୮ ଦିନ ଚାଲିଲା ଶୀତ ଅଧିବେଶନ

ଭୁବନେଶ୍ୱର, ୨ା୧୨ (ବୁ୍ୟରୋ): ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତକାଳୀନ ଅଧିବେଶନ ଶେଷ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ବିଧାନସଭା ଶୀତକାଳୀନ ଅଧିବେଶନ ମାତ୍ର ମାତ୍ର ୮ ଦିନ ପାଇଁ ଚାଲି ପାରିଛି । ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନ ବନ୍ଦ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଥିଲେ । ଏହାକୁ ଶାସକ ଦଳ ବିଧାୟକମାନେ ସମର୍ଥନ ଜଣାଇଥିଲେ । ପରେ ବାଚସ୍ପତି ଶ୍ରୀ ଆରୁଖ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ । ଶୀତ ଅଧିବେଶନର ଶେଷ କାର୍ଯ୍ୟ ଦିବସରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିବେଶନରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହି ସମୟରେ ଗୃହରେ ବିଜେପିର ସଦସ୍ୟ ଅନୁପସ୍ଥିତ ରହିଥିଲେ ।
ଶେଷ ଦିନରେ ଗୃହ ସମ୍ପୂର୍ଣ୍ଣ ଅସ୍ୱାଭାବିକ ଥିବା ନଜରକୁ ଆସିଥିଲା । ଚାଷୀ ସମସ୍ୟାକୁ ନେଇ ବିଜେପି ବିଧାୟକଙ୍କ ହୋହଲ୍ଲା ଓ ହାତରେ ପୋଷ୍ଟର ଧରି ପୋଡିୟମ ତଳେ ନାରାବାଜି ଫଳରେ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଚାଷୀଙ୍କୁ ସହାୟତା ଲାଗି ୨ଶହ କୋଟିର ପ୍ୟାକେଜ ଘୋଷଣା ହୋଇଛି । ହେଲେ କେଉଁମାନେ ସହାୟତା ପାଇବେ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନି । ମନ୍ତ୍ରୀମାନେ ବିଧାନସଭାରେ କାଠ କଣ୍ଢେଇ ସାଜିଛନ୍ତି । ମନ୍ତ୍ରୀମାନେ କିଛି ଜାଣୁନାହାନ୍ତି, ଅଫିସର ଦେଉଥିବା ଚିଠାକୁ ବିଧାନସଭାରେ ମନ୍ତ୍ରୀମାନେ ଆସି ପଢ଼ୁଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ବାଚସ୍ପତିଙ୍କ ଉପରେ ଚାପ ପକାଯାଇ ଗୃହକୁ ବନ୍ଦ କରିବା ପାଇଁ ଶାସକ ଦଳ ଚକ୍ରାନ୍ତ ଚଳାଇଥିଲା ଯାହା ସଫଳ ହେଲା । ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନ ଆସି ସାଢେ ଚାରିକୋଟି ଲୋକଙ୍କ ସମସ୍ୟା ବାବଦରେ ଆଲୋଚନା ନ କରି କାହିଁକି ପ୍ରଚାରକୁ ଗଲେ? କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ୫୦ ଜଣ ବିଧାୟକ ଏବଂ ୧୫ଜଣ ମନ୍ତ୍ରୀ ମଧ୍ୟ ବିଧାନସଭା ଛାଡି ପ୍ରଚାରରେ ମାତିଛନ୍ତି । ଧାମନଗରରେ ହାରିଗଲେ ସେଥି ପାଇଁ ମନରେ ଭୟ ପସିଯାଇଛି । ଏଠି ଭୋଟ ରାଜନୀତି ଚାଲିଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଅନ୍ୟପଟେ ଗୃହ ମୁଲତବି ପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଚାଷୀ ସମସ୍ୟାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ପରେ ଗୃହ ମୁଲତବି ହୋଇଥିଲା । ଗୃହକାର୍ଯ୍ୟରେ ବାରମ୍ବାର ବାଧା ସୃ୍ଷ୍ଟି ହେଉଥିବାରୁ କଂଗ୍ରେସ ମଧ୍ୟ ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଛି । କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି, ବିଜେପି ବିଧାୟକମାନେ ବିଧାନସଭାରେ ତାଙ୍କ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି । ଫସଲବୀମା ଟଙ୍କା ଚାଷୀଙ୍କୁ ବୀମା କମ୍ପାନୀ ଦେବ । ରାଜ୍ୟ କି କେନ୍ଦ୍ର ସରକାର ଦେବନି । ଯେଉଁ ବୀମା ସଂସ୍ଥା ଟଙ୍କା ନେଇଥିଲା ସେ ବର୍ତ୍ତମାନ ଅର୍ଥ ଦେଉନି । ଏଥିରେ ସମ୍ପୂର୍ଣ ଭାବେ କେନ୍ଦ୍ର ଦାୟୀ । କାରଣ ବୀମା କମ୍ପାନୀ ତାଲିକା କେନ୍ଦ୍ର ଦେଇଥିଲେ । କେବଳ କେନ୍ଦ୍ର ନୁହେଁ ରାଜ୍ୟ ସରକାର ମଧ୍ୟ ସମପରିମାଣରେ ଦାୟୀ । ରାଜ୍ୟ କାହିଁକି ଏ ଯୋଜନା ଲାଗୁ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଫୋନ୍ କଲରେ ମୁଖ୍ୟମନ୍ତ୍ରୀ ରାଜି ହୋଇଯାନ୍ତି । ତେଣୁ ଏଭଳି ସମସ୍ୟା ଉପୁଜିଲା । ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟ କରାଯାଉଛି ବୋଲି ନରସିଂହ କହିଛନ୍ତି ।
ସୂଚନାଥାଉ କି, ଗତ ନଭେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା । ୩୩ କାର୍ଯ୍ୟ ଦିବସ ଥିବା ଏହି ଶୀତକାଳୀନ ଅଧିବେଶନରେ ମାତ୍ର ୮ ଦିନ ଚାଲି ପାରିଲା । ଏହି ୮ ଦିନ ମଧ୍ୟରେ ଚାଷୀ ପ୍ରସଙ୍ଗ ଓ ଅର୍ଚ୍ଚନା ନାଗ ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ହଙ୍ଗାମା କରିଥିଲେ । ସେହିପରି ଶିକ୍ଷକ ସଂଘର ଆନେ୍ଦାଳନ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ଜିଲ୍ଲା ଗଠନ ପାଇଁ ଦାବି ହୋଇଥିଲା । ବିରୋଧୀଙ୍କ ହୋହାଲ୍ଲା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାରମ୍ବାର ଗୃହକୁ ମୁଲତବି ରଖିଥିଲେ । ଅନ୍ୟପଟରେ ଶୀତକାଳୀନ ଅଧିବେଶନରେ ମାତ୍ର ୩ଟି ବିଲ୍ ପାସ ହୋଇଥିଲା ।
ଏହାପୂର୍ବରୁ ଶୁକ୍ରବାର ବିଧାନସଭାରେ ପାରିତ ହୋଇଥିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୬ ହଜାର ୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ପାଇଁ ବ୍ୟୟ ବରାଦ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ଅନୁପସ୍ଥିତିରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ । ଏହାସହ ୨୦୨୧-୨୨ ବର୍ଷର ସିଏଜି ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *