କାମ ସରୁନି, ଉଦ୍ଘାଟନ ନେଇ ଅନିଶ୍ଚିତତା

ଖଲ୍ଲିକୋଟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଅବଧି ଶେଷ
ଖଲ୍ଲିକୋଟ (ଆପ୍ର): ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଗତ ଏକ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ୫ କୋଟି ଟଙ୍କା ବ୍ୟୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଗୋଟିଏ ଲେଖାଏଁ ବିଜୁ ପଟ୍ଟନାୟକ ଖେଳ ଭବନ(ଇଣ୍ଡୋର ଷ୍ଟାଡିୟମ) ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ତଦନୁଯାୟୀ ଖଲ୍ଲିକୋଟ ଏନ୍ଏସିର ଜୟଦୁର୍ଗା ପାହାଡ଼ ତଳେ ମିନିଷ୍ଟାଡିୟମର ପ୍ରାୟ ୧୫ ମିଟର ପାଚେରି ଭଙ୍ଗା ଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଷ୍ଟାଡିୟମ ନିର୍ମାଣ ପାଇଁ ଜୟଦୁର୍ଗା ପାହାଡ଼ର ପାଦଦେଶରେ ଥିବା ଘଞ୍ଚ ଜଙ୍ଗଲରୁ ପ୍ରାୟ ୫ଶହ ଟ୍ରକ ମୋରମକୁ ବେଆଇନ ଭାବେ କଟାଯାଇ ମାର୍କେଟରେ ଶାଗମାଛ ଦରରେ ବିକ୍ରି କରାଯାଇଥିଲେ ମଧ୍ୟ ପ୍ରଶାସନ ସବୁ ଜାଣି ଆଖି ବୁଜି ଦେଇଥିଲା । ଗତ ଜାନୁୟାରୀ ୨୦୨୨ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ଖେଳ ଭବନ ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀମାନେ ସଠିକ ଭାବେ ତଦାରଖ ନ କରିବା ଫଳରେ କୋଠା ନିର୍ମାଣରେ ନିମ୍ନମାନର ସିମେଣ୍ଟ, ରଡ୍ ଓ ଇଟା ବ୍ୟବହାର ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନ ଥିଲେ । କୋଠାର ୪୦ଫୁଟ ଉପରେ ଶ୍ରମିକମାନେ ବିପଦ ସଙ୍କୁଳ ଅବସ୍ଥାରେ କାମ କରୁଥିବା ବେଳେ ସେମାନଙ୍କୁ ହେଲମେଟ କିମ୍ବା କୌଣସି ସୁରକ୍ଷା ସରଞ୍ଜାମ ଯୋଗାଯାଇ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଗତ ଏକବର୍ଷ ହେଲା କୋଠା ନିର୍ମାଣ ଚାଲିଥିବା ବେଳେ ଏଯାବତ ପ୍ରାୟ ୬୦ ଭାଗ କାମ ସରିପାରିନି । ଠିକାଦାର ଓ ପୂର୍ତ୍ତ ବିଭାଗ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାଇ ଗତ ୯.୧୦.୨୦୨୨ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା । ନିର୍ମାଣ କାର୍ଯ୍ୟରେ ବିଳମ୍ବ କାରଣରୁ ଏହି କୋଠା ଉଦ୍ଘାଟନ ନେଇ ଅନିଶ୍ଚିତତା ଦେଖା ଦେଇଛି । ଉକ୍ତ ଷ୍ଟାଡିୟମ ନିର୍ମାଣ ଯୋଗୁ ମିନି ଷ୍ଟାଡିୟମର ପାଚେରି ସହ ପଡ଼ିଆ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ବ୍ଲକ ମିନି ଷ୍ଟାଡିୟମ ପାଇଁ ଖର୍ଚ୍ଚ କରିଥିବା ୨୬ଲକ୍ଷ ଟଙ୍କା ପାଣିରେ ପଡ଼ିଯାଇଛି । ଖଲ୍ଲିକୋଟ ଏନ୍ଏସି ମୁକ୍ତା ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଉକ୍ତ ମିନି ଷ୍ଟାଡିୟମରେ ୧୨ଲକ୍ଷ ଟଙ୍କାରେ ଏକ ଜଗିଂ ଟ୍ରାକ ନିର୍ମାଣ ଚାଲିଥିବା ବେଳେ ଖଲ୍ଲିକୋଟ ଏନ୍ଏସି ଅପେରା ମଞ୍ଚସ୍ଥ ପାଇଁ ଆଦେଶ ଦେବା ଫଳରେ ଅସନ୍ତୋଷ ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *