ଟ୍ରେନ୍ରେ ନିଶା ଦେଇ ୪ ଯାତ୍ରୀଙ୍କୁ ଲୁଟ୍
ବ୍ରହ୍ମପୁର (ବୁ୍ୟରୋ): ଟ୍ରେନ୍ରେ ନିଶା ଦେଇ ୪ ଯାତ୍ରୀଙ୍କୁ ଲୁଟ୍ କରାଯାଇଛି । ପୁରୀ-ଗୁଣପୁର ଟ୍ରେନ୍ରେ ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଛି । ଅଚେତ ଅବସ୍ଥାରେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ୪ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସରକାରୀ ରେଳବାଇ ପୁଲିସ ଓ ରେଳ ସୁରକ୍ଷା କର୍ମଚାରୀମାନେ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ଳେଖା ହେବା ସୁଦ୍ଧା ସମସ୍ତେ ଅଚେତ ରହିଥିବାରୁ କଣ କଣ ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।
ବୁଧବାର ଅପରାହ୍ନ ୪ଟା ବେଳେ ପୁରୀ-ଗୁଣପୁର ଏକ୍ସପ୍ରେସ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚି ଥିଲା । ଗୋଟିଏ ବଗିରେ ବସିଥିବା ଦୁଇ ମହିଳା ଓ ଦୁଇ ପୁରୁଷ ନିଜ ସିଟ୍ରେ ବସି ରହିଥିଲେ । ୪ ଜଣ ବ୍ରହ୍ମପୁରରେ ଓହ୍ଲାଇବେ ବୋଲି ପାଖ ସିଟରେ ବସିଥିବା ଅନ୍ୟ ଯାତ୍ରୀମାନେ ଜାଣିଥିଲେ । ଟ୍ରେନ ବ୍ରହ୍ମପୁର ପହଞ୍ଚିବା ପରେ ମଧ୍ୟ ସେମାନେ ନିଜ ସିଟରେ ଆଖି ବନ୍ଦ କରି ମୁହଁ ତଳକୁ କରି ବସିରହିଥିବାରୁ ଅନ୍ୟ ଯାତ୍ରୀମାନେ ତାଙ୍କୁ ଡାକିଥିଲେ । ଯେତେ ଡାକିଲେ ମଧ୍ୟ କେହି କିଛି ଉତ୍ତର ନ ଦେଇ ନ ଥିଲେ । ସେମାନଙ୍କ ପାଖରେ ଥିବା ବ୍ୟାଗଗୁଡ଼ିକ ଖୋଲା ହୋଇ ଜିନିଷ ଏଣେତେଣେ ପଡ଼ିଥିଲା । ଦୁଇ ମହିଳାଙ୍କ ବେକ ଓ କାନରେ ଅଳଙ୍କାର ନ ଥିଲା । ସନେ୍ଦହ ହେବାରୁ ଯାତ୍ରୀମାନେ ପୁଲିସ କର୍ମଚାରୀଙ୍କୁ ଖବର ଦେଇଥିଲେ । ଜିଆର୍ପି ଓ ଆର୍ପିଏଫ୍ କର୍ମଚାରୀ ପହଞ୍ଚି ୪ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ । ଯାତ୍ରୀମାନଙ୍କ ବୟସ ୫୦ ରୁ ୬୦ ଭିତରେ ହେବ । ଘଟଣାସ୍ଥଳରୁ ମିଳିଥିବା ଜଣେ ଯାତ୍ରୀଙ୍କ ଆଧାରକାର୍ଡରୁ ସେ ବ୍ରହ୍ମପୁର ଆଙ୍କୁଲିର ବୋଲି ଅନୁମାନ କରାଯାଉଛି । ସମସ୍ତେ ପୁରୀରୁ ବ୍ରହ୍ମପୁର ଫେରୁଥିଲେ । ସାକ୍ଷୀଗୋପାଳ ନିକଟରେ କେହି ଜଣେ ସେମାନଙ୍କୁ ପଇଡ଼ ପିଇବାକୁ ଦେଇଥିଲା । ପଇଡ଼ ପିଇବାର କିଛି କ୍ଷଣ ପରେ ସମସ୍ତେ ଶୋଇ ପଡ଼ିଥିଲେ ବୋଲି ଅନ୍ୟ ଯାତ୍ରୀଙ୍କ ଠାରୁ ଶୁଣିବାକୁ ମିଳିଛି । ଲୁଟେରାମାନେ ପଇଡ଼ରେ ନିଶାଦ୍ରବ୍ୟ ମିଶାଇ ସମସ୍ତଙ୍କୁ ପିଇବାକୁ ଦେବା ପରେ ଲୁଟ କରି ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି । ଏ ନେଇ ଜିଆର୍ପି ପକ୍ଷରୁ ତଦନ୍ତ ଜାରି ରହିଛି ।