ଶରତ କମଳଙ୍କୁ ଖେଳ ରତ୍ନ
ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨
ନୂଆଦିଲ୍ଲୀ, ୩୦ା୧୧ (ଏଜେନ୍ସି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ରାଷ୍ଟ୍ରପତି ଭବନରେ ୨୦୨୨ର ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି । ଭେଟେରାନ୍ ଟେବୁଲ୍ ଟେନିସ୍ ଖେଳାଳି ଅଚନ୍ତ ଶରତ କମଳଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମେଜର୍ ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ଦିଆଯାଇଛି । ଚେସ୍ ଗ୍ରାଣ୍ଡମାଷ୍ଟର ଆର୍. ପ୍ରଜ୍ଞନାନନ୍ଦଙ୍କ ସମେତ ୨୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦେଇ ସମ୍ମାନିତ କରାଯାଇଛି ।
ଖେଳାଳିଙ୍କ ଛଡ଼ା ଚାରି ଜଣ କୋଚ୍ଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ତିନି ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର (ଲାଇଫ୍ଟାଇମ୍) ଓ ଚାରି ଖେଳାଳିଙ୍କୁ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ଦିଆଯାଇଛି । ଏହାଛଡ଼ା କିଟ୍ ସମେତ ତିନି ସଂସ୍ଥାକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର, ଅମୃତସରର ଗୁରୁ ନାନକ ଦେବ ୟୁନିଭର୍ସିଟିକୁ ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି ଏବଂ ତିନି ଜଣଙ୍କୁ ତେନ୍ଜିଂ ନର୍ଗେ ଜାତୀୟ ଦୁଃସାହସିକ ପୁରସ୍କାର ପ୍ରଦାନ କରାଯାଇଛି ।
ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶରତ କମଳ ତିନି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଥିଲେ । ଚଳିତ ବର୍ଷ କ୍ରୀଡ଼ାର ସର୍ବୋଚ୍ଚ ପୁରସ୍କାର ପାଇବାରେ ସେ ଏକମାତ୍ର ଖେଳାଳି ଥିଲେ । ଏତଦ୍ଭିନ୍ନ, ଖେଳ ରତ୍ନ ପାଇବାରେ ସେ ମନିକା ବାତ୍ରାଙ୍କ ପରେ ଦ୍ୱିତୀୟ ଟେବୁଲ୍ ଟେନିସ୍ ଖେଳାଳି ।
ଏହି ଇଭେଣ୍ଟ ପ୍ରତିବର୍ଷ ଅଗଷ୍ଟ ୨୯ରେ ହକି କିମ୍ବଦନ୍ତୀ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ହୋଇଆସୁଥିଲା । କିନ୍ତୁ ଗତବର୍ଷ ମଧ୍ୟ ଏହି ଇଭେଣ୍ଟ ଅନ୍ୟ ଏକ ଦିନ ଆୟୋଜିତ ହୋଇଥିଲା ।
ଖେଳ ରତ୍ନ ପୁରସ୍କାର ବାବଦରେ ୨୫ ଲକ୍ଷ ଟଙ୍କା, ଏକ ପଦକ ଓ ସମ୍ମାନ ପତ୍ର ପ୍ରଦାନ କରାଯାଇଥିବା ବେଳେ ଅର୍ଜୁନ ପୁରସ୍କାର ବାବଦରେ ୧୫ ଲକ୍ଷ ଟଙ୍କା, ଏକ କାଂସ୍ୟ ପ୍ରତିକୃତି ଓ ସମ୍ମାନ ପତ୍ର ଦିଆଯାଇଥିଲା ।
ପ୍ରଜ୍ଞନାନନ୍ଦ, ବକ୍ସିଂ ବିଶ୍ୱ ବିଜୟିନୀ ନିଖତ ଜରୀନ ଓ ସିଡବ୍ଲୁ୍ୟଜି ସ୍ୱର୍ଣ୍ଣ ବିଜେତା ଲକ୍ଷ୍ୟ ସେନ୍ ଅର୍ଜୁନ ପୁରସ୍କାର ବିଜେତାଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା । ଡିସ୍କସ୍ ଥ୍ରୋଅର ସୀମା ପୁନିଆ ପ୍ରଥମ ଖେଳାଳି ଭାବେ ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଥିଲେ ।
ମେଜର୍ ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର
ଅଚନ୍ତା ଶରତ କମଳ (ଟେବୁଲ୍ ଟେନିସ୍)
ଅର୍ଜୁନ ପୁରସ୍କାର
ସୀମା ପୁନିଆ (ଆଥ୍ଲେଟିକ୍ସ), ଅଲ୍ଡୋସ୍ ପଲ୍ (ଆଥ୍ଲେଟିକ୍ସ), ଅଭିନାଶ ମୁକୁନ୍ଦ ସାବଲେ (ଆଥ୍ଲେଟିକ୍ସ), ଲକ୍ଷ୍ୟ ସେନ୍ (ବ୍ୟାଡ୍ମିଣ୍ଟନ), ଏଚ୍ଏସ୍ ପ୍ରଣୟ (ବ୍ୟାଡ୍ମିଣ୍ଟନ), ଅମିତ (ବକ୍ସିଂ), ନିଖତ ଜରୀନ (ବକ୍ସିଂ), ଭକ୍ତି ପ୍ରଦୀପ କୁଲକର୍ଣ୍ଣି (ଚେସ୍), ଆର୍. ପ୍ରଜ୍ଞନାନନ୍ଦ (ଚେସ୍), ଦୀପ ଗ୍ରେସ୍ ଏକ୍କା (ହକି), ସୁଶୀଳା ଦେବୀ (ଜୁଡ଼ୋ), ସାକ୍ଷୀ କୁମାରୀ (କବାଡ଼ି), ନୟନ ମଣି ସାଇକିଆ (ଲନ୍ ବଲ୍), ସାଗର କୈଳାସ ଓଭାଲ୍କର୍ (ମାଲଖମ୍ବ), ଏଲାଭେନିଲ୍ ଭାଲାରିଭାନ୍ (ସୁଟିଂ), ଓମ୍ ପ୍ରକାଶ ମିଥରୱାଲ (ସୁଟିଂ), ଶ୍ରୀଜା ଅକୁଲା (ଟେବୁଲ୍ ଟେନିସ୍), ବିକାଶ ଠାକୁର (ୱେଟ୍ଲିଫ୍ଟିଂ), ଅଂଶୁ (ରେସ୍ଲିଂ), ସରିତା (ରେସ୍ଲିଂ), ପ୍ରବୀଣ (ଉଶୁ), ମାନସୀ ଗିରିଶଚନ୍ଦ୍ର ଜୋଶୀ (ପାରା ବ୍ୟାଡ୍ମିଣ୍ଟନ), ତରୁଣ ଢିଲୋଁ (ପାରା ବ୍ୟାଡ୍ମିଣ୍ଟନ), ଜରଲିନ୍ ଅନିକା ଜେ. (ଡିଏଏଫ୍ ବ୍ୟାଡ୍ମିଣ୍ଟନ)
ଦ୍ରୋଣାଚାର୍ଯ୍ୟ ପୁରସ୍କାର
ଜୀବନଜୋତ୍ ସିଂହ ତେଜା (ତୀରନ୍ଦାଜୀ), ମହମ୍ମଦ ଅଲୀ କମର (ବକ୍ସିଂ), ସୁମା ସିଦ୍ଧାର୍ଥ ଶିରୁର (ପାରା ସୁଟିଂ), ସୁଜିତ ମାନ୍ (ରେସ୍ଲିଂ)
ଦ୍ରୋଣାଚାର୍ଯ୍ୟ ପୁରସ୍କାର (ଲାଇଫ୍ଟାଇମ୍)
ଦିନେଶ ଜବାହର ଲାଦ୍ (କ୍ରିକେଟ୍), ବିମଳ ପ୍ରଫୁଲ୍ଲ ଘୋଷ (ଫୁଟ୍ବଲ୍), ରାଜ୍ ସିଂହ (ରେସ୍ଲିଂ)
ଧ୍ୟାନଚାନ୍ଦ ପୁରସ୍କାର (ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ)
ଅଶ୍ୱିନୀ ଅକୁଞ୍ଜି (ଆଥ୍ଲେଟିକ୍ସ), ଧରମବୀର ସିଂହ (ହକି), ବିସି ସୁରେଶ (କବାଡ଼ି), ନୀର ବାହାଦୁର ଗୁରୁଙ୍ଗ (ପାରା ଆଥ୍ଲେଟିକ୍ସ)