ନିର୍ଣ୍ଣାୟକ ମୋଡ଼ରେ ପଦ୍ମପୁର ପ୍ରଚାର
ଭୁବନେଶ୍ୱର, ୧ା୧୨ (ବୁ୍ୟରୋ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଧୁଆଁଧାର ପ୍ରଚାର ଚାଲିଛି । ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବାରୁ ସବୁ ଦଳର ହେଭିୱେଟ ନେତା ପଦ୍ମପୁରରେ ଡେରା ପକାଇ ଜନସମର୍ଥନକୁ ନିଜ ସପକ୍ଷକୁ ଆଣିବା ପାଇଁ ସମସ୍ତ ବଳ ଖଟାଇ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମଧ୍ୟ ପଦ୍ମପୁରରେ ପ୍ରଚାର କରିଥିବାବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିର୍ବାଚନମଣ୍ଡଳୀର ୩ ସ୍ଥାନରେ ସଭା କରିବ ବିଜେଡି ପ୍ରାର୍ଥୀ ବର୍ଷରା ସିଂ ବରିହାଙ୍କ ପାଇଁ ଭୋଟ୍ ମାଗିବେ ।
ପଦ୍ମପୁରରୁ ତିନୋଟି ବ୍ଲକ ପାଇକମାଲ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ଜନସଭା କରିବା କାର୍ଯ୍ୟକ୍ରମ ରହିଛି । ବିଜେପି ପାଇଁ ୪ ଜଣ କେନ୍ଦ୍ରମନ୍ତ୍ରୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେଣୁ ପଦ୍ମପୁର ଗସ୍ତବେଳେ ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କଣ କହୁଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି । ଧାମନଗର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଯାଇ ନ ଥିଲେ । ଭର୍ଚୁଆଲରେ ସେ ପ୍ରଚାର କରିଥିଲେ । ଏବେ ପଦ୍ମପୁରକୁ ପ୍ରଚାର ପାଇଁ ଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି ।
ସୂଚନାଯୋଗ୍ୟ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିବେ । ଏହି ଗୋଟିଏ ଦିନରେ ସେ ନିର୍ବାଚନମଣ୍ଡଳୀର ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁରଠାରେ ନିର୍ବାଚନୀ ସଭା କରିବେ । ଭୁବନେଶ୍ୱରରୁ ହେଲିକପ୍ଟରରୁ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ପହଞ୍ଚିବା ପରେ ନିର୍ବାଚନୀ ସଭାରେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତସୂଚୀ ନେଇ ତାଙ୍କ ଅଫିସରୁ ଦିଆଯାଇଥିବା ସୂଚନା ଅନୁସାରେ ସକାଳ ୧୦ଟାରୁ ନବୀନ ନିବାସରୁ ବାହାରିବେ । ୧୦ଟା ୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବେ । ୧୦ଟା ୧୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ୧୧ଟାରେ ପଦମପରୁ ସତୀଭଟ ଏୟାରଷ୍ଟ୍ରିପ୍ରେ ପହଞ୍ଚôବେ । ୧୧ଟା ୦୫ରେ ସତୀଭଟ ଏୟାରଷ୍ଟ୍ରିପ୍ରୁ ହେଲିକପ୍ଟର ଯୋଗେ ଝାରବନ୍ଧ ଶକ୍ତି ଛକ ହେଲିପ୍ୟାଡ୍ରେ ଅବତରଣ କରି ସଭାସ୍ଥଳରେ ପହଞ୍ଚିବେ । ୧୨ଟା ୧୦ରେ ଶକ୍ତି ଛକରୁ ବାହାରି ପାଇକମାଳ ଏମଇ ସ୍କୁଲ ଗ୍ରାଉଣ୍ଡରେ ପହଞ୍ଚି ପାଇକମାଳ ହାଇସ୍କୁଲ ଗ୍ରାଉଣ୍ଡରେ ସାଧାରଣ ସଭାରେ ପ୍ରଚାର କରିବେ ।
