ଭାରତଠୁ ମ୍ୟାଚ୍ ଛଡ଼ାଇନେଲେ ମେହଦୀ ହସନ୍

ପ୍ରଥମ ଦିନିକିଆ
ମୀରପୁର, ୪ା୧୨ (ଏଜେନ୍ସି): ନିମ୍ନକ୍ରମ ବ୍ୟାଟର୍ ମେହଦୀ ହସନ୍ ମିରାଜ (ଅପରାଜିତ ୩୮)ଙ୍କ ସାହସିକ ବ୍ୟାଟିଂ ତଥା ୧୧ ନମ୍ବର ବ୍ୟାଟର୍ ମୁସ୍ତାଫିଜୁର ରହମାନ (ଅପରାଜିତ ୧୦)ଙ୍କ ସହ ୫୧ ରନ୍ର ଅପ୍ରତ୍ୟାଶିତ ଭାଗୀଦାରୀ ବଳରେ ବାଂଲାଦେଶ ରବିବାର ଲୋ ସ୍କୋରିଂ ପ୍ରଥମ ଦିନିକିଆରେ ଭାରତକୁ ୧ ୱିକେଟ୍ରେ ପରାସ୍ତ କରିଛି ।
ଶେରେ ବାଂଲା ଜାତୀୟ ଷ୍ଟାଡିୟମ୍ରେ ଏହି ପରାଜୟ ସହ ରୋହିତ ସେନା ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୦-୧ରେ ପଛରେ ରହିଛି । ମେହଦୀ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ପରବର୍ତ୍ତୀ ମ୍ୟାଚ୍ ୭ରେ ଖେଳାଯିବ । ସାତ ବର୍ଷ ପରେ ଟିମ୍ ଇଣ୍ଡିଆ ବିପକ୍ଷରେ ବାଂଲାଦେଶ ଦିନିକିଆ ମ୍ୟାଚ୍ ଜିତିଛି ।
୧୮୭ ରନ୍ର ଅପେକ୍ଷାକୃତ ସହଜ ବିଜୟଲକ୍ଷ୍ୟ ନେଇ ଖେଳିଥିବା ବାଂଲାଦେଶୀ ଟିମ୍ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଏବଂ ଭାରତୀୟ ବୋଲର୍ ଟିମ୍କୁ ଦମ୍ଦାର ପ୍ରତ୍ୟାବର୍ତ୍ତନ କରାଇଥିଲେ । ୧୩୬ ରନ୍ରେ ୯ମ ୱିକେଟ୍ ପଡ଼ିଥିଲା । କିନ୍ତୁ ଆଠ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ମେହଦୀ ଭାରତୀୟ ଆକ୍ରମଣ ବିପକ୍ଷରେ ଦୃଢ଼ତାର ସହ ଖେଳିଥିଲେ । ସେ ଶେଷ ୱିକେଟ୍ରେ ମୁସ୍ତାଫିଜୁରଙ୍କ ସହ ମିଶି ୪୬ତମ ଓଭର୍ରେ ଇନିଂସ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ମେହଦୀ ଓ ମୁସ୍ତାଫିଜୁରଙ୍କ ମଧ୍ୟରେ ୫୧ ରନ୍ ବାଂଲାଦେଶର ୧୦ମ ୱିକେଟ୍ ପାଇଁ ସର୍ବାଧିକ ଭାଗୀଦାରୀ ।
ମେହଦୀଙ୍କୁ ଭାଗ୍ୟ ସହାୟ ହୋଇଥିଲା । ସେ ଦୁଇ ଥର ଜୀବନଦାନ ପାଇଥିଲେ । ୪୩ତମ ଓଭର୍ରେ ୱିକେଟ୍କିପର୍ ଲୋକେଶ ରାହୁଲ ତାଙ୍କ କ୍ୟାଚ୍ ଛାଡ଼ି ଦେଇଥିଲେ । ଯେତେବେଳେ ଟିମ୍କୁ ୩୨ ରନ୍ ଆବଶ୍ୟକ ଥିଲା, ଶାର୍ଦ୍ଦୂଳ ଠାକୁରଙ୍କ ଓଭର୍୍ରେ ଥାର୍ଡ ମ୍ୟାନ୍ ବାଉଣ୍ଡାରୀରେ ଛିଡ଼ା ହୋଇଥିବା ୱାଶିଂଟନ୍ ସୁନ୍ଦର, ମେହଦୀଙ୍କ କ୍ୟାଚ୍ ଧରିବାକୁ ପ୍ରୟାସହିଁ କରି ନ ଥିଲେ ।
