ଏମ୍ସିଡି ନିର୍ବାଚନରେ ୫ଠ% ଭୋଟିଂ

ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଳୀ ନଗରନିଗମ (ଏମ୍ସିଡି)ର ସମସ୍ତ ୨୫ଠ ୱାର୍ଡ ପାଇଁ ରବିବାର ଭୋଟ୍ ଗ୍ରହଣ କରାଯାଇଛି । ସକାଳ ୮ରୁ ସନ୍ଧ୍ୟା ୫.୩ଠ ଯାଏ ମତଗ୍ରହଣ ପ୍ରକ୍ରିୟା ଜାରି ରହିଥିଲା । ତେବେ ୫.୩ଠ ସୁଦ୍ଧା ୫ଠ% ଭୋଟିଂ ହୋଇଥିବା କୁହାଯାଉଛି । ତେବେ ୨ଠ୧୭ ନଗରନିଗମ ନିର୍ବାଚନରେ ମୋଟ୍ ୫୩% ଭୋଟିଂ ହୋଇଥିଲା । ଅର୍ଥାତ୍ ଚଳିତ ଥର ପୂର୍ବ ନିର୍ବାଚନ ତୁଳନାରେ ୩% କମ୍ ଭୋଟିଂ ହୋଇଛି । ସୂଚନାଯୋଗ୍ୟ ଦିଲ୍ଲୀ ନଗର ନିଗମ ନିର୍ବାଚନ ଫଳାଫଳ ଆସନ୍ତା ୭ ତାରିଖରେ ଘୋଷଣା କରାଯିବ । ଏଥିପାଇଁ ୪୨ଟି ସ୍ଥାନରେ କଡା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗ୍ ରୁମ୍ ବ୍ୟବସ୍ଥା କରାଯାଇଛି ।
ଚଳିତ ଏମ୍ସିଡି ନିର୍ବାଚନରେ ମୋଟ୍ ୧୩୪୯ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ସେହିପରି ପ୍ରାୟ ୧.୫ କୋଟି ଭୋଟର ନିଜ ମତ ସାବ୍ୟସ୍ତ କରିବାକୁ ଥିବା ବେଳେ ମାତ୍ର ୫ଠ% ଭୋଟିଂ ହୋଇଛି । ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ କରିବା ପାଇଁ ପ୍ରାୟ ୪ଠ ହଜାର ପୁଲିସ୍ କର୍ମଚାରୀ ଏବଂ ୨ଠ ହଜାର ହୋମଗାର୍ଡ ନିୟୋଜିତ ହୋଇଥିଲେ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଦିଲ୍ଲୀରେ ରହୁଥିବା ଅନେକ କେନ୍ଦ୍ରୀୟ ନେତା ଓ ମନ୍ତ୍ରୀମାନେ ନିଜ ପରିବାର ସହ ଭୋଟ୍କେନ୍ଦ୍ରକୁ ଯାଇ ଲାଇନ୍ରେ ଛିଡା ହେବା ପୂର୍ବକ ମତଦାନ କରିଛନ୍ତି ।
ନଗର ନିଗମ ନିର୍ବାଚନରେ ମୋଟ୍ ୧କୋଟି ୪୫ଲକ୍ଷ ଭୋଟର ନିଜର ମତ ସାବ୍ୟସ୍ତ କରିବେ ୟ ଚଳିତ ଏମ୍ସିଡି ନିର୍ବାଚନରେ ଭୋଟ୍ ଦେଇଥିବା ଭୋଟରଙ୍କ ମଧ୍ୟରେ ୧ଠଠ ବର୍ଷରୁ ଅଧିକ ବୟସ୍କ ୨୨୯ଜଣ ଭୋଟର ରହିଥିବା ବେଳେ ୮ଠ ବର୍ଷରୁ ୧ଠଠ ବର୍ଷ ମଧ୍ୟରେ ୧ଲକ୍ଷ ୪ହଜାର ୩ଠ୧ ଜଣ ମତଦାତା ରହିଛନ୍ତି । ସେହିପରି ପ୍ରଥମ ଥର ପାଇଁ ପ୍ରାୟ ୯୫ ହଜାର ୪୫୮ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି । ନିର୍ବାଚନ ପୂର୍ବରୁ ଆୟୋଗ ଦେଇଥିବା ସୂଚନାନୁସାରେ ଏମ୍ସିଡି ନିର୍ବାଚନ ପାଇଁ ସ୍ଥାନିତ କରାଯାଇଥିବା ମୋଟ୍ ୩୩୬ଠ ପୋଲିଂ ଷ୍ଟେସନ ମଧ୍ୟରୁ ୪୯୨ଟି ସମ୍ବେଦନଶୀଳ ବୁଥ୍ ନିହ୍ନଟ କରାଯାଇଛି । ସେହିପରି ୬୮ଟି ମଡେଲ ବୁଥ୍ ଓ ମହିଳାଙ୍କ ପାଇଁ ୬୮ଟି ପିଙ୍କ୍ ବୁଥ୍ ପ୍ରସ୍ତୁତ କରାଯାଇଛି ।
ସୂଚନାଯୋଗ୍ୟ, ଚଳିତ ଏମ୍ସିଡି ନିର୍ବାଚନରେ ଶାସକ ଦଳ ଆମ୍ ଆଦ୍ମୀ ପାର୍ଟି (ଆପ୍), ବିଜେପି ଓ କଂଗ୍ରେସ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ଅନୁମାନ କରାଯାଉଛି । ବିଜେପି ନିଜର ଗଡ଼ ବଞ୍ଚାଇକୁ ଜୋରଦାର ଉଦ୍ୟମ କରିଥିବା ବେଳେ ଆପ୍ ମଧ୍ୟ ଏଥର ଇତିହାସ ସୃଷ୍ଟି ଲକ୍ଷ୍ୟରେ ରହିଛି । ପ୍ରକାଶ, ୨ଠ୧୭ରେ ବିଜେପି ସମୁଦାୟ ୨୭ଠ ୱାର୍ଡ ମଧ୍ୟରୁ ୧୮୧ ୱାର୍ଡରେ ବିଜୟ ଲାଭ କରିଥିଲା । ଆପ୍କୁ ୪୮ଟି ଓ କଂଗ୍ରେସକୁ ମାତ୍ର ୨୭ ୱାର୍ଡରେ ସନ୍ତୁଷ୍ଟ ରହିବାକୁ ହୋଇଥିଲା । ଏସବୁ ମଧ୍ୟରେ ଉଭୟ ବିଜେପି ଏବଂ ଆପ୍ ପକ୍ଷରୁ ଭୋଟର ତାଲିକାରେ ଅନେକ ଯୋଗ୍ୟ ଭୋଟରଙ୍କ ନାମ ନଥିବାରୁ ସେମାନେ ଭୋଟ୍ ଦେଇପାରିନଥିବା ଅଭିଯୋଗ କରାଯାଇଛି । ତେବେ ଦିଲ୍ଲୀ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛି ଯେ, କେନ୍ଦ୍ର ନିର୍ବାଚନ ଆୟୋଗ ପକ୍ଷରୁ ଦିଆଯାଇଥିବା ଭୋଟର ତାଲିକା ଅନୁସାରେ ନିର୍ବାଚନ କରାଯାଇଛି । ତାଲିକାରେ ଯଦି କୌଣସି ବ୍ୟକ୍ତିବିଶେଷଙ୍କ ନାମ କଟିବା କିମ୍ବା ଯୋଡାଯିବା ସମ୍ପର୍କରେ ଦିଲ୍ଲୀ ନିର୍ବାଚନ ଆୟୋଗଙ୍କ କୌଣସି ଲେନ୍ ଦେନ୍ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *