ପେପର୍ଲେସ୍ ହେବ ଏମ୍ସ୍

ଭୁବନେଶ୍ୱର (ବୁ୍ୟରୋ): ଆସନ୍ତା ବର୍ଷରୁ ସମ୍ପୂର୍ଣ୍ଣ ପେପରଲେସ୍ ହେବ ଭୁବନେଶ୍ୱର ଏମ୍ସ । ଫଳତଃ ଚିକିତ୍ସା ସମ୍ପର୍କିତ ସମସ୍ତ ପଞ୍ଜିକରଣ ବ୍ୟବସ୍ଥାରେ ସୁଧାର ହେବ । ଏମ୍ସରେ ପ୍ରତ୍ୟେକ ଦିନ ୧୦ ହଜାରରୁ ଅଧିକ ରୋଗୀଙ୍କ ଭିଡ଼ ଲାଗୁଥିବାରୁ ଖୁବଶୀଘ୍ର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାୱାର । ରବିବାର ସେ ଏମ୍ସ ଗସ୍ତରେ ଆସି ସ୍ଥିତି ଦେଖିବା ସହ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଶେଷକରି ଗୁରୁତର ରୋଗୀଙ୍କୁ ଏମ୍ସରେ ଚିକିତ୍ସା ପାଇଁ ଗୁରୁତ୍ୱ ଦିଆଯିବ । ବିଭିନ୍ନ ହସ୍ପିଟାଲରୁ ସାଧାରଣ ରୋଗୀଙ୍କୁ ମଧ୍ୟ ଏମ୍ସ ରେଫର କରାଯାଉଛି । ତେବେ ସାଧାରଣ ରୋଗୀଙ୍କୁ ନ ପଠାଇବାକୁ ସବୁ ହସ୍ପିଟାଲ ସହ ଆଲୋଚନା କରାଯିବ ।
ଏ ଅବସରରେ ସେ ଆୟୁଷ୍ମାନ ଯୋଜନା ପ୍ରସଙ୍ଗ ଉଠାଇବା ସହ କହିଛନ୍ତି, ଲୋକଙ୍କ ସୁବିଧା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ଏହା ଦ୍ୱାରା ଗରିବ ଲୋକେ ୫ ଲକ୍ଷ ଟଙ୍କା ବୀମାର ସୁବିଧା ପାଇବେ । କେନ୍ଦ୍ର ସରକାର ଏମ୍ସର ଉନ୍ନତିକରଣ ନିମନ୍ତେ ଗୁରୁତ୍ୱ ଦେଉଛନ୍ତି । ଖୁବ୍ଶୀଘ୍ର ଏଠାରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଓ ସାଟେଲାଇଟ ସେଣ୍ଟର ହେବାକୁ ଯାଉଛି । ରୋଗୀ ଓ ରୋଗୀଙ୍କ ସମ୍ପର୍କିୟ ରହଣି ନିମନ୍ତେ ବିଶ୍ରାମ କେନ୍ଦ୍ର ହେବାକୁ ଯାଉଛି । ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରୁ ରୋଗୀ ଭୁବନେଶ୍ୱର ଆସୁଥିବାରୁ ଏଠାରେ ଭାର ବୁଥିବାରୁ ଏହାକୁ କମାଇବାକୁ କ’ଣ ପଦକ୍ଷେପ ନିଆଯିବ ବୋଲି ପଚାରିବାରୁ ସେ କହିଛନ୍ତି, କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ଗୋଟିଏ ଲେଖାଏଁ ଏମ୍ସ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଖୁବ୍ଶୀଘ୍ର ଦେଶରେ ୨୨ ଏମ୍ସ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଛି । ଗସ୍ତ ବେଳେ ସେ ଏମ୍ସ ଭିତରେ ବହୁ ଉପଯୋଗୀ ଭବନର ଲୋକାର୍ପଣ କରିଥିଲେ । ପୂର୍ବ ବର୍ଷ କେନ୍ଦ୍ର ସରକାର ୫୧୦ କୋଟି ଦେଇଥିଲେ, ଏହି ବର୍ଷ ୬୩୫ କୋଟି ଦେଇଛନ୍ତି । ଭୁବନେଶ୍ୱର ଏମ୍ସରେ ଭଲ କାର୍ଯ୍ୟ ଚାଲୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *