ଆଜିଠୁ ଭାରତ-ବାଂଲା ଦିନିକିଆ ଶୃଙ୍ଖଳା

ମୀରପୁର, ୩ା୧୨ (ଏଜେନ୍ସି): ଭାରତ ଓ ବାଂଲାଦେଶ ମଧ୍ୟରେ ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା । ୭ ଓ ୧୦ ତାରିଖରେ ଶୃଙ୍ଖଳାର ପରବର୍ତ୍ତୀ ଦୁଇ ମ୍ୟାଚ୍ ଖେଳାଯିବ । ଘରୋଇ ସ୍ଥିତିରେ ବାଂଲାଦେଶ ଠାରୁ ଟିମ୍ ଇଣ୍ଡିଆକୁ କଡ଼ା ଆହ୍ୱାନ ମିଳିପାରେ । ତେବେ ବରିଷ୍ଠ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ପରେ ରୋହିତ ସେନା ସକାରାତ୍ମକ ଅଭିଯାନ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ।
ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳା ପରେ ଟିମ୍ ଇଣ୍ଡିଆ ଦୁଇ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳା ମଧ୍ୟ ଖେଳିବ । ତେବେ ଟିମ୍ର ପୂରା ଫୋକସ୍ ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଉପରେ । ଏହି ଶୃଙ୍ଖଳାରୁ ଭାରତୀୟ ଟିମ୍ ବିଶ୍ୱକପ୍ର ପ୍ରସ୍ତୁତି ଆରମ୍ଭ କରିବ ।
ଭାରତ ଓ ବାଂଲାଦେଶ ଉଭୟ ଟିମ୍କୁ ଦିନିକିଆ ଶୃଙ୍ଖଳା ପୂର୍ବରୁ ଝଟ୍କା ଲାଗିଛି । ଭାରତୀୟ ପେସର୍ ମହମ୍ମଦ ଶାମୀ ଆଘାତଜନିତ କାରଣରୁ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି । ଉମରାନ୍ ମଲିକଙ୍କୁ ଶାମୀଙ୍କ ବିକଳ୍ପ ଭାବେ ଟିମ୍ରେ ସାମିଲ୍ କରାଯାଇଛି । ଅନ୍ୟପଟେ, ବାଂଲାଦେଶର ଅଧିନାୟକ ତମିମ୍ ଇକ୍ବାଲ ଆଘାତ ଯୋଗୁଁ ବାଦ୍ ପଡ଼ିଛନ୍ତି । ପେସର୍ ତସ୍କିନ ଅହମଦ ମଧ୍ୟ ଆଘାତ ଯୋଗୁଁ ପ୍ରଥମ ମ୍ୟାଚ୍ରେ ଖେଳିବେ ନାହିଁ ।
ରୋହିତ ଶର୍ମା ଦିନିକିଆ ଅଧିନାୟକ ଓ ଲୋକେଶ ରାହୁଲ ଉପ-ଅଧିନାୟକ ଭାବେ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବିରାଟ କୋହଲି ମଧ୍ୟ ଟିମ୍କୁ ଫେରିଛନ୍ତି । ରୋହିତ ଓ ଶିଖର ଧାବନ୍ ଇନିଂସ୍ ଓପନ୍ କରିପାରନ୍ତି । ଏପରିସ୍ଥଳେ ରାହୁଲ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ । ଅଭିଜ୍ଞ ଶାମୀଙ୍କ ସ୍ଥାନରେ ଉମରାନ ଟିମ୍ରେ ସୁଯୋଗ ପାଇଥିଲେହେଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯିବାର ସମ୍ଭାବନା କମ୍ ।
ପେସ୍ ବାହିନୀରେ ଶାର୍ଦ୍ଦୂଳ ଠାକୁର, ଦୀପକ ଚାହର ଓ ମହମ୍ମଦ ସିରାଜ ଏବଂ ସ୍ପିନ୍ ବାହିନୀରେ ୱାଶିଂଟନ୍ ସୁନ୍ଦର ଓ ଅକ୍ଷର ପଟେଲ୍ ରହିପାରନ୍ତି ।
ସମ୍ଭାବ୍ୟ ଭାରତୀୟ ଏକାଦଶ
ରୋହିତ ଶର୍ମା (ଅଧିନାୟକ), ଶିଖର ଧାବନ, ବିରାଟ କୋହଲି, ଶ୍ରେୟାସ ଆୟର, ଲୋକେଶ ରାହୁଲ, ରିଷଭ ପନ୍ତ (ୱିକେଟ୍କିପର୍), ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ୍, ଶାର୍ଦ୍ଦୂଳ ଠାକୁର, ଦୀପକ ଚାହର, ମହମ୍ମଦ ସିରାଜ
ସମ୍ଭାବ୍ୟ ବାଂଲାଦେଶୀ ଏକାଦଶ
ଲିଟ୍ଟନ୍ ଦାସ (ଅଧିନାୟକ), ଅନାମୁଲ ହକ୍, ଶାକିବ୍ ଅଲ୍ ହସନ୍, ମୁଶଫିକର ରହିମ୍ (ୱିକେଟ୍କିପର୍), ମହମୁଦୁଲ୍ଲା, ଅଫିଫ୍ ହୋସେନ୍, ୟାସିର ଅଲୀ, ମେହିଦୀ ହସନ୍ ମିରାଜ, ହସନ ମହମୁଦ, ମୁସ୍ତାଫିଜୁର ରହମନ, ଏବାଦତ ହୋସେନ୍

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *