ଶ୍ରୀହୀନ ରୋଜ୍ ଗାର୍ଡେନ, ପର୍ଯ୍ୟଟକ ନିରାଶ

ବାରଙ୍ଗ (ଆପ୍ର): ଶୀତଋତୁ ଆସିଲେ ଲୋକେମାନେ ନନ୍ଦନକାନନ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । କିନ୍ତୁ ଦୁର୍ଭାଗ୍ୟର କଥା ବଟାନିକାଲ ଗାର୍ଡେନ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି । ନିମ୍ନମାନର କାର୍ଯ୍ୟ ଯୋଗୁଁ ସରକାରଙ୍କ କୋଟିକୋଟି ଟଙ୍କା ପାଣିରେ ପଡ଼ୁଛି । ଯାହାଫଳରେ ଗୋଲାପ ଗାର୍ଡେନ ଶ୍ରୀହୀଦନ ହୋଇପଡ଼ିଛି ।
ବଟାନିକାଲ ଗାର୍ଡେନର ଆକର୍ଷଣ ହେଉଛି ଗୋଲାପ ଗାର୍ଡେନ । ଶହ ଶହ ପର୍ଯ୍ୟଟକ ବିଭିନ୍ନ ରଙ୍ଗ ବେରଙ୍ଗର ଗୋଲାପ ଫୁଲକୁ ଦେଖି ଆନନ୍ଦିତ ହୋଇଥାନ୍ତି । କିଛି ସମୟ ପାଇଁ ନିଜକୁ ହଜାଇ ଦେଇଥାନ୍ତି ସେହି ବଗିଚାରେ । ପ୍ରତ୍ୟେକଙ୍କର ମୁଖ୍ୟ ମନୋରଞ୍ଜନ ସ୍ଥଳ ପାଲଟିଥିବା ନନ୍ଦନକାନନର ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ବିଗତ ବର୍ଷମାନଙ୍କରେ ଅନେକ ଓଡ଼ିଆ ସିନେମା ସୁଟିଂ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଗୋଲାପ ଗାର୍ଡେନ କଥା ନ କହିବା ଭଲ । ଏଠାରେ ଆଉ ଆଗଭଳି ରଙ୍ଗ ବେରଙ୍ଗର ଗୋଲାପ ଫୁଲ ନାହିଁ । ଗାର୍ଡେନ ମଧ୍ୟରେ ଦେଖିବାକୁ ମିଳୁନି ଗୋଟିଏ ହେଲେ ଗୋଲାପ ଫୁଲ । ୫ ଏକର ଜମିରେ ଥିବା ଏହି ଗୋଲାପ ଗାର୍ଡେନ୍ରେ ବର୍ଷକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଯଥା ପୂର୍ବମ୍ ତଥା ପରମ୍ ଅବସ୍ଥା । ବିଭାଗୀୟ ଅଧିକାରୀମାନେ ଯେମିତି କାମ ଅର୍ଡର ଦେଉଛନ୍ତି ଆମେ ସେମିତି କାମ କରୁଛୁ ବୋଲି କର୍ମଚାରୀମାନେ କହିଛନ୍ତି । ଏବେ ପର୍ଯ୍ୟଟନ ଋତୁ ଚାଲୁଥିବାରୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ହେଲେ ଗୋଲାପ ଗାର୍ଡେନରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିବା ଜଣାପଡ଼ିଛି । ଏ ସଂପର୍କରେ ନନ୍ଦନକାନନ ଉପନିର୍ଦେଶକଙ୍କୁ ପଚାରିବାରୁ ସେ ମିଡିଆ ଆଗରେ କିଛି କହିବେ ନାହିଁ ବୋଲି ଉତ୍ତର ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *