ପ୍ରି-କ୍ୱାର୍ଟରରେ ଆର୍ଜେଣ୍ଟିନା
ଫିଫା ବିଶ୍ୱକପ୍ ୨୦୨୨
ଦୋହା, ୧ା୧୨ (ଏଜେନ୍ସି): ଦୁଇ ଥର ବିଜେତା ଆର୍ଜେଣ୍ଟିନା ଫୁଟ୍ବଲ୍ ବିଶ୍ୱକପ୍ ୨୦୨୨ର ପ୍ରି-କ୍ୱାର୍ଟର୍ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଜର୍ମାନ୍ କ୍ଲବ୍ ପିଏସ୍ଜିର ତାରକା ଫୁଟ୍ବଲର୍ ଲିଓନେଲ୍ ମେସୀଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଟିମ୍ ଗ୍ରୁପ୍-ସି’ରେ ନିଜ ଶେଷ ମ୍ୟାଚ୍ରେ ପୋଲାଣ୍ଡକୁ ୨-୦ରେ ମାତ୍ ଦେଇଛି । ତେବେ ପରାଜୟ ସତ୍ତ୍ୱେ ପୋଲାଣ୍ଡ ଟିମ୍ ନକ୍ଆଉଟ୍ ରାଉଣ୍ଡରେ ସ୍ଥାନ ପାଇଛି ।
ଅନ୍ୟପଟେ, ପ୍ରଥମ ମ୍ୟାଚ୍ରେ ବିପର୍ଯ୍ୟୟ ଘଟାଇଥିବା ସାଉଦୀ ଆରବ ଓ ମେକ୍ସିକୋ ଟିମ୍ର ଅଭିଯାନ ଶେଷ ହୋଇଛି । ଅନ୍ୟ ଏକ ମ୍ୟାଚ୍ରେ ମେକ୍ସିକୋ ୨-୧ରେ ସାଉଦୀ ଆରବକୁ ହରାଇଥିଲା ।
ମେସୀଙ୍କ ଟିମ୍ ଟପ୍ପର
ପ୍ରଥମ ମ୍ୟାଚ୍ରେ ଅପ୍ରତ୍ୟାଶିତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ମେସୀଙ୍କ ଟିମ୍ ଗ୍ରୁପ୍-ସି’ରେ ତିନି ମ୍ୟାଚ୍ରୁ ଛଅ ପଏଣ୍ଟ ପାଇ ଟପ୍ପର ହୋଇଥିବା ବେଳେ ପୋଲାଣ୍ଡ ଚାରି ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ମେକ୍ସିକୋ ଚାରି (ଗୋଲ୍ ବ୍ୟବଧାନ -୧) ଓ ସାଉଦୀ ଆରବ ତିନି ପଏଣ୍ଟ ପାଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ଦ୍ୱିତୀୟାର୍ଦ୍ଧରେ ଆର୍ଜେଣ୍ଟିନାର ଦୁଇଟି ଗୋଲ୍
ଷ୍ଟାଡିୟମ୍ ୯୭୪ରେ ଆର୍ଜେଣ୍ଟିନା ପକ୍ଷରୁ ଆଲେକ୍ସିଜ୍ ମ୍ୟାକ୍ ଆଲିଷ୍ଟର ଓ ଜୁଲିଅନ୍ ଅଲ୍ଭାରେଜ୍ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ । ଏହି ମ୍ୟାଚ୍ରେ ଆର୍ଜେଣ୍ଟିନା ଟିମ୍ ସବୁ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିଲା ।
ଆର୍ଜେଣ୍ଟିନା ଆକ୍ରମଣାତ୍ମକ ଆରମ୍ଭ କରିଥିଲା । ମେସୀ ପ୍ରଥମ ୧୦ ମିନିଟ୍ରେ ଗୋଲ୍ କରିବାକୁ ଏକାଧିକ ପ୍ରୟାସ କରିଥିଲେ; କିନ୍ତୁ ପ୍ରତିପକ୍ଷ ଗୋଲ୍କିପର୍ ଦୁଇଟି ସେଭ୍ କରିଥିଲେ । ଆର୍ଜେଣ୍ଟିନା ଟିମ୍ ଲଗାତାର ଆକ୍ରମଣ ଜାରି ରଖିଥିଲେ ବି ମଧ୍ୟାନ୍ତର ସୁଦ୍ଧା କୌଣସି ଗୋଲ୍ କରିପାରି ନ ଥିଲା ।
ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍ ଆରମ୍ଭ ହେବାର ଏକ ମିନିଟ୍ ପରେ ଆଲିଷ୍ଟର ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ଅଗ୍ରଣୀ କରିଥିଲେ । ପୋଲାଣ୍ଡ ଗୋଲ୍କିପର୍ଙ୍କ ଡାଇଭ୍ ଏହି ସଟ୍କୁ ଅଟକାଇବା ପାଇଁ ପର୍ଯ୍ୟାପ୍ତ ନ ଥିଲା ।
୬୭ତମ ମିନିଟ୍ରେ ଅଲ୍ଭାରେଜ୍ ବିଶ୍ୱକପ୍ରେ ପ୍ରଥମ ଗୋଲ୍ ଦେଇ ଆର୍ଜେଣ୍ଟିନାର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ଫର୍ଣ୍ଣାଣ୍ଡିସ୍ ଏକ ସୁନ୍ଦର ପାସ୍ ଦେଇ ଅଲ୍ଭାରେଜ୍ଙ୍କ ପାଇଁ ଏହି ସୁଯୋଗ ସୃଷ୍ଟି କରିଥିଲେ । ଶେଷ ଯାଏଁ ପୋଲାଣ୍ଡ ଟିମ୍ କୌଣସି ଗୋଲ୍ ପରିଶୋଧ କରିପାରି ନ ଥିଲା ।
ସାଉଦୀକୁ ହରାଇଲା ମେକ୍ସିକୋ
ମେକ୍ସିକୋ ଟିମ୍ ସାଉଦୀ ଆରବ ବିପକ୍ଷ ନିଜ ଶେଷ ଗ୍ରୁପ୍ ମ୍ୟାଚ୍ରେ ୨-୧ରେ ବିଜୟ ହାସଲ କରିଛି । ମେକ୍ସିକୋ ଟିମ୍ ପୋଲାଣ୍ଡ ସହ ଚାରି ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନ ଆଧାରରେ ତୃତୀୟ ସ୍ଥାନରେ ରହି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇପାରି ନାହିଁ ।
ମ୍ୟାଚ୍ର ୪୭ତମ ମିନିଟ୍ରେ ହେନରୀ ମାର୍ଟିନ୍ ଗୋଲ୍ କରି ମେକ୍ସିକୋକୁ ଅଗ୍ରଣୀ କରିଥିଲେ । ଏହାପରେ ୫୨ତମ ମିନିଟ୍ରେ ଲୁଇସ୍ ଚାଭେଜ୍ ସ୍କୋର୍ କରି ମେକ୍ସିକୋର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ସାଉଦୀ ଆରବ ଦ୍ୱିତୀୟାର୍ଦ୍ଧର ଏନ୍ଜୁରୀ ଟାଇମ୍ରେ ଏକମାତ୍ର ଗୋଲ୍ ଦେଇଥିଲା । ସାଲେମ୍ ଅଲ୍ ଡସାରୀ ଏହି ଗୋଲ୍ କରିଥିଲେ ।