ଆନେ୍ଦାଳନ ଜୋରଦାର ହେବ
ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ ଜାରି
ଡେଲାଙ୍ଗ (ଆପ୍ର): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ପରିସରରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପକ୍ଷରୁ ୮ଦଫା ଦାବିପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ୧୦ଦିନ ଧରି ଚାଲିଥିବା ଏହି ଗଣଧାରଣାରେ ବ୍ଲକ୍ ସ୍ଥିତ ୧୭୯ ଅଙ୍ଗନବାଡ଼ି କେନ୍ଦ୍ରର ୩୫୮ଜଣ କର୍ମୀ ଓ ସହକାରୀ ସେମାନଙ୍କ ଦାବିପୂରଣ ନେଇ ବିଭିନ୍ନ ନାରାବାଜି କରିବା ସହ ରାଜ୍ୟ ସରକାରଙ୍କ ପକ୍ଷପାତ ନୀତି ବିରୋଧରେ ଗର୍ଜିଛନ୍ତି । ସଂଘ ସଭାନେତ୍ରୀ ଜ୍ୟୋସ୍ନାରାଣୀ ସାହୁ ଓ ସମ୍ପାଦିକା ମମତା ବରାଳଙ୍କ ନେତୃତ୍ୱରେ ଏହି ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ବ୍ଲକ୍ କାର୍ଯ୍ୟାଳୟସ୍ଥିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଅଫିସ୍ ପାର୍ଶ୍ୱରେ ବସି ରହିଥିବା ବେଳେ ୮ଦଫା ଦାବି ପୂରଣ ନ ହେଲେ ଆନେ୍ଦାଳନ ଆଗାମୀ ଦିନରେ ତୀବ୍ରରୂପ ଧାରଣ କରିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
୨୦୧୮ ମସିହାରେ କାର୍ଯ୍ୟରୁ ବହିଷ୍କୃତ ଅଙ୍ଗନୱାଡ଼ି କର୍ମୀଙ୍କୁ ପୁନର୍ବାର ନିଯୁକ୍ତି, ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ଦରମା ବୃଦ୍ଧି, ମିନି ଅଙ୍ଗନବାଡି କେନ୍ଦ୍ର ଉଚ୍ଛେଦ, ପେନ୍ସନ୍ ସୁବିଧା, ମୃତୁ୍ୟକାଳୀନ ସହାୟତା ରାଶି, ଗାଁ କଲ୍ୟାଣ ସମିତିରୁ ସେମାନଙ୍କୁ ବାଦ୍ ଦେବା, ଗ୍ରୀଷ୍ମ ଅବକାଶ ଛୁଟି, ଶିକ୍ଷୟିତ୍ରୀ ମାନ୍ୟତା ଓ ପଦୋନ୍ନତି ଆଦି ୮ଦଫା ଦାବିପୂରଣ ଦିଗରେ ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ ଏହି ଗଣଧାରଣା ଓ ବିକ୍ଷୋଭ ଜାରି ରହିବ ବୋଲି ସଂଘର ସଭାନେତ୍ରୀ ଜ୍ୟୋସ୍ନାରାଣୀ ସାହୁ କଡ଼ା ଚେତାବନୀ ଦେଇଛନ୍ତି ।