ଆସୁଛି ବଡ଼ ନିବେଶ
ଭୁବନେଶ୍ୱର, ୧ା୧୨ (ବୁ୍ୟରୋ): ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେତେକ ପ୍ରତିଷ୍ଠିତ ଶିଳ୍ପପତି ଯୋଗ ଦେଇ ବଡ଼ ଘୋଷଣା କରିଛନ୍ତି । ଏଥିରେ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ ଓ କରନ ଅଦାନୀ ପ୍ରମୁଖ ଯୋଗ ଦେଇଛନ୍ତି । ଓଡ଼ିଶାରେ ଆଉ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲୁ୍ୟ । ଏନେଇ ସଂସ୍ଥା ମୁଖ୍ୟ ସଜ୍ଜନ ଜିନ୍ଦଲ ଘୋଷଣା କରିଛନ୍ତି ।
ଷ୍ଟିଲ୍ ଓ ସୋଲାର କ୍ଷେତ୍ରରେ ଏହି ପୁଞ୍ଜି ନିବେଶ ହେବ । ୨୦୧୮ରେ ୬୦ ହଜାର କୋଟିର ପୁଞ୍ଜି ନିବେଶ ଘୋଷଣା କରିଥିଲା କମ୍ପାନିୟ ସେଥିରୁ ୩୦ ହଜାର କୋଟିର ପୁଞ୍ଜି ନିବେଶ କରିସାରିଛି । ସେ ଆହୁରି କହିଛନ୍ତି, ବଡ଼ ବଡ଼ ଶିଳ୍ପ ଆସିଲେ ହଜାର ହଜାର ଏମଏସଏମଇ ଗଢିଉଠିବ । ଏଠି ଏକ ସ୍ଥିର ସରକାର ଅଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଢେର ଅର୍ଥ ଖର୍ଚ୍ଚ କରୁଛନ୍ତି । ହକି ଗୌରବ ହରାଇଥିଲା, କିନ୍ତୁ ଓଡ଼ିଶା ପାଇଁ ଅଲମ୍ପିକ ପଦକ ହାସଲ କରିପାରିଛି । ପୁରୁଣା ମନ୍ଦିରଗୁଡ଼ିକର ନବୀକରଣ କରାଯାଉଛି ବୋଲି ସେ କହିଛନ୍ତି ।
ସେହିପରି ଓଡ଼ିଶା ମୋର ଦ୍ୱିତୀୟ ଘର ଏବଂ ପ୍ରଥମ କର୍ମଭୂମି । ମୋ ବାପା ଏବଂ ବିଜୁ ବାବୁ ଉଭୟ ଚିନ୍ତା କରିଥିଲେ ଏଠି ଷ୍ଟିଲ ପ୍ଲାଣ୍ଟ କରିବାକୁ । ବର୍ତ୍ତମାନ ଏହା ନବୀନ ବାବୁଙ୍କ ପାଇଁ ସମ୍ଭବ ହେଲା । ତା ଛଡା ଅନ୍ୟ ତିନି ଜଣ ସଜ୍ଜନ, ପାର୍ଥ ଏବଂ ଅଭୁ୍ୟଦୟ ମଧ୍ୟ ଇନଭେଷ୍ଟ କରୁଛନ୍ତି । ଏମ୍ଏସଏମ୍ଇ କ୍ଷେତ୍ରରେ ନିବେଶ ହେଲେ ଆଗକୁ ଭବିଷ୍ୟତରେ ଅଧିକ ଚାକିରୀ ସୁଯୋଗ ରହିଛି । ଆମେ ଅନୁଗୁଳରେ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ଚିନ୍ତା କରୁଛୁ । ଯେତେବେଳେ କୋଭିଡ ପାଇଁ ପୁରା ବିଶ୍ୱ ହନ୍ତସନ୍ତ ହେଉଥିଲା ସେତେବେଳେ ମଧ୍ୟ ଓଡିଶା ପୁରା ଦେଶକୁ ଅକ୍ସିଜେନ ଯୋଗାଇଛି । ତେଣୁ ଅନୁଗୁଳରେ ଏକ ସୁପର ସ୍ପେଶିଆଲିଟି ହସ୍ପଟାଲ କରାଯିବାକୁ ପ୍ଲାନ୍ ପ୍ରସ୍ତୁତ ହୋଉଥିବା ନବୀନ ଜିନ୍ଦଲ କହିଛନ୍ତି ।
ସେହିପରି ଓଡ଼ିଶା ସହ ଆମର ଖୁବ ପୁରୁଣା ସମ୍ପର୍କ ରହିଛି । ଟାଟା ଷ୍ଟିଲ, ଟାଟା ପାୱାର, ଟିସିଏସ ଆଦିରେ ପୁଞ୍ଜି ନିବେଶ କରିଛୁ । ଓଡ଼ିଶାରେ ୭୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିଛୁ । କଳିଙ୍ଗ ନଗରରରେ ଆମେ ନିଜ ପ୍ଲାଣ୍ଟ ସ୍ଥାପନ ସହ ଭୂଷଣ ଷ୍ଟିଲ ଏବଂ ନୀଳାଚଳ ଇସ୍ପାତ ଅଧିଗ୍ରହଣ କରିଛୁ । ୯ ନିୟୁତ ଟନ ଇସ୍ପାତ ଉତ୍ପାଦନ କ୍ଷମତା ସହ ଆମେ ଓଡ଼ିଶାର ସର୍ବବୃହତ ଇସ୍ପାତ ନିର୍ମାତା । ୫୦ ହଜାର କର୍ମଚାରୀ ବର୍ତ୍ତମାନ ଟାଟା ଗ୍ରୁପରେ ଓଡ଼ିଶାରେ କାମ କରୁଛନ୍ତି ବୋଲି ଟାଟା ଷ୍ଟିଲ ମୁଖ୍ୟ ପି ଭି ନରେନ୍ଦ୍ରନ କହିଛନ୍ତି ।
ମେକ ଇନ ଓଡ଼ିଶା ସମ୍ମିଳନୀରେ ଅଦାନୀ ପୋର୍ଟସ୍ ଆଣ୍ଡ ଏସଇଜେଡ ସିଇଓ କରନ ଅଦାନୀ ବଡ଼ ଘୋଷଣା କରିଛନ୍ତି । ଓଡ଼ିଶାରେ ୬୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଅଦାନୀ ଗ୍ରୁପ । ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ପୁଞ୍ଜି ନିବେଶ କରିବ ଅଦାନୀ । ଓଡ଼ିଶାରେ ୪ ମିଲିୟନ ଟନ କ୍ଷମତାର ଆଲୁମିନା ରିଫାଇନାରି ଓ ୩୦ ମିଲିୟନ ଟନର ଲୁହାପଥର ପ୍ରକଳ୍ପ ସ୍ଥାପନ କରିବ । ଏହା ଦ୍ୱାରା ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅଦାନୀ ଓଡ଼ିଶାର ଧାମରା ପୋର୍ଟ ୩୦୦ ମିଲିୟନ ଟନର କ୍ଷମତା ବିଶିଷ୍ଟ ନ୍ଦରକୁ ପରିବେଶ ମଞ୍ଜୁରୀ ମିଳିବାରେ ଧାମରା ହେଉଛି ଦେଶର ପ୍ରଥମ ବନ୍ଦର ବୋଲି ଆଦାନି ଗ୍ରୁପ୍ ମୁଖ୍ୟ କରନ ଅଦାନୀ କହିଛନ୍ତି ।
ଏଣେ ମେକ ଇନ ଓଡିଶା କଂକ୍ଲେଭରେ ଜାପାନ ରାଷ୍ଟ୍ରଦୂତ ହିରୋଶି ସୁଜୁକି ଓଡ଼ିଆରେ ଅଭିଭାଷଣ ଦେଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । କଣ୍ଟ୍ରି ପାର୍ଟନର ରହିଥିବା ଜାପାନର ରାସାୟନିକ ଗଠବନ୍ଧନ ୧୭ ବର୍ଷର । ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅଭିନନ୍ଦନ ଜଣାଇ ଶ୍ରୀ ସୁଜୁକି ଆଗାମୀ ଦିନରେ ଜାପାନ ଭାରତରେ କରିବାକୁ ଥିବା ନିବେଶରେ ଓଡ଼ିଶା ଷ୍ଟେଟିଂ ପଏଣ୍ଟ ହେବ ବୋଲି କହିଛନ୍ତି । ଜାପାନୀ କମ୍ପାନି ଓଡ଼ିଶାରେ ନିବେଶ କରିବେ । ମେକ ଇନ ଇଣ୍ଡିଆ ସହ ମେକ ଇନ ଓଡ଼ିଶାକୁ ସଫଳ କରିବାକୁ ଜାପାନ ପକ୍ଷରୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।