ପଚାପାଣିରେ ଭାସୁଛି ଚକ୍ରତୀର୍ଥ ରାସ୍ତା

ଅଭାବନୀୟ ଦୃଶ୍ୟ
ପୁରୀ (ବୁ୍ୟରୋ): ଶୀ୍ରକ୍ଷେତ୍ରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପବିତ୍ର ପୁରୀ ଗର୍ବ ଆମରି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ତତ୍ସହିତ ପୁରୀବାସୀଙ୍କୁ ସଚେତନ କରାଯାଉଛି । ଏପରିକି ଏ ଯୋଜନାର ସଫଳ ରୂପାୟନ ପାଇଁ ସହରରେ ସ୍ୱଚ୍ଛ ସବାରିକୁ ନିୟୋଜିତ କରାଯାଇଛି । ପ୍ରତ୍ୟେକ ଦିନ ଭୋର୍ରୁ ଆରମ୍ଭ କରି ବିଳମ୍ବିତରାତି ପର୍ଯ୍ୟନ୍ତ ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ଗଳିକନ୍ଦିରୁ ସ୍ୱଚ୍ଛସବାରୀ ଅଳିଆ ସଂଗ୍ରହ କରୁଛି । ଏହି ଅଳିଆ ଦେଲେ ମଧ୍ୟପୌରପାଳିକା ୟୁଜର୍ସ ଫି’ ଆଦାୟ କରିବ ବୋଲି ଘୋଷଣା କରିଛି । କିନ୍ତୁ ଏହାରି ଭିତରେ ନିଜ କର୍ତ୍ତବ୍ୟ ଭୁଲିଯାଉଛି ପୁରୀ ପୌରପାଳିକା । ଚକ୍ରତୀର୍ଥ ରାସ୍ତାରେ ନଳା ପାଣି ରାସ୍ତାରେ ବହୁଥିବା ଘଟଣାକୁ ନେଇ ସହରରେ ସ୍ୱରେଜ ଯୋଜନା ଫେଲ୍ ମାରିଥିବା କୁହାଯାଉଛି ।
ଏହି ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ଏବଂ ଗାଡି ଚଳାଚଳ କରୁଥିବା ବେଳେ ଶୁକ୍ରବାର ସକାଳୁ ହୋଟେଲ ଶାନ୍ତି ପ୍ୟାଲେସ୍ ସମ୍ମୁଖସ୍ଥ ସ୍ୱରେଜ ଟାଙ୍କିରୁ ନଳାପାଣି ବାହାରି ରାସ୍ତା ଭାସିବା ଘଟଣାକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି । ନଳାପାଣିର ପୁତିଗନ୍ଧରେ ଦୀର୍ଘ ସମୟ ଧରି ରାସ୍ତାରେ ଯା’ଆସ ବନ୍ଦ ହୋଇଥିଲା । ଖାଲି ଏହି ରାସ୍ତା ନୁହେଁ ସହରର ଅନେକ ଗଳିରେ ନଳାପାଣି ଭାସୁଥିବା ବେଳେ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜର ରହୁନଥିବା ଦୃଢ଼ ଅଭିଯୋଗ ହେଉଛି । ସାହିରେ ରାସ୍ତା ଓ ନଳା ନିର୍ମାଣ ହୋଇଥିଲେ ମଧ୍ୟ ଡ୍ରେନ୍ରୁ ପାଣି ନିଷ୍କାସନ ହେବାକୁ ରାସ୍ତା ନାହିଁ । ଫଳରେ ନଳାପାଣିରେ ସାହି ରାସ୍ତା ଭାସୁଛି । ଦିନେ କି ଦୁଇଦିନ ନୁହେଁ ଦୀର୍ଘ ଦିନ ହେଲା ଏପରି ସମସ୍ୟା ଲାଗି ରହୁଥିବା ବେଳେ ଏହି ପାଣି ମାଡ଼ି ଘରୁ ଗୋଡ଼ କାଢ଼ିବାକୁ ଲୋକେ ଅମଙ୍ଗ ହେଉଛନ୍ତି । ଅନେକ ସାହି ବାସିନ୍ଦା ପୌରପାଳିକାରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଅନ୍ୟପକ୍ଷରେ ଉକ୍ତ ସାହିରୁ ବୟସ୍କ ଓ ଛୋଟ ପିଲାମାନେ ଯିବା ଆସିବା କରିବା ଦ୍ୱାରା ସେମାନେ ପଡ଼ି ଗୁରୁତର ହେଉଛନ୍ତି । ବିଶେଷ କରି ନଳା କାର୍ଯ୍ୟ ଦୀର୍ଘଦିନ ଧରି ଅଧପନ୍ତରିଆ ପଡ଼ି ରହିଥିବାରୁ ଏହି ସମସ୍ୟା ଉପୁଜିଥିବା ଜଣାପଡ଼ିଛି । ପଚାପାଣି ଦୁର୍ଗନ୍ଧରେ ସାହିବାସିନ୍ଦା ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ବେଳେ ବିଭିନ୍ନ ଗଳିକନ୍ଦିର ଲୋକ ନାନା ଚର୍ମରୋଗରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି । ଅଭିଯୋଗ ସତ୍ତ୍ୱେ ପ୍ରଶାସନ କୌଣସି କାର୍ଯ୍ୟା ନୁଷ୍ଠାନ ନ କରିବା ଅତ୍ୟନ୍ତ ପରିତାପ ଏବଂ ଦୁଃଖର ବିଷୟ ବୋଲି ସାହିବାସିନ୍ଦା ପ୍ରକାଶକରିଛନ୍ତି । ଅନ୍ୟପଟେ ପ୍ରଶାସନର ପବିତ୍ର ପୁରୀ ଗର୍ବ ଆମରି ଯୋଜନା ଫେଲ୍ ମାରିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *