୨୨ ବର୍ଷ ପରେ ବି ବିକାଶ ଶୂନ୍
ଭୁବନେଶ୍ୱର/ବରଗଡ଼ (ବୁ୍ୟରୋ): ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପୁଛି ପଦ୍ମପୁର ମଇଦାନ । ଗୋଟେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରୁଥିବାବେଳେ ଅନ୍ୟପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ପଦ୍ମପୁର ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଞ୍ଚଳରେ ଅପରାଜିତା ପ୍ରଚାର କରିଥିଲେ । ୨୦୦୧ରେ ବରଗଡ଼ ତତ୍କାଳୀନ ଜିଲ୍ଲାପାଳ ଥିଲେ ଅପରାଜିତା । ତେଣୁ ତାଙ୍କର ଏହି ପ୍ରଚାର ଦଳ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି । ପ୍ରଚାର ପାଇଁ ରେଳ ଯୋଗେ ପଦ୍ମପୁର ଗସ୍ତ କରିଥିଲେ ଅପରାଜିତା ।
ପ୍ରଚାରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ସେ ଜିଲ୍ଲାପାଳ ଥିଲାବେଳେ ପଦ୍ମପୁରକୁ ଜିଲ୍ଲା ଦାବି ଯଥାର୍ଥ ଥିବା ଅନୁଭବ କରିଥିଲେ । ୨୨ ବର୍ଷ ବିତିଗଲାଣି, ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା କଲେନାହିଁ । ନିକଟରେ ମୁଖ୍ୟମନ୍ତ୍ରୀ କହିଥିଲେ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କରାଯିବ । ହେଲେ କାଲି ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ଏହାକୁ ସଫା ସଫା ମନା କରିଛନ୍ତି । ପଦ୍ମପୁରକୁ ଜିଲ୍ଲା କରିବା ନେଇ ବର୍ତ୍ତମାନ କିଛି ପ୍ରସ୍ତାବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଆଉ କେତେ ଦିନ ଲୋକଙ୍କୁ ଭୁତାଇବେ । ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ବୁଝିବା ଦରକାର, ଲୋକଙ୍କ ପାଖକୁ ଆସିବା ଦରକାର । ଆମର ସେମିତି ମୁଖ୍ୟମନ୍ତ୍ରୀ ଦରକାର, ଯିଏ ଆମ କଥା ବୁଝୁଥିବେ । ମୁଖ୍ୟମନ୍ତ୍ରୀ ଆଜି ବାଧ୍ୟ ହୋଇ ଆସିଲେ, ସେ ଜାଣିଲେଣି ପଦ୍ମପୁର ହାତରୁ ଗଲାଣି ।
ଝିଅଟେ ବାହାହେଲା ପରେ ସେ ଶାଶୁଘରର ବୋହୂ କହିଛନ୍ତି ଅପରାଜିତା । ସେ କହିଛନ୍ତି, ବୋହୂ ଶାଶୁଘର ପାଇଁ କହିବ ନା ବାପଘର ପାଇଁ କହିବ? ମୁଁ ଏଠିକାର ବୋହୂ, ଏଇଠି ମୋ ଶାଶୁଘର, ମୋ ଶାଶୁଘର ମୋ ଘର । ଝିଅ ଶାଶୁଘରକୁ ଚାଲି ଯାଇଛି, ଆମକୁ ପୁଅକୁ ଜିତାଇବାର ଅଛି । ସେପଟେ ଉପନିର୍ବାଚନ ପ୍ରଚାର ବଢ଼ାଇଛି କଂଗ୍ରେସ । ଘରକୁ ଘର ବୁଲି ପସିସି ସଭାପତିଙ୍କ ସହ ପ୍ରଚାର କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ । କଂଗ୍ରେସ ଭୋଟ୍ ଏଠାରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଚର୍ଚ୍ଚା ହେଉଥିବାବେଳେ କ୍ୟାମ୍ପେନ୍କୁ କଂଗ୍ରେସ୍ ତୀବ୍ର କରିଥିବା ସତ୍ୟଭୂଷଣ କହିଛନ୍ତି ।