ଭାରତ ପକ୍ଷରୁ ମହମ୍ମଦ ସିରାଜ ୩୨ ରନ୍ ଦେଇ ୩ ୱିକେଟ୍ ନେଇଥିବା ବେଳେ ନବାଗତ କୁଲଦୀପ ସେନ୍ ଓ ସୁନ୍ଦର ୨ ଲେଖାଏଁ ଏବଂ ଦୀପକ ଚାହର ଓ ଶାର୍ଦ୍ଦୂଳ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ବାଂଲାଦେଶ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଲିଟ୍ଟନ୍ ଦାସ ୪୧, ଶାକିବ୍ ଅଲ୍ ହସନ୍ ୨୯, ମୁସ୍ତାଫିକୁର ରହିମ୍, ଅନାମୁଲ୍ ହକ୍ ୧୪, ମହମୁଦୁଲ୍ଲା ୧୪, ଅଫିଫ୍ ହୋସେନ୍ ୬ ରନ୍ କରିଥିଲେ ।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ବ୍ୟାଟିଂ ବିଫଳତା ଯୋଗୁଁ ୪୧.୨ ଓଭର୍ରେ ମାତ୍ର ୧୮୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ରାହୁଲ (୭୦ ବଲ୍ରୁ ୭୩)ଙ୍କ ଛଡ଼ା ଅନ୍ୟ କାହା ପ୍ରଦର୍ଶନ ଆଶାଜନକ ନ ଥିଲା ।
ଟିମ୍ର ଶୀର୍ଷକ୍ରମ ବିଫଳ ହୋଇଥିଲା । ଅଧିନାୟକ ରୋହିତ ଶର୍ମା ଓ ଶିଖର ଧାବନ୍ଙ୍କ ଓପନିଂ ଯୋଡ଼ି ୨୩ ରନ୍ରେ ଭାଙ୍ଗିଥିଲା । ଧାବନ୍ ୭ ରନ୍ କରି ମେହଦୀଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ଶାକିବ୍ ଗୋଟିଏ ଓଭର୍ରେ ରୋହିତ (୨୭) ଓ ବିରାଟ କୋହଲି (୯)ଙ୍କୁ ପାଭିଲିଅନ୍ ପଠାଇଥିଲେ ।
୪୯ ରନ୍ ମଧ୍ୟରେ ୩ ୱିକେଟ୍ ପଡ଼ିଥିଲା । ଏହାପରେ ଶ୍ରେୟାସ ଆୟର ଓ ରାହୁଲ ମିଶି ଚତୁର୍ଥ ୱିକେଟ୍ ପାଇଁ ୪୨ ରନ୍ ଯୋଗ କରିଥିଲେ । ଶ୍ରେୟାସ ୨୪ ରନ୍ କରି ଇବାଦତ ହୋସେନ୍ଙ୍କ ଶିକାର ହୋଇଥିଲେ । ରାହୁଲ ପଞ୍ଚମ ୱିକେଟ୍ ପାଇଁ ସୁନ୍ଦରଙ୍କ ସହ ମିଶି ୬୦ ରନ୍ର ଭାଗୀଦାରୀ କରିଥିଲେ । ତେବେ ଏହି ଯୋଡ଼ି ଭାଙ୍ଗିବା ସହ ବିପର୍ଯ୍ୟୟ ମାଡ଼ି ଆସିଥିଲା । ସୁନ୍ଦର ୧୯ ରନ୍ କରି ଶାକିବ୍ଙ୍କ ତୃତୀୟ ଶିକାର ହୋଇଥିବା ବେଳେ ଶାହବାଜ ଅହମଦ (୦), ଶାର୍ଦ୍ଦୂଳ (୨), ଦୀପକ (୦) ସମ୍ପୂର୍ଣ୍ଣ ନିରାଶ କରିଥିଲେ । ଶାହବାଜ, ଇବାଦତଙ୍କ ବଲ୍ରେ ଏବଂ ଶାର୍ଦ୍ଦୂଳ ଓ ଦୀପକ, ଶାକିବ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ରାହୁଲ ନବମ ବ୍ୟାଟର୍ ଭାବେ ପାଭିଲିଅନ୍ ଫେରିଥିଲେ । ମହମ୍ମଦ ସିରାଜ ୯ ରନ୍ କରି ଇବାଦତଙ୍କ ଚତୁର୍ଥ ଶିକାର ହୋଇଥିଲେ ।
ଶାକିବ୍ ୩୬ ରନ୍ ଦେଇ ୫, ଇବାଦତ ୪୭ ରନ୍ ଦେଇ ୪ ଏବଂ ମେହଦୀ ଗୋଟିଏ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *