ସୋନାପୁର ବେଳାଭୂମିରେ ଇକୋ ରିଟ୍ରିଟ୍ କିକ୍ ଷ୍ଟାର୍ଟ

ଚିକିଟି (ଆପ୍ର): ଓଡିଶା ପର୍ଯ୍ୟଟନ ବିଭାଗର ପ୍ରୟାସ କ୍ରମେ ସୋନାପୁରଠାରେ ଆରମ୍ଭ ହୋଇଛି “ରିଟ୍ରିଟ୍’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୁରୁବାର ପୂର୍ବାହ୍ଣରେ ଓଡିଶାର ୭ ପର୍ଯ୍ୟଟନସ୍ଥଳୀରେ ରିଟ୍ରିଟ୍ ସ୍ଥାପନ କରାଯାଇଥିବା ସୂଚନା ଦେଇ ଓଡିଶାର ହିଲ୍ ଷ୍ଟେସନ୍, ନଦୀକୂଳ, ଅଭୟାରଣ୍ୟ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇଥିବା କହିଛନ୍ତି । କୋଣାର୍କର ଚନ୍ଦ୍ରଭାଗା, ଭିତରକନିକାର ପେଣ୍ଠ, ସମ୍ବଲପୁରର ହୀରାକୁଦ, କଟକର ସାତ କୋଶିଆ, କନ୍ଧମାଳର ଦାରିଙ୍ଗିବାଡି, କୋରାପୁଟର ପୁଟସିଲ୍ ଏବଂ ଗଞ୍ଜାମ ଜିଲ୍ଲାର ସୋନାପୁରଠାରେ ଗୁରୁବାରଠାରୁ ଆସନ୍ତା ୯୦ ଦିନ ଅର୍ଥାତ ଫେବୃୟାରୀ ୨୦୨୩ ପର୍ଯ୍ୟନ୍ତ ଏହି ରିଟ୍ରିଟ୍ କାର୍ଯ୍ୟକ୍ରମ ଚାଲୁ ରହିବ । ନୂଆ ଦିଲ୍ଲୀର ଏକ ବେସରକାରୀ ସଂସ୍ଥା ଏହି “ରିଟ୍ରିଟ୍’ କାର୍ଯ୍ୟକ୍ରମର ପରିଚାଳନା କରିବା ଦାୟିତ୍ୱ ଗ୍ରହଣ କରିଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ସହାୟତା କ୍ରମେ ଜିଲ୍ଲାର ଅନ୍ୱେଷିତ ତଥା ପରିବେଶ ସମ୍ବେଦନଶୀଳ ଗନ୍ତବ୍ୟ ସ୍ଥଳକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାୟୀ ପର୍ଯ୍ୟଟନ ଅଞ୍ଚଳକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କଲାଭଳି ଏଠାରେ ଆରାମ ଦାୟକ ଟେଣ୍ଟର ବ୍ୟବସ୍ଥା, ରହିବା ବ୍ୟବସ୍ଥା, ଶୀତତାପ ନିୟନ୍ତ୍ରିତ ରେସ୍ତୁରା, ଖାଇବା ସ୍ଥାନ ଏବଂ ବାହାରେ ବାର୍ର ବ୍ୟବସ୍ଥା ରହିଛି । ଏତଦ୍ ବ୍ୟତୀତ ସମ୍ମିଳନୀ କକ୍ଷ, ପିଲାଙ୍କ ସକାଶେ ଖେଳିବା ସ୍ଥାନ, ଗଲ୍ଫ୍ କାର୍ଟ, ଜଳ ଏବଂ ସ୍ଥଳ ଭାଗରେ ବିଭିନ୍ନ କୌତୁହଳପୂର୍ଣ୍ଣ ଖେଳିବା ସ୍ଥାନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାର ବ୍ୟବସ୍ଥା ରହିଛି । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କଲାଭଳି ଅନେକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁରର ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣା ବିବେକ ଏମ୍, ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ଭାସନ୍ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଡିଏଫ୍ଓ ଅମ୍ଳାନ ନାୟକ, ସ୍ଥାନୀୟ ତହସିଲଦାର ବିଶ୍ୱରଞ୍ଜନ କହଁର, ବିଡିଓ ହଳଧର ଶବର ପ୍ରମୁଖ ଯୋଗ ଦେଇ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରିଥିଲେ । ପର୍ଯ୍ୟଟନ ବିଭାଗର ସହକାରୀ ନିଦେ୍ର୍ଦଶକ ଡ. ରତିକାନ୍ତ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *