକ ନିୟୋଜିତ ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଅତିଥି ଭାବେ ଯୋଗଦେଇ ବ୍ୟଞ୍ଜନ ଦ୍ୱାଦଶୀ ସମ୍ପର୍କରେ କହିଥିଲେ । ମାତା ମଠକୁ ଦେଖି ମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ । ବଳିଆପଣ୍ଡାପଟୁ ମଠକୁ ସଂଯୋଗ ହୋଇଥିବା ରାସ୍ତାର ଦୁରବସ୍ଥା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଠ ମହନ୍ତ । ଏ ଦିଗରେ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଏହି ବ୍ୟଞ୍ଜନ ଦ୍ୱାଦଶୀକୁ ନେଇ ଏକ ଜନଶ୍ରୁତି ରହିଛି । ମା’ ଯଶୋଦା ହଠାତ୍ ଦିନେ ଦେଖିଲେ ପୁଅ କାହ୍ନାଙ୍କ ଦେହ ଝଡ଼ି ଯାଇଛି । ମା’ଙ୍କ ଆଖିକୁ ସେ ଶୁଖି କଳା କାଠ ପଡ଼ିଯାଇ ଥିବା ଦେଖାଗଲେ । ଏତିକିରେ ମା’ ଯଶୋଦା ଉଚ୍ଛନ୍ନ ହୋଇଗଲେ । ସେ ଭାବିଲେ ନ ଖାଇ ନ ପିଇ କାହ୍ନା ଏମିତି ହୋଇଗଲେଣି । ଯଶୋଦା ନିଜେ ରୋଷେଇ ଘରକୁ ଯାଇ ନାନାଦି ପ୍ରକାର ପୁଷ୍ଟିକର ତଥା ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଏହି ପବିତ୍ର ତିଥିରେ ତାଙ୍କୁ ପରସି ଦେଇଥିଲେ । ସେହିପରି ଚୈତନ୍ୟ ମହାପ୍ରଭୁ ବାଲ୍ୟକାଳରେ ନିଜ ମା’ଙ୍କ ପରସା ବହୁବିଧ ବ୍ୟଞ୍ଜନ ଖାଇଥିବା ଶୁଣା କଥା ରହିଛି । ଏହି ଜନଶ୍ରୁତିକୁ ନେଇ ଗୌଡ଼ୀୟ ବୈଷ୍ଣବ ନିଷ୍ଠାର ସହିତ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରିଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *