୧ଠ.୪୮ ଲକ୍ଷ କୋଟିର ନିବେଶ ଆଗ୍ରହ
ସରିଲା ମେକ୍ ଇନ୍ ଓଡ଼ିଶା କନ୍କ୍ଳେଭ୍ ୨ଠ୨୨
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶାରେ ନିବେଶ କରିବା ପାଇଁ ନିବେଶକ ଆଗ୍ରହ ପ୍ରକାଶ କରୁଛନ୍ତି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ନିବେଶ ପାଇଁ ଆଗ୍ରହ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ର ଉଦ୍ୟାପନୀ ସନ୍ଧ୍ୟାରେ ଶନିବାର ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୧ଠ ଲକ୍ଷ ୩୭ ହଜାର ୭୦୧ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି ହେବା ନେଇ ଆଶା କରାଯାଉଛି । ସେହିପରି ୭୪୧ ପ୍ରସ୍ତାବ ଆସିଛି । ଏହି କନକ୍ଲେଭ ଉଭୟ ନିବେଶକ ଓ ରାଜ୍ୟ ପାଇଁ ୱିନ ୱିନ ସିଚୁଏସନ୍ ଆଣିବ । ନିବେଶକଙ୍କ ଲାଗି ଆମେ ଆବଶ୍ୟକସ୍ଥଳେ ଅଧିକ କାର୍ଯ୍ୟ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଉଦଯାପନୀ ଅବସରରେ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତା’ ସହ ବୃହତ ଶିଳ୍ପ କ୍ଷେତ୍ରରେ ସର୍ବୋତ୍ତମ ସଂସ୍ଥା ଭାବେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଗ୍ରୁପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଥିଲେ । ସେହିଭଳି ପିଏସୟୁ ବେଷ୍ଟ୍ ଷ୍ଟଲ ଭାବେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼କୁ ଏବଂ ବେଷ୍ଟ ଡିପାର୍ଟମେଣ୍ଟ ପାଭିଲିଅନ ବିଭାଗରେ ମିଶନ ଶକ୍ତି ଏବଂ ସ୍କିଲଡ଼ ଇନ ଓଡିଶାକୁ ପୁରସ୍କାର ଦିଆଯାଇଥିଲାୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶାର ୫୭ ଜଣ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ୧୬ ଜଣ ମହିଳା ଉଦ୍ୟୋଗୀ, ୨୩ ଜଣ କୃଷି ଓ ଖାଦ୍ୟ ସଂପର୍କୀତ ଉଦ୍ୟୋଗ, ୧୧ଟି ପ୍ଲାଷ୍ଟିକ ଶିଳ୍ପ ଏବଂ ୫ଟି ଡାଉନ୍ଷ୍ଟ୍ରିମ ଇଣ୍ଡଷ୍ଟ୍ରି ରହିଛି ।
ସୂଚନାଯୋଗ୍ୟ, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ୩ୟ ସଂସ୍କରଣ ଗତ ୩୦ ତାରିଖରେ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କନ୍କ୍ଲେଭ୍କୁ ଉଦ୍ଘାଟନ କରିଥିଲେ । ଚତୁର୍ଥ ଦିନରେ ଏହି କନ୍କ୍ଲେଭ୍ ଶେଷ ହୋଇଥିଲେ ବି ଆସନ୍ତାକାଲି (ରବିବାର) ପର୍ଯ୍ୟନ୍ତ ପ୍ରଦର୍ଶନୀ ଓ ଫୁଡ କୋର୍ଟ ଖୋଲା ରହିବ । ଅର୍ଥାତ ସାଧାରଣ ଜନତା ଜନତା ମଇଦାନକୁ ଯାଇ ପ୍ରଦର୍ଶନୀ ବୁଲିପାରିବେ ।
ମେକ୍ ଇନ୍ ଓଡିଶା ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ମହିଳାଙ୍କୁ ମଜଭୂତ କରିବା ଆମ ଲକ୍ଷ୍ୟ । ବିନା ମହିଳା ଶକ୍ତିରେ କୌଣସି ପରିବାର, ସମାଜ, ରାଜ୍ୟ କିମ୍ବା ରାଷ୍ଟ୍ର କେବେ ବି ଆଗେଇ ଯିବାର ନଜିର ନାହିଁ । ଓଡ଼ିଶାରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର ଏସଏଚଜିଙ୍କୁ ରୂପାନ୍ତର କରିବାକୁ ଲକ୍ଷ୍ୟ ରଖିଛି । ଏଥିଲାଗି ଆମେ ସବୁକିଛି କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତି ମା’ଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଘୋଷଣା କରିଥିଲି । ଏହାଦ୍ୱାରା ଓଡ଼ିଶାର ଲକ୍ଷ ଲକ୍ଷ ମା’ ଉପକୃତ ହେବେ ।
ଆସନ୍ତା ୫ ବର୍ଷରେ ଏସଏଚଜିଙ୍କଠୁ ୫ ହଜାର କୋଟି ଟଙ୍କା ସେବା ଓ ସାମଗ୍ରୀ ପାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆୟୋଜିତ ଏସଏଚଜି ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ବର୍ତ୍ତମାନ ସାରା ରାଜ୍ୟରେ ୭୦ ଲକ୍ଷ ସଶକ୍ତ ମହିଳା ସୃଷ୍ଟି ହୋଇଛନ୍ତି । ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ମେଗା ବିଜନେସ ସମିଟ ମେକ୍ ଇନ୍ ଓଡ଼ିଶା କଲକ୍ଲେଭର ମିଶନ ଶକ୍ତି ପକ୍ଷରୁ ରାଜ୍ୟର ୩ହଜାରରୁ ଅଧିକ ଏସଏଚଜିଙ୍କୁ ନେଇ ଶକ୍ତି ସମାବେଶ ହୋଇଛି ।
ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ୱ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋର ଦୃଢ ବିଶ୍ୱାସ, ମା’ଙ୍କୁ ସଶକ୍ତ ନ କରି, କୌଣସି ପରିବାର, କୌଣସି ସାମାଜ, କୌଣସି ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ । ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମିଶନ ଶକ୍ତି ଫେଡେରେସନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମ ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ୱତନ୍ତ୍ର ଅଫିସ ଘର ମଧ୍ୟ କରାଯିବ । ମହିଳାଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ୩୦ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, ଟକ୍ଟ୍ର ଉନ୍ମୋଚନ କରିଥିଲେ । କଟକ ମା ତାରେଣୀ ଏସଏଚଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡା ବନଦୁର୍ଗା ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଛନ୍ତି ନବୀନ । ସେହିପରି ଏସଏଚଜି ମାନଙ୍କୁ ଋଣ ଦେବା ଭଳି ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଛନ୍ତି ।