୧୦ମ କ୍ୱାର୍ଟରରେ ଆର୍ଜେଣ୍ଟିନା
ଫିଫା ବିଶ୍ୱକପ୍ ଅନ୍ତିମ-୧୬ ରାଉଣ୍ଡ
ଅଲ୍ ରୟାନ୍ (କତର), ୪ା୧୨ (ଏଜେନ୍ସି): ଫିଫା ବିଶ୍ୱକପ୍ ୨୦୨୨ର ଦ୍ୱିତୀୟ ପ୍ରି-କ୍ୱାର୍ଟର୍ଫାଇନାଲ୍ରେ ଆର୍ଜେଣ୍ଟିନା ୨-୧ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହି ବିଜୟ ସହ ଲିଓନେଲ୍ ମେସୀଙ୍କ ଟିମ୍ ୧୦ମ ଥର କ୍ୱାର୍ଟର୍-ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିଛି, ଯେଉଁଠି ନେଦରଲାଣ୍ଡ୍ସ ସହ ଡିସେମ୍ବର ୯ରେ ତା’ର ମୁକାବିଲା ହେବ ।
ଅହମଦ ବିନ୍ ଅଲୀ ଷ୍ଟାଡିୟମ୍ରେ ଅଧିନାୟକ ମେସୀ ନିଜର ୧୦୦୦ତମ ମ୍ୟାଚ୍ରେ ଗୋଟିଏ ଗୋଲ୍ ଦେଇଥିଲେ ଏବଂ ଟିମ୍ର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ମ୍ୟାଚ୍ର ୩୫ତମ ମିନିଟ୍ରେ ମେସୀ ଚମକ୍ପ୍ରଦ ଗୋଲ୍ କରି ଆର୍ଜେଣ୍ଟିନାକୁ ୧-୦ରେ ଅଗ୍ରଣୀ କରିଥିଲେ । ଏହା ତାଙ୍କ କ୍ୟାରିଅରର ୭୮୯ତମ ଗୋଲ୍ ଥିଲା । ଦ୍ୱିତୀୟାର୍ଦ୍ଧରେ ୫୭ତମ ମିନିଟ୍ରେ ଜୁଲିଅନ୍ ଅଲ୍ଭାରେଜ୍ ଗୋଲ୍ କରି ଟିମ୍ର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ ।
ମେସୀ ବିଶ୍ୱକପ୍ର ଗୋଲ୍ ସ୍କୋରର୍ ତାଲିକାରେ ପର୍ତ୍ତୁଗାଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପଛରେ ପକାଇଥିଲେ । ଏହା ତାଙ୍କର ନବମ ବିଶ୍ୱକପ୍ ଗୋଲ୍ ଥିଲା ଯେତେବେଳେକି ଟୁର୍ଣ୍ଣାମେଣ୍ଟର ତୃତୀୟ ଗୋଲ୍ । ରୋନାଲ୍ଡୋ ବିଶ୍ୱକପ୍ରେ ଏ ଯାବତ ଆଠଟି ଗୋଲ୍ ଦେଇଛନ୍ତି । ଏହାଛଡ଼ା ମେସୀ ପ୍ରଥମ ଥର ବିଶ୍ୱକପ୍ର ନକ୍ଆଉଟ୍ରେ ଗୋଲ୍ ଦେବାରେ ସଫଳ ହୋଇଛନ୍ତି ।
ଅଷ୍ଟ୍ରେଲିଆ ୭୭ତମ ମିନିଟ୍ରେ ମ୍ୟାଚ୍ର ପ୍ରଥମ ଗୋଲ୍ କରିଥିଲା । ଟିମ୍ର ଖେଳାଳି କ୍ରେଗ୍ ଗୁଡୱିନ୍ ଆର୍ଜେଣ୍ଟିନାର ପେନାଲ୍ଟି ବକ୍ସରେ ସଟ୍ ମାରିଥିଲା । ବଲ୍ ବକ୍ସରେ ଛିଡ଼ା ହୋଇଥିବା ଆର୍ଜେଣ୍ଟିନାର ଆଞ୍ଜୋ ଫର୍ଣ୍ଣାଣ୍ଡିସ୍ଙ୍କ ଦେହରେ ବାଜି ଗୋଲ୍ପୋଷ୍ଟକୁ ଚାଲିଯାଇଥିଲା । ଏହିଭଳି ଫର୍ଣ୍ଣାଣ୍ଡିସ୍ ଆତ୍ମଘାତୀ ଗୋଲ୍ କରି ଅଷ୍ଟ୍ରେଲିଆର ଆଶା ଉଜ୍ଜୀବିତ କରିଥିଲେ ।
ଏନ୍ଜୁରୀ ଟାଇମ୍ର ଶେଷରେ ଅଷ୍ଟ୍ରେଲିଆକୁ ଗୋଲ୍ କରିବା ପାଇଁ ଆଉ ଏକ ସୁଯୋଗ ମିଳିଥିଲା । କିନ୍ତୁ ଆର୍ଜେଣ୍ଟିନାର ଗୋଲ୍କିପର୍ ଏମି ମାର୍ଟିନେଜ୍ ଏହାକୁ ଅଟକାଇ ଦେଇଥିଲେ ।
ଆଠ ବର୍ଷ ପରେ କ୍ୱାର୍ଟରରେ ମେସୀଙ୍କ ଟିମ୍
ଆର୍ଜେଣ୍ଟିନା ଆଠ ବର୍ଷ ପରେ ବିଶ୍ୱକପ୍ର କ୍ୱାର୍ଟର୍-ଫାଇନାଲ୍ରେ ପହଞ୍ଚିଛି । ଏହା ପୂର୍ବରୁ ଟିମ୍ ୨୦୧୪ ସଂସ୍କରଣର ଫାଇନାଲ୍ ଯାଏଁ ଯାଇଥିଲା । ୨୦୧୮ରେ ମେସୀଙ୍କ ଟିମ୍ ଫ୍ରାନ୍ସ ଠାରୁ ପ୍ରି-କ୍ୱାର୍ଟର୍ଫାଇନାଲ୍ରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଥିଲା ।