ଗଛରେ ପିଟିହେଲା କାର୍, ୪ ମୃତ
ଡାବୁଗାଁ / ନବରଙ୍ଗପୁର, ୩ ।୧୨ (ଆପ୍ର): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସରାଗୁଡା ଛକ ନିକର ରାଜ୍ୟ ରାଜପଥ ୩୯ ଉପରେ ଶୁକ୍ରବାର ମଧ୍ୟରାତ୍ରିରେ ଏକ କାର୍ ରାସ୍ତାକଡ଼ ଗଛରେ ଖୁବ୍ ଜୋର୍ରେ ଧକ୍କା ଦେଇଛି । ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ସହ ଘଟଣାସ୍ଥଳରେ ୩ ଜଣଙ୍କ ମୃତୁ୍ୟ ଘଟିଛି । ମୃତ ଓ ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା । କୋରାପୁଟ ଲକ୍ଷ୍ମଣନାୟକ ମେଡିକାଲ କଲେଜକୁ ପଠାଯାଇଥିବା ବେଳେ ସେଠାରେ ଅନସର ଖାନ୍ଙ୍କର ମୃତୁ୍ୟ ଘଟିଥିବା ଜଣାଯାଇଛି । ସାକିବ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ସେଠାରେ ତା’ର ଚିକିତ୍ସା ଜାରି ରହିଛି । କାର୍ରେ ମୋଟ ୫ ଜଣ ଯାତ୍ରୀ ଥିଲେ ।
ସୂଚନା ଯୋଗ୍ୟ ନବରଙ୍ଗପୁରରୁ ଏକ କାର୍ ଓଡ଼ି-୧୦କେ- ୭୭୮୬ ଯୋଗେ ଗାଡ଼ି ଡ୍ରାଇଭର ନବରଙ୍ଗପୁରର ଗଡ଼ବାଗୁଡା ଗ୍ରାମର ଶେଖ ସଦାମ (୨୮), ରବୀନ ସେନ ହିଆଲ (୨୮), ସେନାପତି ସାହିର ସାଇଦାନ ବେନିଆ (୨୮), ପାପଡାହାଣ୍ଡି ବ୍ଲକ ପ୍ରାଧନିଗୁଡା ଗ୍ରାମର ଅନ୍ସର ଖାନ (୨୭) ଓ ପାପଡାହାଣ୍ଡିର ସାକିବ୍ ଖାନ (୨୫) କୌଣସି କାମରେ ଉମରକୋଟ ଅଭିମୁଖେ ଯାଉଥିଲେ । କିଏ ଜାଣିଥିଲା ଏହି ଯାତ୍ରା ଏମାନକଙ୍କ ଶେଷ ଯାତ୍ରା ହେବ । ଯାଉଥିବା ସମୟରେ ଡାବୁଗାଁ ଥାନା ଅଧୀନ ସରାଗୁଡା ଛକ ନିକଟ ରାଜ୍ୟରାଜପଥ ୩୯ ଉପରେ ଗାଡ଼ିଟି ଭାରଶ୍ୟାମ ହରାଇ ରାସ୍ତକଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା । ଫଳରେ ଗାଡ଼ିରେ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ଶେଖ ସଦାମ, ରବୀନସେନ ହିଆଲ ଓ ସାଇଦାନ ବେନିୟାଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିଲା । ଅନଶ୍ୱର ଖାନ ଓ ଶକ୍ତି ଖାନଙ୍କୁ ଗୁରୁତର ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ଚିକିତ୍ସାଳୟ ପରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଅନଶ୍ୱର ଖାନଙ୍କ ମୃତୁ୍ୟ ଘଟିଥିଲା । ଏନେଇ ଡାବୁଗାଁ ଥାନା ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣା ହୋଇଥିବା ଗାଡି ସହ ଶବ ଜବତ କରିଥିଲା । ପରେ ମୃତକଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଡାବୁଗାଁ ଥାନାରେ ୧୮୮/୨୨ ଏକ ମାମଲା ରୁଜୁକରି ତଦନ୍ତ ଚାଲିଥିବା ଡାବୁଗାଁ ଥାନା ପକ୍ଷରୁ ସୂଚନା ମିଳିଛି । ଦୁର୍ଘଟଣା ପରେ ନବରଙ୍ଗପୁରରେ ଶୋକର ଛାୟା ଖେଳିଯାଇଛି ।