ଆତ୍ମନିଯୁକ୍ତି ତାଲିମରେ ୪୧କୋଟି ବ୍ୟୟ

ଭୁବନେଶ୍ୱର, ୪ା୧୨ (ତଥ୍ୟ): ରାଜ୍ୟର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ତାଲିମ ଦେବା ଲାଗି ସରକାର ୩ ବର୍ଷରେ ୪୧କୋଟିରୁ ଅଧିକ ଟଙ୍କା ବ୍ୟୟ କରିଛନ୍ତି । ଏ ବାବଦରେ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ସହାୟତା ମିଳେନାହିଁ । ବିଭିନ୍ନ ପ୍ରକାର ତାଲିମ ଜରିଆରେ ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦେବାପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଆବଶ୍ୟକ ସମସ୍ତ ଅର୍ଥ ରାଜ୍ୟର ନିଜସ୍ୱ ପାଣ୍ଠିରୁ ବହନ କରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଗତ ତିନି ବର୍ଷ ମଧ୍ୟରେ ତାଲିମ ପାଇଁ ୪୧,୪୪,୫୩,୯୫୬ ଟଙ୍କା ଖର୍ଚ୍ଚ ସରିଲାଣି । ଏହି ଅର୍ଥ ୨୦୧୯-୨୦ରୁ ୨୦୨୧-୨୨ ବର୍ଷ ମଧ୍ୟରେ ବ୍ୟୟ ହୋଇଛି । ୨୦୧୯-୨୦ ବର୍ଷରେ ତାଲିମ କାର୍ଯ୍ୟକ୍ରମରେ ୩,୨୭,୮୧୫ ଜଣ ସାମିଲ ହୋଇଥିଲେ । ଏହିବର୍ଷ ଲକ୍ଷ୍ୟ ଥିଲା ୨,୩୬,୫୪୩ । ୨୦୨୦-୨୧ ବର୍ଷରେ ୭୬,୧୪୨ ଜଣ ତାଲିମ ନେଇଥିଲେ । ସେହିଭଳି ୨୦୨୧-୨୨ ବର୍ଷରେ ୧,୦୩,୦୦୮ ଜଣ ତାଲିମ ପାଇଛନ୍ତି ।
ତାଲିମ କାର୍ଯ୍ୟକ୍ରମରେ କିନ୍ତୁ ନିଯୁକ୍ତି ଭିତ୍ତିକ ତାଲିମ ସେତେଟା ଉସôାହଜନକ ନୁହେଁ । ୨୦୧୯-୨୦ ବର୍ଷରେ ନିଯୁକ୍ତି ଭିତ୍ତିକ ତାଲିମ ପାଇଁ ୨୦ହଜାର ଲକ୍ଷ୍ୟ ଥିବାବେଳେ ମାତ୍ର ୯୨୫୬ ଜଣ ଏଭଳି ତାଲିମ ନେଇଛନ୍ତି । ସେହିଭଳି ହସ୍ତତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ ଆଦି କ୍ଷେତ୍ରରେ ଦକ୍ଷତା ତାଲିମ ପାଇଁ ୧୦,୭୧୯ ଜଣଙ୍କୁ ତାଲିମ ଦେବାର ଲକ୍ଷ୍ୟ ଥିବାବେଳେ ନେଇଛନ୍ତି ମାତ୍ର ୫୦୬୬ ଜଣ । ଏମଏସଏମଇ ବିଭାଗ ଅଧୀନରେ ୧୪,୮୮୦ ଜଣଙ୍କୁ ତାଲିମ ଦେବାର ଲକ୍ଷ୍ୟ ଥିବାବେଳେ ନେଇଛନ୍ତି ମାତ୍ର ୫୨୬ ଜଣ । ତେବେ କେନ୍ଦ୍ରୀୟ ସଂସ୍ଥା ସିଟିଟିସି ଓ ସିପେଟରେ ତାଲିମ ଗ୍ରହଣ ଉସôାହଜନକ ଥିବା ଲକ୍ଷ୍ୟ କରାଯାଇଛି ।
ବିଶେଷଜ୍ଞଙ୍କ ମତରେ ଆତ୍ମ ନିଯୁକ୍ତି ତାଲିମ କ୍ଷେତ୍ରରେ ବଡ କଣ୍ଟା ସାଜିଛି ବ୍ୟାଙ୍କ୍‌ ଋଣ ମଞ୍ଜୁରି ।
ଯେଉଁମାନେ ଆତ୍ମନିଯୁକ୍ତି ତାଲିମ ନେବାପରେ ଗାଁ ଗହଳରେ ଛୋଟ ଛୋଟ ଉଦ୍ୟୋଗ ବସାଇବାକୁ ଚାହୁଁଛନ୍ତି ସେମାନଙ୍କୁ ସହଜରେ ଋଣ ମିଳୁନାହିଁ । ଜିଲ୍ଲା ଶିଳ୍ପ କେନ୍ଦ୍ରଠାରୁ ଆରମ୍ଭ କରି ବିଭିନ୍ନ ବ୍ୟାଙ୍କ୍‌କୁ ଦଉଡି ଦଉଡି ସେମାନେ ହତାଶ ହୋଇ ପଡୁଛନ୍ତି । ଏଥି ସହ ଯେଉଁମାନେ ବି ଉଦ୍ୟୋଗ ସ୍ଥାପନରେ ସଫଳ ହେଉଛନ୍ତି ବଜାର ବ୍ୟବସ୍ଥା ସହିତ ବିଦୁ୍ୟତ୍‌ ବିଲ୍‌ର ବୋଝରେ ସେମାନେ ଅଳ୍ପଦିନରେ ଭାରାକ୍ରାନ୍ତ ହୋଇ ବିକଳ୍ପ ପନ୍ଥା ଖୋଜିବାରେ ଲାଗୁଛନ୍ତି । ରାଜ୍ୟରେ କୃଷି କ୍ଷେତ୍ରରେ ବ୍ୟାପକ ସୁଯୋଗ ଥିବାବେଳେ ଏହି ବିଭାଗରେ ଆତ୍ମନିଯୁକ୍ତି ତାଲିମ ସେତେଟା ଉସôାହଜନକ ହେଉନାହିଁ । ୨୦୧୯-୨୦ ବର୍ଷରେ କୃଷି କ୍ଷେତ୍ରରେ ୧୧,୨୩୫ ଜଣଙ୍କୁ ତାଲିମ ଦେବାପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ନେଇଛନ୍ତି ମାତ୍ର ୫୧୪୫ ଜଣ । ଏହା ପରବର୍ଷ ଅର୍ଥାତ୍‌ ୨୦୨୦-୨୧ ବର୍ଷରେ ୫୩୧୩ ଜଣ ତାଲିମ ନେଇଥିବାବେଳେ ୨୦୨୧-୨୨ ବର୍ଷରେ ଏହି ସଂଖ୍ୟା ୧୦୫୦କୁ ହ୍ରାସ ପାଇଛି । ଏହି ବର୍ଷ ମସô୍ୟ କ୍ଷେତ୍ରରେ ତାଲିମ ନେଇଥିବା ଯୁବକ ଯୁବତୀଙ୍କ ସଂଖ୍ୟା ମାତ୍ର ୩୮ରହିଥିବାବେଳେ ପର୍ଯ୍ୟଟନ ଓ ତତ୍‌ଜନିତ ସେବା କ୍ଷେତ୍ରରେ ମାତ୍ର ୯୦ ଜଣ ତାଲିମ ଗ୍ରହଣ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *