ଅଧାରେ ଅଟକିଛି ବିଜୁ ସେତୁ: ସିଏଜି
ଭୁବନେଶ୍ୱର, ୨ା୧୨ (ବୁ୍ୟରୋ): ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ୩ଟି ବିଭାଗ ଗ୍ରାମ୍ୟ ଉନ୍ନୟନ ବିଭାଗ, ମହିଳା ଶିଶୁ ବିକାଶ ବିଭାଗ ଓ ଜଳସମ୍ପଦ ବିଭାଗର ସମୀକ୍ଷା ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟରେ ଏସବୁ ବିଭାଗର କେତେକ ପ୍ରକଳ୍ପର କାର୍ଯ୍ୟକାରିତାରେ ଥିବା ତ୍ରୁଟି ଓ ଦୁର୍ବଳତାକୁ ଉଜାଗର କରାଯାଇଛି । ବିଶେଷକରି ଗ୍ରାମ୍ୟ ଉନ୍ନୟନ ବିଭାଗରେ ହୋଇଥିବା ନିର୍ମାଣ ପ୍ରକଳ୍ପରେ ବ୍ୟାପକ ବିଳମ୍ବ, ନିମ୍ନମାନର କାର୍ଯ୍ୟ ଓ ଅନିୟମିତତା କଥା ଦର୍ଶାଇଛନ୍ତି ସିଏଜି । ବିଜୁ ସେତୁ ଯୋଜନା ଅଧୀନରେ ୨୦୧୭-୧୮ରୁ ୨୦୨୦-୨୧ ମଧ୍ୟରେ ୭୯୩ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ମାତ୍ର ୪୭୩ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଥିଲା ଏବଂ ୩୧୮ଟି ଅସଂପୂର୍ଣ୍ଣ ରହିଥିଲା । ଯୋଜନାରେ ୨୦୧୭ -୨୦୨୧ ମସିହା ପାଇଁ ୨ ହଜାର ୫୭୦ କୋଟି ବଜେଟ ବ୍ୟବସ୍ଥା ହୋଇଥିଲେ ବି ୩୧୪ କୋଟି ଟଙ୍କା ବିନିଯୋଗ ହୋଇପାରିନାହିଁ । ଟେଣ୍ଡର ଚୂଡ଼ାନ୍ତ ହେବାରେ ବିଳମ୍ବ, ପ୍ରାଥମିକ ସର୍ବେକ୍ଷଣରେ ତ୍ରୁଟି ଯୋଗୁଁ ନକ୍ସାରେ ପରିବର୍ତ୍ତନ, ଜମି ମାମଲା ସମାଧାନରେ ବିଫଳତା ଓ ଠିକାଦାରଙ୍କ ଦ୍ୱାରା ମନ୍ଥର ଗତିରେ କାମ ଯୋଗୁଁ ପ୍ରକଳ୍ପଗୁଡ଼ିକ ବିଳମ୍ବ କିମ୍ବା ଅସମ୍ପୂର୍ଣ୍ଣ ରହିଥିଲା ବୋଲି ସିଏଜି ଦର୍ଶାଇଛନ୍ତି । ସେହିପରି ୫ଟି ସେତୁ ମାମଲାରେ ବିଜୁ ସେତୁ ଯୋଜନା ମାର୍ଗଦର୍ଶିକାର ବିରୋଧାଚରଣ କରି ୫ କିମି ଅଞ୍ଚଳ ମଧ୍ୟରେ ବିକଳ୍ପ ସେତୁ ଥିବା ସତ୍ତ୍ୱେ ନୂଆ ସେତୁ ନିର୍ମାଣ କରାଯାଇଥିଲା । ସେତୁ ପାଇଁ କିମ୍ବା ସେତୁକୁ ଯିବା ପାଇଁ ଉଦ୍ଦିଷ୍ଟ ରାସ୍ତା ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହୋଇ ନ ପାରିବାରୁ ୧୮୫ କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ୪୮ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଥିଲା । ଅନ୍ୟପକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷାରୁ ସିଏଜି ଜାଣିବାକୁ ପାଇଛନ୍ତି ଯେ, ରାଜ୍ୟରେ ୨୦୨୧ ମାର୍ଚ୍ଚ ସୁଦ୍ଧା ୩୬ କର୍ମଜୀବୀ ମହିଳା ହଷ୍ଟେଲ ଥିଲେ ବି ସେଥିରୁ ମାତ୍ର ୧୨ କାର୍ଯ୍ୟକ୍ଷମ ଥିଲା । ରାଜ୍ୟରେ ଥିବା ଶିଶୁ ଯତ୍ନ ପ୍ରତିଷ୍ଠାନଗୁÿଡ଼ିକ ଦିଆଯାଉଥିବା ପାଣ୍ଠିର ଉପଯୋଗ କରିବାରେ ବିଫଳ ହେଉଛନ୍ତି । ୨୦୨୦-୨୧ ବର୍ଷରେ ଉପଲବ୍ଧ ପାଣ୍ଠିର ମାତ୍ର ୩୧ ପ୍ରତିଶତ ବ୍ୟବହାର ହୋଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗରେ ୨୦୧୪ ଫେବୃଆରୀରୁ ୨୦୨୦ ନଭେମ୍ବର ମଧ୍ୟରେ ୮ କର୍ମଜୀବୀ ମହିଳା ହଷ୍ଟେଲ ପାଇଁ ୪୪.୧୯ କୋଟି ପ୍ରଦାନ କରାଯାଇଥିଲେ ବି ୨୦୨୧ ନଭେମ୍ବର ୨୦୨୧ ସୁଦ୍ଧା ୫ ସମ୍ପୂର୍ଣ ହୋଇଥିଲା । ୨୦୨୧ ନଭେମ୍ବର କୌଣସି ଟି କାର୍ଯ୍ୟକ୍ଷମ ହୋଇନଥିଲା ।
ଓଡ଼ିଶା ନିର୍ମାଣ ନିଗମ ଲିମିଟେଡରେ ୨୦୧୭-୨୦୧୮, ୨୦୧୮-୨୦୧୯, ୨୦୨୦-୨୦୨୧ରେ କାରବାର ଲକ୍ଷ୍ୟ ହାସଲ କରି ପାରିନାହିଁ । ୨୦୧୬-୧୭ରେ ୮୭୪ କୋଟି ପ୍ରକୃତ କାରବାର ହୋଇଥିବାବେଳେ ୨୦୨୦-୨୧ରେ ୪୨୨ କୋଟିକୁ ହ୍ରାସ ପାଇଥିଲା । ଆକଳନରେ ଡ୍ରେଜିଂ ପାଇଁ ଅଧିକ ମୂଲ୍ୟ ଗ୍ରହଣ ଯୋଗୁଁ ମହାନଦୀ ବ୍ୟରେଜ୍ ଉପରୁ ମୁଣ୍ଡରେ ସୋଆଲ ଅପସାରଣ ପ୍ରକଳ୍ପ କ୍ଷେତ୍ରରେ ଠିକାଦାରଙ୍କୁ ୭.୭୨ କୋଟି ଟଙ୍କା ଅନୁଚିତ ସୁବିଧା ଦିଆଯାଇଛି ।
ଚତୁର୍ଦ୍ଦଶ ଅର୍ଥ ଆୟୋଗର ସର୍ତ୍ତ ଅନୁଯାୟୀ ସେବା ସ୍ତରୀୟ ବେଞ୍ଚମାର୍କ ହାସଲ ନ ହେବା ଯୋଗୁଁ ୟୁ ଏଲ୍ ବି ଗୁଡ଼ିକ ୩୩୩.୫୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପାଇ ନଥିଲେ । ମାର୍ଚ୍ଚ ୨୦୨୧ ସୁଦ୍ଧା ରାଜ୍ୟ ସରକାର ବର୍ୟବସ୍ତୁ ନିବାରଣ ହ୍ରାସ, ପୁନଃ ବ୍ୟବହାର ନିମନ୍ତେ କୌଣସି ଯୋଜନା କରିବା ଲାଗି ପଦକ୍ଷେପ ଗ୍ରହଣ ନ କରିବାରୁ ୯୦% ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ନ ହୋଇ ଡମ୍ପି ୟାଡରେ ଜମା ହୋଇ ରହିଥିଲା । ଘରୋଇ ବର୍ୟାବସ୍ତୁ ଅଧିଶୁଚିତ ନ ହେବା ଯୋଗୁଁ ବର୍ଜ୍ୟବସ୍ତୁ ଲ୍ୟାଣ୍ଡ ଫିଲ୍ଡରେ ପକାଯାଇଥିଲା । ଏହା ଦ୍ୱାରା ଲ୍ୟାଣ୍ଡ ଫିଲ ନିକଟରେ ରହୁଥିବା ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଉଥିବା ସର୍ଭେ ସମୟରେ ଜଣାପଡିଥିଲା । ଏସଡବ୍ଲୁ୍ୟଏମ ନିୟମ ଉଲଙ୍ଘନ କରି ନମୁନା ଯାଞ୍ଚ ହେଉଥିବା ୧୧ ୟୁଏଲ୍ବିରେ ଲ୍ୟାଣ୍ଡ ଫିଲଠାରୁ ୨୦୦ ମିଟର ମଧ୍ୟରେ ଓ ୪ ୟୁଏଲ୍ବିରେ ବରଫ ଜୋନଠାରୁ ୫୦୦ ମିଟର ମଧ୍ୟରେ ଜନବସତି ଗଢି ଉଠିବ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିଲା । ସ୍ମାର୍ଟ୍ ସିଟି ଗୁଡିକରେ ୨୦୧୫-୨୦୨୦ ମଧ୍ୟରେ ୨ ହଜାର ୯୫୬ ଟନ ପ୍ରତିଦିନ କଠିନ ବର୍ଜ୍ୟବସ୍ତୁ ଓ ୩୦ ହଜାର ୫୭ ଟନ ପ୍ଲାଷ୍ଟିକ ବର୍ୟବସ୍ତୁ ବିନା ପ୍ରକ୍ରିୟାକାରଣରେ ଲ୍ୟାଣ୍ଡ ଫିଲରେ ଜମା କରଯାଉଥିବା ସିଏଜି ରିପୋର୍ଟରୁ ଜଣାପଡିଛି ।
ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ ଏହି ରିପୋର୍ଟକୁ ଉନ୍ମୋଚନ କରିବା ସହ ରିପୋର୍ଟ ଉପରେ ବସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଉନ୍ମୋଚନ ଉତ୍ସବରେ ବରିଷ୍ଠ ଉପ ମହାଲେଖାକାର ଦୀପକ ରଘୁ, ସୁଶାନ୍ତ ରଞ୍ଜନ, ମୋନାଲିକା ବୋର୍ଗହାଇନି, ଏକତା ସିଂହ, ବରିଷ୍ଠ ଲେଖାପରୀକ୍ଷା ଅଧିକାରୀ ଅରୁଣ ସେଠୀ ଓ ସୁକାନ୍ତ ମଲ୍ଲ ଉପସ୍ଥିତ ଥିଲେ ।