ଏହାପରେ ଅପରାହ୍ନ ଗୋଟାଏ ୧୫ରେ ପାଇକମାଳ ଏମଇ ସ୍କୁଲ ଗ୍ରାଉଣ୍ଡ୍ରୁ ବାହାରି ଗୋଟାଏ ୩୦ରେ ଆରଏଲ୍ କଲ୍ୟାଣ ମଣ୍ଡପ କ୍ୟାମ୍ପସ ହେଲିପ୍ୟାଡ୍ରେ ଅବତରଣ କରି କଲ୍ୟାଣ ମଣ୍ଡପକୁ ଯିବେ । ସେଠାରୁ ୩ଟା ୧୫ରେ ବାଇ ରୋଡ୍ ଯାଇ ୩ଟା ୩୦ରେ ପଦମପୁର ହାଇସ୍କୁଲ ଗ୍ରାଉଣ୍ଡ୍ରେ ପହଞ୍ଚି ସାଧାରଣ ସଭାକୁ ଉଦ୍ବୋଧନ ଦେବେ । ୪ଟା ୨୫ରେ ସତୀଭଟ ଏୟାରଷ୍ଟ୍ରିପ୍ରେ ପହଞ୍ଚି ସେଠାରୁ ଫେରି ୫ଟା ୨୦ରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବେ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନିଜ ବଳ ବଢ଼ାଇଛି ବିଜେପି । ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ । ଗୁରୁବାର ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଞ୍ଜୟ ଭୋଇ ହାତ ଛାଡ଼ି ପଦ୍ମ ଧରିଛନ୍ତି । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ।
ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି । ପଦମପୁରରେ ପ୍ରଚାର ବେଳେ ଧର୍ମେନ୍ଦ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ମହିଳା ପ୍ରତିନିଧିଙ୍କୁ ଉସୁକାଉଥିବା ଅଭିଯୋଗରେ ବିଜେଡି ଫେରାଦ ହୋଇଛି । ଗତ ୨୯ ତାରିଖରେ ପ୍ରଚାରବେଳେ ଧର୍ମେନ୍ଦ୍ର ସେହି ଗଣମାଧ୍ୟମର ମହିଳା ପ୍ରତିନିଧିଙ୍କୁ କହିଥିଲେ, ରାଜ୍ୟର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଖୋଲାଖୋଲି ମାଡ ମାରିବାକୁ । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ରଣେନ୍ଦ୍ରଙ୍କ ଡାକ ନାମ ରାଜା ସମ୍ବୋଧନ କରି ଧର୍ମେନ୍ଦ୍ର ଉକ୍ତ ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କୁ ପିଟିବାକୁ ଉସୁକାଉଛନ୍ତି । ବିଜେଡି ଏହାର କଡ଼ା ନିନ୍ଦା କରିବା ସହ ଧର୍ମେନ୍ଦ୍ରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ବୋଲି ସିଇଓଙ୍କ ନିକଟରେ ଦାବି କରିଛି ।
ସେହିପରି ଡିସେମ୍ବର ୩୦ତାରିକରେ ନିରୂପମା ବାଗ ଅପରାହ୍ନ ସମୟରେ ବିଜେପି ପକ୍ଷରୁ ପ୍ରଚାର କରୁଥିଲେ । ଶ୍ରୀମତୀ ବାଗଙ୍କୁ ବିଜେଡିର ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନିଦେ୍ର୍ଦଶରେ ବିଜେଡି ଗୁଣ୍ଡାମାନେ ମାଡମାରି ଗୁରୁତର କରିଛନ୍ତି । ଏନେଇ ଶ୍ରୀମତୀ ବାଗ ପାଇକମାଲ ପୁଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି । ଦୁଃଖ ଓ ପରିତାପର ବିଷୟ ଯେ, ବାରମ୍ବାର ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହେବା ସତ୍ତ୍ୱେ ପାଇକମାଳର ଆଇଆଇସି ଏନେଇ ଆଜି ପର୍ଯ୍ୟନ୍ତ କୌଣସି ଅଭିଯାଗର ଏଫଆଇ ଦାୟର କରିନାହାନ୍ତି । ଶାସକ ଦଳର ହିଂସ୍ର ମନୋବୃତି ପାଇଁ ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନନ୍ତସିଂହାରଙ୍କ ତତ୍ତ୍ୱାବଧାନରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।