ଜି-୨୦ରେ ଭାରତର ଅଧ୍ୟକ୍ଷତା ଆରମ୍ଭ
ଏକ ପୃଥିବୀ – ଏକ ପରିବାର – ଏକ ଭବିଷ୍ୟ ଏଜେଣ୍ଡା
ନୂଆଦିଲ୍ଲୀ, ୧ା୧୨ (ଏଜେନ୍ସି): ବିଶ୍ୱର ବୃହତ୍ତମ ଅର୍ଥନୀତି ଫୋରମ୍ ଜି-୨ଠର ଅଧ୍ୟକ୍ଷ ପଦ’କୁ ଭାରତ ବିଧିବଦ୍ଧ ଭାବେ ଗ୍ରହଣ କରିଛି । ଆଗାମୀ ୧ ବର୍ଷ ଯାଏ ଭାରତ ଏହି ପଦ ବଜାୟ ରଖିବ । ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨ଠ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ମାନବିକତାର ସାମଗ୍ରିକ ଉନ୍ନତି ପାଇଁ ଉଦ୍ଦିଷ୍ଟ ଚିନ୍ତାଧାରାରେ ଏକ ମୌଳିକ ପରିବର୍ତ୍ତନର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ, ଆସନ୍ତା ବର୍ଷ ୨ଠ୨୩ ସେପ୍ଟେମ୍ବର ୯-୧ଠରେ ନୂଆଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ଜି-୨ଠ ଶିଖର ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବ ।
ମୋଦିଙ୍କ କହିବାନୁସାରେ ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ଜି-୨ଠର ଶୀର୍ଷକ ‘ବସୁଧୈବ କୁଟୁମ୍ବକମ୍’ ରଖାଯାଇଛି । ଏତଦ୍ବ୍ୟତୀତ ଜି-୨ଠ ପାଇଁ ଭାରତ ନିଜ ଉଦେ୍ଦଶ୍ୟ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’କୁ ମଧ୍ୟ ସ୍ପଷ୍ଟ କରିଛି । ବିଶ୍ୱ କଲ୍ୟାଣ ପାଇଁ ଏକ ସାମଗ୍ରିକ୍, ଉଚ୍ଚାଭିଳାଷୀ, କାର୍ଯ୍ୟ ଆଧାରିତ ତଥା ନିର୍ଣ୍ଣାୟକ ଏଜେଣ୍ଡା ଆଧାରରେ କାମ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ, ଯାହାକି ଜଳବାୟୁ ପରିବର୍ତ୍ତନଜନିତ ଆଶଙ୍କାକୁ ହ୍ରାସ କରିବା ଦିଗରେ ବେଶ୍ ସହାୟକ ହେବ ।
ମୋଦି କହିଛନ୍ତି, ଜି-୨ଠ ବିଶ୍ୱ ଅର୍ଥନୈତିକ ସହଯୋଗର ଏକ ପ୍ରଭାବଶାଳୀ ସଂଗଠନ ହୋଇଥିବା ବେଳେ ଭାରତ ଏହାର ଅଧ୍ୟକ୍ଷତା କରିବାକୁ ଯାଉଛି । ଜି-୨ଠ ସଦସ୍ୟ ରାଷ୍ଟ୍ରଙ୍କ ସାମୂହିକ ଜିଡିପି, ବିଶ୍ୱର ମୋଟ୍ ଘରୋଇ ଉତ୍ପାଦ (ଜିଡିପି)ର ୮୫%, ବିଶ୍ୱ ବାଣିଜ୍ୟର ୭୫%ରୁ ଅଧିକ ଏବଂ ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶକୁ ପ୍ରତିନିଧିତ୍ୱ କରିଥାଏ । ପ୍ରକାଶ, ନିକଟରେ ଶେଷ ହୋଇଥିବା ଇଣ୍ଡୋନେସିଆର ବାଲି ଠାରେ ଆୟୋଜିତ ହୋଇଯାଇଥିବା ଜି-୨ଠ ଶିଖର ସମ୍ମିଳନୀର ଶେଷ ପର୍ଯ୍ୟାୟରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜେକୋ ୱିଡୋଡୋ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜି-୨ଠର ଅଧ୍ୟକ୍ଷତା ପଦ ହସ୍ତାନ୍ତର କରିଥିଲେ ।
ଜି-୨ଠରେ ଭାରତର ଅଧ୍ୟକ୍ଷତାକୁ ସ୍ମରଣୀୟ କରିବା ଉଦେ୍ଦଶ୍ୟରେ ଦେଶର ପ୍ରାୟ ୧ଠଠଟି ଏଏସ୍ଆଇ ତଥା ୟୁନେସ୍କୋ ମାନ୍ୟତାପ୍ରାପ୍ତ ଐତିହ୍ୟରାଜି ଠାରେ ଜି-୨ଠର ଲୋଗୋ’କୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଆଲୋକମାଳାରେ ଉଦ୍ଭାସିତ କରାଯିବ । ପ୍ରକାଶ, ଓଡ଼ିଶାର କୋଣାର୍କ ମନ୍ଦିର ମଧ୍ୟ ଏହି ସ୍ମାରକୀରେ ସାମିଲ ରହିଛି । ଜାତୀୟ ପତାକା ରଙ୍ଗରେ ସଜ୍ଜିତ ଜି-୨ଠ ଲୋଗୋ ତଳେ ଦେବନଗରୀ ଲିପିରେ ଭାରତ ଉଲ୍ଳେଖ କରାଯାଇଛି । ସୂଚନାଯୋଗ୍ୟ ଭାରତ ଜି-୨ଠର ଅଧ୍ୟକ୍ଷତା କରିବା ସମୟକାଳ (ଆଗାମୀ ୧ ବର୍ଷ ମଧ୍ୟରେ)ରେ ଦେଶର ବିଭିନ୍ନ ସ୍ଥାନରେ ୩୨ଟି କ୍ଷେତ୍ରରେ ପ୍ରାୟ ୨ଠଠରୁ ଅଧିକ ବୈଠକ ଆୟୋଜିତ ହେବା ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି ।
ପ୍ରକାଶ, ଜି-୨ଠ ଗ୍ରୁପ୍ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଭାରତ, ବ୍ରାଜିଲ୍, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷ୍, ସାଉଦିଆରବ, ଦକ୍ଷିଣ ଆଫ୍ରିକା, ତୁକ୍ରୀ, ବି୍ରଟେନ୍, ଆମେରିକା ଏବଂ ୟୁରୋପୀୟ ୟୁନିଅନ୍ (ଇୟୁ) ଆଦି ସାମିଲ ରହିଛନ୍ତି ।