ଓଡ଼ିଶୀ ଓ ମୋହିନୀ ଆଟମ୍ରେ ଦୁଲୁକିଲା ମଞ୍ଚ

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା
କୋଣାର୍କ (ଆପ୍ର): ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା କାକର ଭିଜା କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ନୃତ୍ୟଶିଳ୍ପୀଙ୍କ ଓଡ଼ିଶୀ ଓ ମୋହିନୀ ଆଟମ୍ ଦର୍ଶକଙ୍କୁ ବିମୋହିତ କରିଥିଲା । ସନ୍ଧ୍ୟାରେ ଅତିଥି ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୁରଲିଧର, ବିଚାରପତି ଯଶୋବନ୍ତ ସିଂହ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ କୋଲକାତାର ଦେବମିତ୍ର ସେନଗୁପ୍ତା ଓ ସାଥୀ କଳାକାର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ନମୋଭାରତ ଉପସ୍ଥାପନାରେ ଦେଶାତ୍ମବୋଧର ଭାବକୁ ପରିସ୍ଫୁଟନ କରିଥିଲେ । ଦ୍ୱିତୀୟ ଚରଣରେ ଚେନ୍ନାଇର ଗୋପିକା ବର୍ମା ଓ ସାଥୀ କଳାକାର ମୋହିନୀ ଆଟମ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ଆବାହନୀ ନୃତ୍ୟ ଚିତ୍ରାଗମ ସହ ‘ପରମାନନ୍ଦ ନଟନ’ ଆଜି ଆୟେ ଶ୍ୟାମ ମୋହନ ଓ ଭବଗୋବିନ୍ଦମ ମଞ୍ଚରେ ଭକ୍ତିଭାବ ଆଣିଥିଲା ।
ଚନ୍ଦ୍ରଭାଗା ବେଳାମାର୍ଗରେ ରୁଷ, କାନାଡ଼ା, ଜାପାନ, ସିଙ୍ଗାପୁର, ସ୍ପେନ ୫ଟି ଦେଶର ବିଦେଶୀ ବାଲୁକା ଶିଳ୍ପୀ ସମେତ ଓଡ଼ିଶା ସହିତ ୯ ରାଜ୍ୟରୁ ଭାଗ ନେଇଥିବା ବାଲୁକା ଶିଳ୍ପୀମାନେ ଆଜି ୩୫ ଟି ଷ୍ଟଲ୍ରେ ଇକୋ-ଟୁରିଜିମ୍କୁ ନେଇ ନିଜର ବାଲୁକା କଳା ପ୍ରଦର୍ଶନ କରିଥିଲେ । ଅନ୍ତର୍ଜାତୀୟ ବାଲୁକା କଳା ଦେଖିବାକୁ ଆଜି ଲକ୍ଷାଧିକ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗି ରହିଥିଲା । ଜିଲ୍ଲା ପ୍ରସାଶନର ପୂର୍ବ ପ୍ରସ୍ତୁତି ଫେଲ ମାରିଥିବା ଦେଖାଯାଇଛି । ବେଳାମାର୍ଗ ଅନ୍ଧାର ଓ ମୀନା ବଜାରରେ ପର୍ଯ୍ୟାପ୍ତ ଅଲୋକ ବ୍ୟବସ୍ଥା ନ ଥିବାରୁ ସମସ୍ୟା ଦେଖାଯାଇଛି । ବିଶେଷ ଭାବେ ଖୋଦ୍ ଜିଲ୍ଲାପାଳ ସମର୍ଥ ବର୍ମା କୋଣାର୍କ ଉତ୍ସବସ୍ଥଳୀକୁ ଆସୁଥିଲା ବେଳେ ଯାତ୍ରୀନିବାସ ନିକଟରେ ଟ୍ରାଫିକ ଜାମ୍ରେ ଫସି ରହିଥିଲା । ଏନଇ ପ୍ରସାଶନର ପ୍ରସ୍ତୁତି ଦିଗହରା ହୋଇଥିବା ପରି ଲାଗୁଛି । ଅନେକ ଭିଆଇପି ଓ ଭିଭିଆଇପିଙ୍କର ଆଗମନ ଥିଲା ବେଳେ ଏପରି ଅବ୍ୟବସ୍ଥା ଚିନ୍ତାଜନକ । ଆସନ୍ତାକାଲି ରବିବାର ଛୁଟି ଦିନ ଥିବାରୁ ଭିଡ଼ ଆଶଙ୍କା ଥିବାରୁ ଅନ୍ତର୍ଜାତୀୟ ବାଲୁକା କଳା ଓ ଡ୍ୟାନ୍ସ ଫେଷ୍ଟିଭାଲ ଦେଖିବାକୁ ଆସୁଥିବା ଦେଶ ବିଦେଶ ପର୍ଯ୍ୟଟକଙ୍କ ନିମନ୍ତେ ଯାତାୟାତର ସୁଗମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *