ପୁଣି ଜୀବନ ନେଲା ବିଏମ୍ସି ଅଳିଆ ଗାଡ଼ି
ଭୁବନେଶ୍ୱର (ବୁ୍ୟରୋ): ବିଏମ୍ସି ଅଳିଆ ଗାଡ଼ି ଚକା ତଳେ ପୁଣି ଜଣଙ୍କ ଜୀବନ ଯାଇଛି । ଭୁବନେଶ୍ୱର ଭିଏସ୍ଏସ୍ ନଗର ଅଳିଆ ଗଦା ନିକଟରେ ଏକ ୨ ଚକିଆକୁ ଅଳିଆ ବୁହା ଗାଡ଼ି ପଛରୁ ପିଟିବା କାରଣରୁ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତୁ୍ୟହୋଇଛି । ଅନ୍ୟ ଜେଣ ଗରୁତର ଥିବା ଜଣାପଡ଼ିଛି । ମୃତଦେହକୁ ରଖି ଭିଏସ୍ଏସ୍ ନଗର ସୈନିକ ସ୍କୁଲ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି । ମୃତକ ଜଣକ ସ୍ଥାନୀୟ ବସ୍ତିର । ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ମୃତକ ଜଣକ ଏକ ବାଇକ୍ରେ ଯାଉଥିବାବେଳେ ପଛରୁ ଧକ୍କା ଦେଇଥିଲା ଟ୍ରକ୍ । ଦୁର୍ଘଟଣା ପରେ ପ୍ରାୟ ୧୦୦ ମିଟର ଦୂରକୁ ମୃତ ଦେହ ଘୋଷାଡି ନେଇଥିଲା । ପ୍ରତିଦିନ ଭଳି ଭିଏସ୍ଏସ୍ ନଗର ଅଳିଆ ଗଦାରୁ ଏହି ଟ୍ରକ୍ ଅଳିଆ ନେଇ ଦାରୁଠେଙ୍ଗ ଯାଉଥିଲା । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସେପଟେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଛି ।
ଉତ୍ତେଜନା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ଲୋକଙ୍କୁ ବୁଝାସୁଧା କରି ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ହଟାଇବାବେଳେ ବିରୋଧ ହୋଇଥିଲା । ଏଥିଯୋଗୁ ପୁଲିସ ମୃଦୁ ଲାଠି ଚାଳନା କରିଛି । ଉତ୍ତ୍ୟକ୍ତ ଲୋକେ ମଧ୍ୟ ପୁଲିସ ଉପରେ ଢେଲା, ପଥର ମାଡ଼ କରିଛନ୍ତି । ଏହାକୁ ନେଇ ଘଟଣାସ୍ଥଳ ରଣାଙ୍ଗନାରେ ପରିଣତ ହୋଇଛି । ସୂଚନାଥାଉ କି, ଏହା ଆଗରୁ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ମଧ୍ୟ ଏପରି ଏକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୨ ଜଣଙ୍କ ମୃତୁ୍ୟ ହୋଇଥିଲା । ପରେ ଲୋକଙ୍କ ପ୍ରବଳ ବିରୋଧକୁ ଦେଖି ବିଏମ୍ସି ମୃତକଙ୍କ ପରିବାର ଲକ୍ଷାଧିକ ଟଙ୍କା କ୍ଷତିପୂରଣ ଦେଇଥିଲା ।