ଜୁଭେନାଇଲ୍ ପି୍ରଜିନ୍ ସ୍ମାରକୀ ଓ ଶିଶୁ ପ୍ରମୋଦ ଉଦ୍ୟାନ ହେବ
ପୁରୁଣା ଜେଲ୍ ପରିସର ଉନ୍ନତୀକରଣ ପାଇଁ ମାଷ୍ଟରପ୍ଲାନ୍
କଟକ (ବୁ୍ୟରୋ): ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ନିକଟରେ ଥିବା ପୁରୁଣା ଜେଲ୍ ପରିସରକୁ ଖୁବ୍ ଶୀଘ୍ର ଉନ୍ନତିକରଣ କରାଯିବ । ବିଶେଷକରି ଜେଲର ୧୫ ନମ୍ବର ୱାର୍ଡର ସ୍ମୃତି ପାଇଁ ଏହି ଉନ୍ନତିକରଣ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଏକ ଶିଶୁ ପ୍ରମୋଦ ଉଦ୍ୟାନ ମଧ୍ୟ ପ୍ରସ୍ତୁତ କରାଯିବ । ଯାହାଫଳରେ ସ୍ଥାନୀୟ ଲୋକଙ୍କ ବ୍ୟତୀତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସଂଗ୍ରହାଳୟ ବୁଲିବାକୁ ଆସୁଥିବା ଲୋକେ ଏହି ଅଞ୍ଚଳ ବୁଲି ଦେଖିପାରିବେ ଏବଂ ଆମୋଦ ପ୍ରମୋଦ କରିବାର ସୁଯୋଗ ପାଇପାରିବେ ବୋଲି କଟକ ଉନ୍ନୟନ କର୍ତୃପକ୍ଷ(ସିଡିଏ) ଅଧ୍ୟକ୍ଷ ଅନିଲ କୁମାର ସାମଲ କହିଛନ୍ତି । ଆଜି ପୂର୍ବାହ୍ନରେ ସିଡିଏ ଅଧ୍ୟକ୍ଷ ଶ୍ରୀ ସାମଲଙ୍କ ସହ ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଓ ସାଂସଦ ଭର୍ତୃହରି ମହତାବ ପୁରୁଣା ଜେଲ ପରିସର ବୁଲି ଦେଖିବା ସହ କିପରି ଏହାର ଉନ୍ନତିକରଣ କରାଯାଇପାରିବ ସେ ସମ୍ବନ୍ଧରେ ଅନୁଧ୍ୟାନ କରିଥିଲେ ।
ପୁରୁଣା ଜେଲ ପରିସରରେ ରହିଥିବା ଖାଲି ସ୍ଥାନ ସହ ସେଠାରେ ଥିବା ଏକାଧିକ ପ୍ରକଳ୍ପକୁ ଯୋଡି ଏକ ସଂଯୁକ୍ତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ସାଂସଦ ଶ୍ରୀ ମହତାବ ପ୍ରସ୍ତାବ ଦେଇଥିଲେ । ପର୍ଯ୍ୟଟକମାନେ ଏକସଙ୍ଗେ ସେଠାରେ ପାର୍କରେ ବସି ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପାଠାଗାରରେ ପଢିବା ଏବଂ ନିକଟରେ ଥିବା ପୋଖରୀରେ ବୋଟିଙ୍ଗ୍ କରିପାରିବେ । ବିଶେଷକରି ସ୍ୱାଧୀନତା ସଂଗ୍ରାମୀମାନେ ରହିଥିବା ପୁରୁଣା ଜେଲର ୧୫ ନମ୍ବର ୱାର୍ଡର ଜୁଭେନାଇଲ ପ୍ରିଜିନ୍ ଆଦିର ସ୍ମୃତିଚାରଣ ପାଇଁ ଅଧିକ ଗୁରୁତ୍ୱ ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଜୁଭେନାଇଲ ପି୍ରଜିନର ଉନ୍ନତିକରଣ ସହ ବାଳବନ୍ଦୀଙ୍କ ସ୍ମୃତିରେ ଉକ୍ତ ଶିଶୁ ପ୍ରମୋଦ ଉଦ୍ୟାନକୁ ଖୁବ୍ ଶୀଘ୍ର ଆରମ୍ଭ କରାଯିବ । ଏତଦ୍ବ୍ୟତୀତ ଗଙ୍ଗାମନ୍ଦିର ପୋଖରୀର ପୁନରୁଦ୍ଧାର, ବୋଟିଙ୍ଗ୍ ବ୍ୟବସ୍ଥା, ସେଠାରେ ଥିବା ପର୍ଯ୍ୟଟନ କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ ଓ ପାଠାଗାର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଆସୁଥିବା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ । ଏସବୁକୁ ଆଖିରେ ରଖି ଉପରୋକ୍ତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ । ପରିସର ମଧ୍ୟରେ ଥିବା ବିଭିନ୍ନ ପ୍ରକଳ୍ପକୁ ସଂଯୁକ୍ତ କରି ଏକ ଡିପିଆର ପ୍ରସ୍ତୁତ କରାଯିବ ବୋଲି କମିଶନର ଶ୍ରୀ କଲ୍ୟାଣ ଗଣମାଧ୍ୟମକୁ କହିଛନ୍ତି । ପାର୍କିଂ ସ୍ଥଳ, ପ୍ରମୋଦ ଉଦ୍ୟାନ ଓ ଆଲୋକୀକରଣ କାର୍ଯ୍ୟ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ କରାଯାଇ ଉକ୍ତ ସ୍ଥାନକୁ ଅଧିକ ଆକର୍ଷଣୀୟ କରାଯିବା ସକାଶେ ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ନିଆଯାଇଛି ।
