ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଝରଣାଙ୍କ ଶେଷକୃତ୍ୟ

ଗୋରାକବରରେ ଭାବବିହ୍ୱଳ ପରିବେଶ
କଟକ (ବୁ୍ୟରୋ): ଓଲିଉଡ୍ର ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ ଶନିବାର ଅପରାହ୍ଣରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଖ୍ରୀଷ୍ଟ୍ରୀୟ ପରମ୍ପରା ଅନୁଯାୟୀ ଗୋରାକବରରେ ସମ୍ପନ୍ନ ହୋଇଛି । ଶତାଧିକ ପ୍ରଶଂସକ, ଆତ୍ମୀୟସ୍ୱଜନ, ପ୍ରଶାସନିକ ଅଧିକାରୀ, କଳାକାର, ସାଧାରଣ ଜନତା ଶ୍ମଶାନରେ ଉପସ୍ଥିତ ରହି ପ୍ରିୟ ଅଭିନେତ୍ରୀଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ଼ ଅଫ୍ ଅନର ପ୍ରଦାନ ସହିତ ଚର୍ଚ୍ଚ ଅଫ୍ ଗଡ୍ରେ ତାଙ୍କୁ କବର ଦିଆଯାଇଛି ।
ବର୍ଷିୟସୀ ଅଭିନେତ୍ରୀ ଝରଣା ଦାସଙ୍କ ପାର୍ଥିବ ଶରୀର ଚଣ୍ଡୀ ରୋଡ୍ ଖ୍ରୀଷ୍ଟିଆନ ସାହି ବାସଭବନରୁ ଶେଭାଯାତ୍ରାରେ ନିଆଯାଇ ସହର ପରିକ୍ରମା କରାଯାଇଥିଲା । ଏକଦା ତାଙ୍କ ପ୍ରିୟ ସ୍ଥାନ ଥିବା ଶୈଳବାଳା ମହିଳା ମହାବିଦ୍ୟାଳୟ, ବକଲି ଗାର୍ଲ ସ୍କୁଲ, କଟକ ଆକାଶବାଣୀ କେନ୍ଦ୍ର ଇତ୍ୟାଦି ଅଞ୍ଚଳ ଦେଇ ଶୋଭାଯାତ୍ରା ପରିକ୍ରମା କରିବା ପରେ କବରସ୍ଥାନରେ ପହଞ୍ଚିଥିଲା । ଅନ୍ତିମ ବିଦାୟ ବେଳେ ଭାବବିହ୍ୱଳ ହୋଇପଡ଼ିଥିଲା ପୁରା ପରିବେଶ । ଗୋରାକବରଠାରେ ଜିଲ୍ଲାପାଳ ଭବାନୀଶଙ୍କର ଚୟନି, ଆଡିସିନାଲ ଡିସିପି ଅନୀଳ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଆଗଧାଡ଼ିର ଅଭିନେତ୍ରୀ ଝରଣା ଦାସଙ୍କର ଗୁରୁବାର ରାତି ପ୍ରାୟ ୨.୩୦ରେ ୮୨ ବର୍ଷ ବୟସରେ ପରଲୋକ ଘଟିଥିଲା । ୧୯୪୦ ନଭେମ୍ବର ୨୧ରେ ଜନ୍ମଗ୍ରହଣ କରିଥିବା ଝରଣା ଦାସ ଓଡ଼ିଆ ଫିଲ୍ମ ଜଗତରେ ଏକ ଜଣାଶୁଣା ନାଁ ଥିଲେ । କଳାଧଳା ଫିଲ୍ମଠାରୁ ଆରମ୍ଭ କରି ରଙ୍ଗୀନ ଫିଲ୍ମ ପର୍ଯ୍ୟନ୍ତ ଅଭିନୟ ଯାଦୁରେ ସେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ଫିଲ୍ମ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *