କଂଗ୍ରେସ କେବଳ ୨ଟି କଥା ଶିଖିଛି

ଗୁଜରାଟ: ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଜୋର୍ଦାର ପ୍ରଚାର
ଗାନ୍ଧିନଗର(ଏଜେନ୍ସି): ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହେବାର ଦିନକ ପରେ ରାଜନୈତିକ ଦଳଗୁଡ଼ିକ ୨ୟ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ତେବେ ୨ୟ ପର୍ଯ୍ୟାୟ ଭୋଟ୍ ପାଇଁ ଗତକାଲି ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ରାଲି ଜାରି ରଖିଛନ୍ତି । ଗୁରୁବାର ଗୁଜରାଟର ନରୋଦା ଗ୍ରାମରୁ ଦକ୍ଷିଣ ଗାନ୍ଧିନଗର ଯାଏ (ପ୍ରାୟ ୫ଠ କିମି) ମୋଦି ବିଶାଳ ରୋଡ୍ ସୋ’ କରିଥିଲେ । ସେହିପରି ଶୁକ୍ରବାର ଆଣନ୍ଦ ଠାରେ ଆୟୋଜିତ ଏକ ମେଗା ରାଲି ସୋ’ରେ ସାମିଲ ହେବା ସହ ଏଠାରେ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ବିରୋଧୀ କଂଗ୍ରେସକୁ ଟାର୍ଗେଟ୍ କରିବା ଦେଖିବାକୁ ମିଳିଛି ।
ମୋଦି କହିଛନ୍ତି, କଂଗ୍ରେସ କେବଳ ଦୁଇଟି କଥା ଶିଖିଛି । ପ୍ରଥମତଃ ନିର୍ବାଚନ ପରେ ଇଭିଏମ୍ ଟାମ୍ପରିଂ ନେଇ ଅଭିଯୋଗ କରିବା ଏବଂ ୨ୟତଃ ତାଙ୍କୁ (ମୋଦିଙ୍କୁ) ମନଇଚ୍ଛା ଗାଳିଗୁଲଜ କରିବା । ଗୁଜରାଟର ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଥିବା ବେଳେ କଂଗ୍ରେସ ଏବେ ଠାରୁ ଇଭିଏମ୍-ଇଭିଏମ୍ ଘୋଷିହେବା ଆରମ୍ଭ କରିଦେଇଛି । ମୋଦି ଏହି ପରିପ୍ରେକ୍ଷୀରେ ଗୁଜରାଟରେ ବିଜେପି ସରକାର କରିଥିବା କାମ ସମ୍ପର୍କରେ ବଖାଣିଥିଲେ । ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାରର ଆବଶ୍ୟକତା ଥିବା ମୋଦି କହିଛନ୍ତି ।
ଶୁକ୍ରବାର ମୋଦିଙ୍କ ପାଇଁ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ମେଗା ରୋଡ୍ ସୋ’ ୩ଟି ବିଧାନସଭା ମଣ୍ଡଳୀ ଦେଇ ଗତି କରିଥିବା ସୂଚନା ମିଳିଛି । ଦରିଆପୁର, ଜମାଲପୁର ଏବଂ ବାପୁନାଗର ବିଧାନସଭା କ୍ଷେତ୍ର ଦେଇ ମୋଦିଙ୍କ ରୋଡ୍ ସୋ’ ଆୟୋଜିତ ହୋଇଥିବା ବେଳେ ରୋଡ୍ ସୋ ଶେଷରେ ପାଟନରେ ଆୟୋଜିତ ଜନସଭାରେ ପ୍ରାୟ ୧ଠଲକ୍ଷରୁ ଊଦ୍ଧ୍ୱର୍ ଜନତା ଏଥିରେ ସାମିଲ ହୋଇଥିଲେ । ଅହମ୍ମଦାବାଦ ବିମାନବନ୍ଦରରୁ ସରସପୁର ପର୍ଯ୍ୟନ୍ତ ଆୟୋଜିତ ଏହି ରୋଡ୍ ସୋ’ କାଳରେ ହଜାର ହଜାର ଜନତା ରାସ୍ତା ପାଶ୍ୱର୍ରେ ଛିଡା ହୋଇ ମୋଦିଙ୍କୁ ଅଭିବାଦନ ଜଣାଇଥିଲେ । ତେବେ ଆଜିର ପ୍ରଚାର ତଥା ରୋଡ୍ ସୋ କାର୍ଯ୍ୟକ୍ରମ ପୂର୍ବରୁ ମୋଦି ମା’ ଭଦ୍ରକାଳିଙ୍କ ମନ୍ଦିରରେ ପହଞ୍ଚô ସେଠାରେ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଥିଲା ।
ପ୍ରକାଶ, ଆସନ୍ତା ୫ରେ ଗୁଜରାଟର ବାକି ୯୩ ଆସନ ପାଇଁ ୨ୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ । ୨ୟ ପର୍ଯ୍ୟାୟ ଭୋଟ୍ ପାଇଁ ୮୩୩ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୬୯ଜଣ ମହିଳା ପ୍ରାର୍ଥୀ ରହିଥିବା ବେଳେ ୨୮୫ଜଣ ସ୍ୱାଧୀନ ଭାବେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ଏମାନଙ୍କ ମଧ୍ୟରୁ ୭ଠ ମହିଳା ଏବଂ ୩୩୯ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୬୨% ଭୋଟିଂ ହୋଇଥିଲା । ତେବେ ଦୁଇଟି ପର୍ଯ୍ୟାୟରେ ହେଉଥିବା ଏହି ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତା ୮ତାରିଖରେ ପ୍ରକାଶ ପାଇବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *