ପେଲେଙ୍କ ଅଙ୍ଗ ଅଚଳ
ବ୍ରାସିଲିଆ, ୩ା୧୨: ଫିଫା ବିଶ୍ୱକପ୍ ଚାଲିଥିବା ବେଳେ ଏକ ଦୁଃଖଦ ଖବର ଆସିଛି । ବିଗତ ଦିନର ଫୁଟବଲ୍ ଦିଗ୍ଗଜ ପେଲେଙ୍କ ଅଙ୍ଗପ୍ରତ୍ୟଙ୍ଗ କାମ କରୁନାହିଁ । କ୍ୟାନ୍ସର ପୀଡ଼ିତ ୮୨ ବର୍ଷିୟ ପେଲେଙ୍କ ଶରୀରରେ କେମୋଥେରାପି ପ୍ରଭାବହୀନ ହୋଇଛି । ଏହି କାରଣରୁ ତାଙ୍କୁ ପାଲିଏଟିଭ୍ ବା ଏଣ୍ଡ-ଅଫ୍-ଲାଇଫ୍ କେୟାରରେ ରଖାଯାଇଛି । ସାଧାରଣତଃ ମରଣାପନ୍ନ ଅବସ୍ଥାରେ ଥିବା ରୋଗୀଙ୍କୁ ପାଲିଏଟିଭ୍ କେୟାର୍ରେ ରଖାଯାଇଥାଏ ।
ତିନିଥର ବିଶ୍ୱକପ୍ ଜିତିଥିବା ଫୁଟବଲ୍ ଆଇକନ୍ ପେଲେ ଅନେକ ଦିନ ହେଲା କ୍ୟାନ୍ସରରେ ପୀଡ଼ିତ । ୨୦୨୧ ସେପ୍ଟେମ୍ବରରୁ ସେ କେମୋଥେରାପି ଚିକିତ୍ସାରେ ଥିଲେ । ତାଙ୍କ ଅନ୍ତ୍ରରୁ ଗୋଟିଏ ଟୁ୍ୟମର ହଟାଇବା ପାଇଁ ଗତ ବର୍ଷ ଅପରେସନ୍ କରାଯାଇଥିଲା । କିଛିମାସ ପୂର୍ବେ କ୍ୟାନ୍ସର ସେଲ୍ ଗୁଡ଼ିକ ତାଙ୍କ ଫୁସ୍ଫୁସ୍ ଓ ଯକୃତ ପର୍ଯ୍ୟନ୍ତ ବ୍ୟାପିଥିବା ଜଣାପଡ଼ିଥିଲା । ଗତ ସପ୍ତାହରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସାଓ ପାଉଲୋ ସ୍ଥିତ ଇସ୍ରାଏଲିଟା ଆଲ୍ବର୍ଟ ଆଇନଷ୍ଟାଇନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ହସ୍ପିଟାଲ ଦ୍ୱାରା ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ପେଲେଙ୍କ ଶ୍ୱାସନଳୀରେ ସଂକ୍ରମଣ ହୋଇଥିବାରୁ ଏବେ ଆଣ୍ଟିବାୟୋଟିକ୍ ଔଷଧ ପ୍ରୟୋଗ କରାଯିବା ସହ ପେନ୍କିଲର ଦିଆଯାଉଛି ।