ଫିଫା ବିଶ୍ୱକପ୍: ପ୍ରି-କ୍ୱାର୍ଟରରେ ପର୍ତ୍ତୁଗାଲ୍
ଦୋହା, ୨୯ା୧୧ (ଏଜେନ୍ସି): ଷ୍ଟାର୍ ଫୁଟ୍ବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନେତୃତ୍ୱରେ ପର୍ତ୍ତୁଗାଲ୍ ଫିଫା ବିଶ୍ୱକପ୍ ୨୦୨୨ର ପ୍ରି-କ୍ୱାର୍ଟର୍ଫାଇନାଲ୍ରେ ପ୍ରବେଶ କରିଛି । ତାଙ୍କ ଟିମ୍ ଉରୁଗୁଏକୁ ୨-୦ରେ ହରାଇଛି । ପର୍ତ୍ତୁଗାଲ୍ ନକ୍ଆଉଟ୍ ରାଉଣ୍ଡରେ ସ୍ଥାନ ପାଇବାରେ ତୃତୀୟ ଟିମ୍ । ଏହା ପୂର୍ବରୁ ଫ୍ରାନ୍ସ ଓ ବ୍ରାଜିଲ୍ ଟପ୍-୧୬ରେ ପ୍ରବେଶ କରିସାରିଛନ୍ତି ।
ଲୁସେଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିଥିଲା । ନିକଟରେ ମାଞ୍ଚେଷ୍ଟର ୟୁନାଇଟେଡ୍ ଠାରୁ ଅଲଗା ହୋଇଥିବା ରୋନାଲ୍ଡୋ ସ୍କୋର୍ କରିପାରି ନ ଥିଲେ । ପ୍ରଥାମାର୍ଦ୍ଧରେ ପର୍ତ୍ତୁଗାଲ୍ ଟିମ୍ର ଗୋଟିଏ ସଟ୍ ଅନ୍ ଟାର୍ଗେଟ୍ ନ ଥିଲା ।
ପ୍ରଥମାର୍ଦ୍ଧରେ ଉରୁଗୁଏ ପାଖରେ ଅଗ୍ରଣୀ ହେବାର ସୁଯୋଗ ଥିଲା; ହେଲେ ରୋଡ୍ରିଗୋ ବେଣ୍ଟାନକୁର ଏହାକୁ ଗୋଲ୍ରେ ପରିଣତ କରିପାରି ନ ଥିଲେ । ବେଣ୍ଟାନକୁର ତିନି ପର୍ତ୍ତୁଗାଲ୍ ଡିଫେଣ୍ଡର୍ଙ୍କୁ ଚକମା ଦେଇ ଗୋଲ୍ ପୋଷ୍ଟର ଖୁବ୍ ନିକଟରେ ପହଞ୍ଚିଥିଲେ । କିନ୍ତୁ ବଲ୍କୁ ଗୋଲ୍କିପର୍ ଡିଓଗୋ କୋଷ୍ଟାଙ୍କ ଠାରୁ ଅତିକ୍ରମ କରାଇପାରି ନ ଥିଲେ । କୋଷ୍ଟା ଗୋଲ୍ ବଞ୍ଚାଇ ଦେଇଥିଲେ ।
ମଧ୍ୟାନ୍ତରର କିଛି ସମୟ ପରେ ପର୍ତ୍ତୁଗାଲ୍ ପକ୍ଷରୁ ୫୪ତମ ମିନିଟ୍ରେ ବ୍ରୁନୋ ଫର୍ଣ୍ଣାଣ୍ଡିସ୍ ପେନାଲ୍ଟୋ ବକ୍ସ ବାହାରୁ ଚମକ୍ପ୍ରଦ ଗୋଲ୍ କରିଥିଲେ । ଧାର୍ଯ୍ୟ ୯୦ ମିନିଟ୍ ଯାଏଁ ଏହି ସ୍କୋର୍ଲାଇନ୍ ଥିଲା । ଏହାପରେ ଅତିରିକ୍ତ ସମୟରେ ଫର୍ଣ୍ଣାଣ୍ଡିସ୍ (୯୩ତମ ମିନିଟ୍) ପେନାଲ୍ଟିରୁ ଦ୍ୱିତୀୟ ଗୋଲ୍ କରିଥିଲେ ।
ପର୍ତ୍ତୁଗାଲ୍ର ଏହା ଦୁଇଟି ମ୍ୟାଚ୍ରୁ ଦ୍ୱିତୀୟ ବିଜୟ । ଏଥିସହିତ ଟିମ୍ ଗ୍ରୁପ୍-ଏଚ୍ରେ ୬ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି । ଘାନା ଟିମ୍ ୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଦକ୍ଷିଣ କୋରିଆ ଓ ଉରୁଗୁଏ ଏକ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ପରବର୍ତ୍ତୀ ରାଉଣ୍ଡକୁ ଯିବାକୁ ହେଲେ ଉରୁଗୁଏକୁ ଘାନା ବିପକ୍ଷ ମ୍ୟାଚ୍ ଜିତିବାକୁ ହେବ ।