ଭାରତର ସ୍ତବ୍ଧଭରା ବିଜୟ

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ହକି ଟେଷ୍ଟ
ଆଡିଲେଡ୍, ୩୦ା୧୧ (ଏଜେନ୍ସି): ଶେଷ ମିନିଟ୍ର ଗୋଲ୍ ବଳରେ ଭାରତ ବୁଧବାର ଖେଳାଯାଇଥିବା ତୃତୀୟ ହକି ଟେଷ୍ଟରେ ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆକୁ ୪-୩ରେ ସ୍ତବ୍ଧ କରି ଶୃଙ୍ଖଳାକୁ ଫେରିଛି ।
ଅଷ୍ଟ୍ରେଲିଆ ବିପକ୍ଷରେ ୧୩ ମ୍ୟାଚ୍ରେ ଏହା ଭାରତର ପ୍ରଥମ ବିଜୟ । ଚଳିତ ବର୍ଷର ଆଦ୍ୟଭାଗରେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲ୍ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଠାରୁ ୦-୭ରେ ପରାଜିତ ହୋଇଥିଲା । ଅଦ୍ୟାବଧି ପାଞ୍ଚ ମ୍ୟାଚ୍ର ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୨-୧ରେ ଅଗ୍ରଣୀ ରହିଛି । ଭାରତ ପ୍ରଥମ ମ୍ୟାଚ୍ରେ ୪-୫ ଓ ଦ୍ୱିତୀୟ ମ୍ୟାଚ୍ରେ ୪-୭ରେ ପରାଜିତ ହୋଇଥିଲା । ଚତୁର୍ଥ ମ୍ୟାଚ୍ ଶନିବାର ଓ ପଞ୍ଚମ ତଥା ଶେଷ ମ୍ୟାଚ୍ ରବିବାର ଖେଳାଯିବ ।
ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ (୧୨ତମ ମିନିଟ୍), ଅଭିଷେକ (୪୭ତମ), ଶମଶେର ସିଂହ (୫୭ତମ) ଓ ଆକାଶଦୀପ ସିଂହ (୬୦ତମ) ଗୋଲ୍ ସ୍କୋର୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜ୍ୟାକ୍ ୱେଲ୍ଚ (୨୫ତମ), ଅଧିନାୟକ ଅରାନ୍ ଜାଲେସ୍କି (୩୨ତମ) ଓ ନାଥନ୍ ଏଫରାଉମ୍ସ (୫୯ତମ) ଗୋଲ୍ ଦେଇଥିଲେ ।
ସପ୍ତମ ମିନିଟ୍ରେ ଅଷ୍ଟ୍ରେଲିଆ ପ୍ରଥମ ଗୋଲ୍ ସୁଯୋଗ ପାଇଥିଲା । ତେବେ ଭାରତୀୟ ଗୋଲ୍କିପର୍ କ୍ରିଷନ୍ ବାହାଦୁର ପାଠକ ଆୟୋଜକର ପ୍ରୟାସକୁ ବିଫଳ କରିଦେଇଥିଲେ । ୧୨ତମ ମିନିଟ୍ରେ ଭାରତ ହରମନପ୍ରୀତଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍ରୁ ଅଗ୍ରଣୀ ହାସଲ କରିଥିଲା । ସେ ଅଷ୍ଟ୍ରେଲୀୟ ଗୋଲ୍କିପର୍ ଜୋହାନ୍ ଡର୍ଷ୍ଟଙ୍କ ଡାହାଣ ପାଶ୍ୱର୍କୁ ସଟ୍ ଲଗାଇଥିଲେ ।
ଏହାପରେ ଯୁବ ଖେଳାଳି ସୁଖଜିତ୍ ସିଂହଙ୍କ ଏକ ଦମ୍ଦାର ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିଦିଆଯାଇଥିଲା । ୨୦ତମ ମିନିଟ୍ରେ ଭାରତର ଭେଟେରାନ୍ ଗୋଲ୍କିପର୍ ପିଆର୍ ଶ୍ରୀଜେଶ ଅଷ୍ଟ୍ରେଲିଆର ଏକ ରିଭର୍ସ ହିଟ୍କୁ ନିଷ୍ଫଳ କରିଦେଇଥିଲେ । ଏହାପରେ ଶ୍ରୀଜେଶ ପ୍ରତିପକ୍ଷର ଏକ ପିସିରୁ ତିନି ଥର ସେଭ୍ କରିଥିଲେ ।
୨୫ତମ ମିନିଟ୍ରେ ଅଷ୍ଟ୍ରେଲିଆ ଗୋଲ୍ ପରିଶୋଧ କରିଥିଲା । ୱେଲ୍ଚ ଶୃଙ୍ଖଳାର ତୃତୀୟ ଗୋଲ୍ କରିଥିଲେ । ମଧ୍ୟାନ୍ତର ସୁଦ୍ଧା ସ୍କୋର୍ଲାଇନ୍ ୧-୧ ଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ଦୁଇ ମିନିଟ୍ ମଧ୍ୟରେ ଘରୋଇ ଟିମ୍ କ୍ରମାଗତ ପିସି ପାଇଥିଲା । ଦ୍ୱିତୀୟ ପ୍ରୟାସରେ ଅଷ୍ଟ୍ରେଲୀୟ ଅଧିନାୟକ ଜାଲେସ୍କିଙ୍କ ଡିଫ୍ଲେକ୍ସନ୍ରୁ ସ୍କୋର୍ ହୋଇଥିଲା ଏବଂ ଟିମ୍ ୨-୧ରେ ଅଗ୍ରଣୀ ହାସଲ କରିଥିଲା ।
ଭାରତ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରର ଆଦ୍ୟଭାଗରେ ପେନାଲ୍ଟି କର୍ଣ୍ଣର ପାଇଥିଲା । ହରମନପ୍ରୀତଙ୍କ ଫ୍ଲିକ୍ରେ ଅଭିଷେକଙ୍କ ଡିଫ୍ଲେକ୍ସନ୍ରୁ ଭାରତ ଗୋଲ୍ ପରିଶୋଧ କରିଥିଲା । ୫୨ତମ ମିନିଟ୍ରେ ଟିମ୍କୁ ଏକ ପିସି ମିଳିଥିଲା, ହେଲେ ଏହା ଗୋଲ୍ରେ ପରିଣତ ହୋଇ ନ ଥିଲା ।
ଶେଷ ତିନି ମିନିଟ୍ରେ ମ୍ୟାଚ୍ର ରୋମାଞ୍ଚ ବଢ଼ିଯାଇଥିଲା । ୫୭ତମ ମିନିଟ୍ରେ ଶମଶେର୍ ଭାରତ ପକ୍ଷରୁ ତୃତୀୟ ଗୋଲ୍ ଦେଇଥିଲେ । ଏହାର ଦୁଇ ମିନିଟ୍ ପରେ ଏଫରାଉମ୍ସ ସ୍କୋର୍କୁ ସମାନସ୍ଥିତିକୁ ଆଣିଥିଲେ । ତେବେ ଶେଷ ମିନିଟ୍ରେ ଆକାଶଦୀପ ଗୋଲ୍ ଦେଇ ଭାରତକୁ ପ୍ରସିଦ୍ଧ ବିଜୟ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *