ଓଡ଼ିଶା ଶ୍ରେଷ୍ଠ ନିବେଶସ୍ଥଳୀ

ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨ଠ୨୨ ଆରମ୍ଭ
ଭୁବନେଶ୍ୱର, ୩୦ା୧୧ (ବୁ୍ୟରୋ): ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ । ରିବନ କାଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣିଜ୍ୟ ମହାକୁମ୍ଭକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଜାପାନ, ଜର୍ମାନୀ, ନରୱେ ଓ ନେପାଳର ରାଷ୍ଟ୍ରଦୂତଙ୍କ ସହ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଅତିଥି ଭାବେ ଉପସ୍ଥିତ ଥିଲେ । କଟକ ଓ ଭୁବନେଶ୍ୱରର ମେୟର ମଧ୍ୟ ଉଦଘାଟନୀ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ରହିଥିଲେ । ଦେଶବିଦେଶର ଶିଳ୍ପପତିଙ୍କୁ ନେଇ ଏହି ବହୁ ପ୍ରତୀକ୍ଷିତ ମହାସମାବେଶ ରାଜଧାନୀର ଜନତା ମଇଦାନରେ ଆରମ୍ଭ ହୋଇଛି । ଦେଶବିଦେଶରୁ ୧୦୦ରୁ ଅଧିକ ଶିଳ୍ପପତି ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମେକ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଓଡ଼ିଶାକୁ ଆସିବ ବୋଲି ଆଶା କରାଯାଉଛି । ପୂର୍ବରୁ ୨୦୧୬ ଏବଂ ୨୦୧୮ରେ ଅନୁଷ୍ଠିତ ଦୁଇଟିଯାକ ସମ୍ମିଳନୀରେ ଆସିଥିବା ମୋଟ ନିବେଶ ପ୍ରସ୍ତାବ ତୁଳନାରେ ଏଥର ଅଧିକ ନିବେଶ ପ୍ରସ୍ତାବ ଆସିବ ବୋଲି ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ।
ମେକ ଇନ ଓଡ଼ିଶାରେ ଦେଶ ବିଦେଶର ୧୦୦ରୁ ଅଧିକ ଶିଳ୍ପପତି ଅଂଶଗ୍ରହଣ କରୁଛନ୍ତି । ୭ ପ୍ରମୁଖ କ୍ଷେତ୍ର ଉପରେ କାର୍ଯ୍ୟକ୍ରମରେ ଫୋକସ ରହିବ । ଏହି ସଂସ୍କରଣ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟରକୁ ଅଧିକ ଫୋକସ୍ କରାଯାଇଛି । ସେହିପରି ମେକ ଇନ ଓଡିଶା ପାଇଁ ଚଳିତ ଥର ଜାପାନ, ନରୱେ ଏବଂ ଜର୍ମାନୀର କଣ୍ଟ୍ରି ପାର୍ଟନର ଥିବା ବେଳେ ମିତ୍ତଲ, ବିର୍ଲା, ବେଦାନ୍ତ, ଜିନ୍ଦଲ କମ୍ପାନୀ ଗ୍ରୁପ ଭଳି ବଡ଼ ବଡ଼ କମ୍ପାନୀର ମୁଖ୍ୟମାନେ ଏଥିରେ ଯୋଗ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଫିକି ସହ ଓଡ଼ିଶା ସରକାରଙ୍କର ସମ୍ପର୍କ ଉତ୍ତମ ରହିଛି ।
ମେକ ଇନ୍ ଓଡ଼ିଶା କନକ୍ଳେଭକୁ ଅଧିକ ସଫଳ କରିବାରେ ଫିକିର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ମିଶନଶକ୍ତି ମାଧ୍ୟମରେ ରାଜ୍ୟ ସରକାର ମହିଳାଙ୍କ ସଶକ୍ତିକରଣ ପାଇଁ ଦାୟିତ୍ୱପୂର୍ଣ୍ଣ ଭାବେ କାମ କରୁଛନ୍ତି । ତୃଣମୂଳସ୍ତରରୁ ମହିଳା ଉଦ୍ୟୋଗୀ ସୃଷ୍ଟି ସହ ସେମାନଙ୍କୁ ତାଲିମ ଦେବାକୁ ଫିକି ହାତ ବଢ଼ାଉ । ଓଡ଼ିଶାକୁ ଦେଶର ଶ୍ରେଷ୍ଠ ନିବେଶସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଫିକି ସବୁ ପ୍ରକାର ସହଯୋଗ କରୁ । ପୂର୍ବ ଭାରତରେ ବ୍ୟବସାୟ, ବାଣିଜ୍ୟ ଓ ଶିଳ୍ପାୟନରେ ଓଡ଼ିଶା ସବୁଠୁ ଆଗରେ । ତେଣୁ ଓଡ଼ିଶାକୁ ପୁଞ୍ଜିପତିଙ୍କ ପ୍ରଥମ ପସନ୍ଦ ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ସମ୍ମିଳନୀରେ ଭାଗ ନେବା ପାଇଁ ଏ ପର୍ଯ୍ୟନ୍ତ ୧୧,୬୦୦ରୁ ଅଧିକ ପଞ୍ଜୀକରଣ ହୋଇଛି । ସମ୍ମିଳନୀରେ ମୋଟ ୩୮ କାର୍ଯ୍ୟକ୍ରମ ରହିବ ଏବଂ ୧୨୪ ଜଣ ବକ୍ତା ଭାବେ ଯୋଗଦେବେ । ସମ୍ମିଳନୀର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାରଙ୍କ ୨୨ ବିଭାଗ କାର୍ଯ୍ୟ କରୁଛି । ମେକ୍ ଇନ ଓଡ଼ିଶା ପୋର୍ଟାଲରେ ପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ଅଧିବେଶନ, ପ୍ରସଙ୍ଗଭିତ୍ତିକ ଅଧିବେଶନ, କ୍ଷେତ୍ରଭିତ୍ତିକ ଅଧିବେଶନ ଏବଂ ବକ୍ତାଙ୍କ ସମ୍ପର୍କରେ ବିବରଣୀ ଉପଲବ୍ଧ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *