ସାମ୍ବାଦିକଙ୍କ ବାକ୍ ସ୍ୱାଧୀନତା ଚାପଗ୍ରସ୍ତ
‘ସର୍ବସାଧାରଣ’ର ବାର୍ଷିକୋତ୍ସବ
ଭୁବନେଶ୍ୱର, ୨୯ା୧୧ (ବୁ୍ୟରୋ): ଓଡ଼ିଆ ଦୈନିକ ଖବରକାଗଜ ‘ସର୍ବସାଧାରଣ’ ୧୩ ବର୍ଷରେ ପାଦ ଥାପିଛି । ମଙ୍ଗଳବାର ଅନୁଷ୍ଠାନ ତାର ବାର୍ଷିକୋତ୍ସବ ପାଳନ କରିଛି । ସର୍ବସାଧାରଣର ପ୍ରତିଷ୍ଠାତା ସଞ୍ଜୟକୁମାର ଦାସବର୍ମା ପ୍ରଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭିକ ଅଭିଭାଷଣରେ ସେ କହିଥିଲେ, ବର୍ତ୍ତମାନ ସାମ୍ବାଦିକଙ୍କ ବାକ୍ ସ୍ୱାଧୀନତା ଚାପଗ୍ରସ୍ତ ହୋଇଛି । ପ୍ରିଣ୍ଟ ଅପେକ୍ଷା ଡିଜିଟାଲ୍ ଖବର ପରିବେଷଣ ବଢ଼ିଛି । ଫଳତଃ ଗଣମାଧ୍ୟମ ପାଇଁ ବର୍ତ୍ତମାନ ଏକାଧିକ ଆହ୍ୱାନ ସୃଷ୍ଟି ହୋଇଛି । ଆବଶ୍ୟକ ପରିମାଣର ନୁ୍ୟଜ୍ପ୍ରିଣ୍ଟ ଠିକ୍ ସମୟରେ ମିଳିପାରୁନାହିଁ । ଫଳରେ ଖବାକାଗଜ ପ୍ରକାଶନ ଅତ୍ୟଧିକ ବ୍ୟୟସାପେକ୍ଷ ହୋଇପଡ଼ିଛି । ସାରା ବିଶ୍ୱରେ ଏବେ ଯୁଦ୍ଧର ବାତାବରଣ ରହିଛି ଯାହାର ପ୍ରଭାବ ନୁ୍ୟଜ୍ ପ୍ରିଣ୍ଟ ଇନ୍ପୁଟ୍ ଉପରେ ସିଧାସଳଖ ପଡ଼ିଛି । ଦେଶ ତଥା ରାଜ୍ୟରେ ବର୍ତ୍ତମାନ ମୁଦ୍ରିତ ଗଣମାଧ୍ୟମ ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛି । ଏଭଳି ପୃଷ୍ଠଭୂମିରେ ଗଣମାଧ୍ୟମ ତାର ମୌଳିକ ବିଚାର ପରିପ୍ରକାଶ କରିବାରେ ସଞ୍ଜମ ରଖିଆସୁଛି । ଆମେ ସମସ୍ତେ ଯଦିଓ ନିଜକୁ ନିରପେକ୍ଷ ବୋଲି କହୁଛେ, ବାସ୍ତବରେ ଆମେ ସମସ୍ତେ ଊଣାଅଧିକେ ପକ୍ଷଭୁକ୍ତ । ଆମ ବିଚାର ଓ ବିବେକ ମଧ୍ୟରେ ତାରତମ୍ୟ ଆରମ୍ଭ ହୋଇଛି । ଏହାରି ଭିତରେ ଏଇ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଗଣମାଧ୍ୟମ ଏକ କଠିନ ସମୟ ଦେଇ ଗତି କରୁଛି । ସେ ବୈଦୁ୍ୟତିକ ହେଉ କି ମୁଦ୍ରିତ ଗଣମାଧ୍ୟମ, ସମସ୍ତେ ଏବେ ଚାପ ବଶବର୍ତ୍ତୀ ହୋଇ ଖବରକାଗଜ ପ୍ରକାଶନ ଜାରି ରଖିଛନ୍ତି । ଅବଶ୍ୟ ଏପରି ସ୍ଥିତି ବଦଳିଯିବ । ଯେମିତି ତଟ ନିକଟ ଲହଡ଼ି ପାର ହେଲା ପରେ ଶାନ୍ତ ସମୁଦ୍ର ଦେଖିବାକୁ ମିଳେ, ଠିକ୍ ସେହିପରି ଆଗକୁ ସୁଦିନ ଆସିବ ବୋଲି ଶ୍ରୀ ଦାସବର୍ମା କହିଥିଲେ । ‘ସର୍ବସାଧାରଣ’ ଲଗାତାର ୧୨ ବର୍ଷ ଧରି ସମସ୍ତଙ୍କ ସହଯୋଗ ଓ ସଦିଚ୍ଛା ଫଳରେ ଆଗକୁ ବଢ଼ିଚାଲିଛି । ଆଗାମୀ ଦିନରେ ଏହା ଆହୁରି ଶିଖର ଛୁଇଁବ ବୋଲି ଶ୍ରୀ ଦାସବର୍ମା ଆଶା ପ୍ରକାଶ କରିଥିଲେ ।
ସମ୍ପାଦକ ସତ୍ୟପ୍ରିୟ ଜୟସିଂହ କହିଥିଲେ, କରୋନା ମହାମାରୀ ପାଇଁ ବିଗତ କିଛି ଦିନ ଆମ ପାଇଁ ଆହ୍ୱାନଭରା ଥିଲା । ମହାମାରୀ ବିଶ୍ୱବାସୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି, ଏଥିରେ ସବୁ ବର୍ଗ ରହିଛନ୍ତି । ବର୍ତ୍ତମାନ ସମାନ୍ତରାଳ ଭାବେ ବିକାଶ କାର୍ଯ୍ୟକୁ ଆଗକୁ ବଢ଼ୁଛି । ଏହି ସମୟରେ ସର୍ବସାଧାରଣ କିପରି ସମାଜର ଜାଗ୍ରତ ପ୍ରହରୀ ହୋଇ କାମ କରିବ, ସେନେଇ ଆମେ ପ୍ରଚେଷ୍ଟା କରିବା । ଏହି କାର୍ଯ୍ୟରେ ସର୍ବସାଧାରଣର ପରିବାରରେ ସାମିଲ ଥିବା ସମସ୍ତ ସଦସ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଜୟସିଂହ କହିଥିଲେ । ଏହି ଅବସରରେ ସେ ଖୁବ୍ଶୀଘ୍ର ସର୍ବସାଧାରଣର ୟୁଟୁ୍ୟବ୍ ଚାନେଲ୍ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ।
ପ୍ରାରମ୍ଭରେ ବାର୍ତ୍ତା ସମ୍ପାଦକ ସୁକାନ୍ତ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜିଲ୍ଲା ଓ ଅନ୍ୟ ପ୍ରତିନିଧିଙ୍କୁ ପ୍ରତିଷ୍ଠାତା ଶ୍ରୀ ଦାସବର୍ମା ଓ ଅନ୍ୟ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ବର୍ତ୍ତମାନ ସମୟରେ ଗଣମାଧ୍ୟମ ପ୍ରତି ଥିବା ବିଭିନ୍ନ ଆହ୍ୱାନ ତଥା ସାମ୍ବାଦିକଙ୍କ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରତିନିଧିମାନେ ଆଲୋଚନା କରିଥିଲେ । ବରିଷ୍ଠ ସହ ସମ୍ପାଦକ ବିଶ୍ୱଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଉତ୍ସବରେ ସର୍ବସାଧାରଣ ପରିବାରର ନିମ୍ନୋକ୍ତ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା: ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ସୌମ୍ୟ ରଞ୍ଜନ ପଣ୍ଡା, ଗଙ୍ଗାଧର ସାହୁ, ରମାକାନ୍ତ ରାଉଳ, ଟୁଟୁ ମହାପାତ୍ର, ସୁରେଶ କୁମାର ପଟ୍ଟନାୟକ, ବିଭୁପାଦ ଜେନା, ସରୋଜିନୀ ଶତପଥୀ, ରାଧାଗୋବିନ୍ଦ ପଟ୍ଟନାୟକ, ମନୋଜ କୁମାର ନାୟକ, ବିପ୍ଳବ ମହାନ୍ତି, ଅଶୋକ ପଟ୍ଟନାୟକ, ବିଜୟ କୁମାର ମହାପାତ୍ର, ହେମନ୍ତ କୁମାର ମୁଖୀ, ଚନ୍ଦ୍ରକାନ୍ତ କହଁର, କିସାନ ରାଉତ, ପାର୍ବତୀ ପୃଷ୍ଟି, ଅସିତ କୁମାର ପଣ୍ଡା, ଗୋପାଳକୃଷ୍ଣ ନାୟକ, ଜୟଦେବ ଜେନା, ଈଶ୍ୱର ଚନ୍ଦ୍ର ସେଠୀ, ରୀନାବାଳା ସ୍ୱାଇଁ, ରାଜକିଶୋର ସ୍ୱାଇଁ, ସୁମନ ବେହେରା ଓ ନରେନ୍ଦ୍ର ପରିଡ଼ା ।