ବ୍ରହ୍ମଗିରିରେ ୬ ପ୍ରକଳ୍ପର ଶିଳାନ୍ୟାସ

ପଞ୍ଚାୟତ ଭବନ ଓ କଲ୍ୟାଣ ମଣ୍ଡପର ଭିତ୍ତି ସ୍ଥାପନ କଲେ ପୂର୍ବତନ ମନ୍ତ୍ରୀ
ପୁରୀ/ବ୍ରହ୍ମଗିରି (ବୁ୍ୟରୋ): ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ବିଭିନ୍ନ ପଞ୍ଚାୟତବାସୀଙ୍କ ଦାବିପୂରଣ ହୋଇଛି । ସେମାନଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ସେଥିଲାଗି ଶନିବାର ବ୍ରହ୍ମଗିରି ବ୍ଲକ୍ ଘଟକୁଦୀ ପଞ୍ଚାୟତରେ ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ କରକମଳରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ପଞ୍ଚାୟତ ଭବନ ଓ ୩୫ ଲକ୍ଷ ବ୍ୟୟରେ କଲ୍ୟାଣ ମଣ୍ଡପ ଏବଂ ୫୬ ଲକ୍ଷ ଟଙ୍କା ବ୍ୟୟରେ ଘଟକୁଦୀ ସେତୁ ଛକରୁ ଚାଇଗେଣିଆ ଗ୍ରାମ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରତ୍ନଚିରା ଡାହାଣ ପାଶ୍ୱର୍ରାସ୍ତାର ଉନ୍ନତୀକରଣ ହେବ । ତତ୍ସହିତ ୪୩ ଲକ୍ଷ ଟଙ୍କା ବ୍ୟୟରେ କୃଷ୍ଣସରଣପୁର ଗ୍ରାମଠାରୁ ମା ଉତ୍ତରାୟଣୀ ପୀଠ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ଦ୍ୱାରା କୁରୁତ୍ତି କେନାଲ ଡାହାଣ ପାଶ୍ୱର୍ରାସ୍ତାର ଉନ୍ନତିକରଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
ଏହାସହିତ ମଧ୍ୟାହ୍ନରେ ରାଏବିଧାର ପଞ୍ଚାୟତକୁ ଶ୍ରୀ ଦାସବର୍ମା ଗସ୍ତ କରି ୯ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ପଞ୍ଚାୟତ ଭବନ ଓ ୧୦ ଲକ୍ଷ ଟଙ୍କା ବ୍ୟୟରେ ବ୍ୟାଙ୍କ ଗୃହ ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଫଳରେ ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଏଭଳି ପ୍ରୟାସକୁ ସ୍ଥାନୀୟ ପଞ୍ଚାୟତବାସୀ ପ୍ରଶଂସା କରିଛନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ, ଘଟକୁଦୀ ସରପଞ୍ଚ ଆଲୋକ କୁମାର ବିଶ୍ୱାଳ, ସମିତି ସଭ୍ୟ ରାକେଶ କୁମାର ଭଟ୍ଟ, ରାଏବିଧାର ସରପଞ୍ଚ କୁନିମଣି ଫାରକ ଓ ସମିତି ସଭ୍ୟ ପବିତ୍ର କୁମାର ମହାପାତ୍ରଙ୍କ ସମେତ ଦୁଇ ଗୋଟି ପଞ୍ଚାୟତର ବହୁ ବରିଷ୍ଠ ନେତା, କର୍ମୀ ଓ ପଞ୍ଚାୟତବାସୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *