୧ରୁ ଖୁଚୁରା ଡିଜିଟାଲ୍ କରେନ୍ସି
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର-ମୁମ୍ବାଇ-ନୂଆଦିଲ୍ଲୀ-ବେଙ୍ଗଲୁରୁ
ନୂଆଦିଲ୍ଲୀ, ୨୯ା୧୧: ଡିସେମ୍ବର ୧ରେ ଦେଶବ୍ୟାପୀ ଡିଜିଟାଲ ମୁଦ୍ରାର ପ୍ରଚଳନ କରାଯିବା ନେଇ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ମଙ୍ଗଳବାର ଘୋଷଣା କରିଛନ୍ତି । ଆରବିଆଇ ଅନୁସାରେ ଡିସେମ୍ବର ୧ରେ ଖୁଚୁରା ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଡିଜିଟାଲ କରେନ୍ସି (ସିବିଡିସି) ପାଇଁ ପାଇଲଟ୍ ପ୍ରୋଜେକ୍ଟ ଲାଗୁ କରିବାକୁ ଯାଉଛି । ଦେଶବ୍ୟାପୀ ଇ-ରୁପି (ରଫ-ଜ) ପ୍ରଚଳନ କରାଯିବା ନେଇ ପ୍ରୋଜେକ୍ଟର ଶୁଭାରମ୍ଭ କରାଯିବ । ତେବେ ଏହି ଇ-ରୁପି ଏକ ଡିଜିଟାଲ ଟୋକନ୍ ରୂପେ ଲଞ୍ଚ୍ କରାଯିବ । ଏହା ଲିଗାଲ ଟେଣ୍ଡରକୁ ମଧ୍ୟ ପ୍ରତିନିଧିତ୍ୱ କରିବ । ବର୍ତ୍ତମାନ ସମୟରେ ପ୍ରଚଳିତ ହେଉଥିବା କାଗଜ ଏବଂ କଏନ୍ର ମୂଲ୍ୟବର୍ଗରେ ହିଁ ଡିଜିଟାଲ କରେନ୍ସି ଟଙ୍କା ଜାରି କରାଯିବ ।
ଆରବିଆଇ ପକ୍ଷରୁ ଜାରି ବୟାନ୍ ଅନୁସାରେ ଏହି ପାଇଲଟ୍ ପ୍ରୋଜେକ୍ଟ ଗ୍ରାହକ ଏବଂ ବ୍ୟବସାୟୀଙ୍କ ସହ କ୍ଲୋଜର ୟୁଜର ଗ୍ରୁପ୍ (ସିୟୁଜି)କୁ କଭର କରିବ । ତେବେ ଏହି ପାଇଲଟ୍ ପ୍ରୋଜେକ୍ଟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ନିର୍ଦ୍ଧାରିତ ସ୍ଥାନରେ ହିଁ କାର୍ଯ୍ୟକାରୀ କରାଯିବ । ଅର୍ଥାତ୍ ସିୟୁଜି ଗ୍ରୁପ୍ର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ କେବଳ ଏହି ଇ-ରୁପି ସୁବିଧା ଉପଲବ୍ଧ ହେବ । ସବୁଠୁ ବଡ଼କଥା ହେଉଛି, ଏହି ଡିଜିଟାଲ ଟଙ୍କା, ବର୍ତ୍ତମାନ ସମୟରେ ପ୍ରଚଳିତ ଥିବା ପେପର କରେନ୍ସି (ନୋଟ୍) ଏବଂ ମୁଦ୍ରାର ମୂଲ୍ୟ ଅନୁସାରେ ହିଁ ଜାରି କରାଯିବ । ତେବେ ଏସବୁ ପ୍ରକ୍ରିୟା ବ୍ୟାଙ୍କ୍୍ ମାଧ୍ୟମରେ ବିସ୍ତାରିତ କରାଯିବ । ଡିଜିଟାଲ ରୁପି ମାଧ୍ୟମରେ କାରବାର କରିବାକୁ ଚାହୁଁଥିବା ଗ୍ରାହକ ବ୍ୟାଙ୍କ୍ ପକ୍ଷରୁ ଉପଲବ୍ଧ କରାଯାଇଥିବା ଆପ୍ ଜରିଆରେ କିଣିପାରିବେ ଏବଂ ମୋବାଇଲ୍ ଫୋନ୍ରେ ଥିବା ଡିଜିଟାଲ ୱାଲେଟ୍ରେ ଏହାକୁ ସୁରକ୍ଷିତ ରଖିପାରିବେ । ଏଥିରେ ବ୍ୟକ୍ତି ଠାରୁ ବ୍ୟକ୍ତି ବା ପର୍ସନ୍ ଟୁ ପର୍ସନ ଏବଂ ପର୍ସନ ଟୁ ମର୍ଚ୍ଚାଣ୍ଟ (ବ୍ୟବସାୟୀ) ମଧ୍ୟରେ ଆର୍ଥିକ କାରବାର ସହଜରେ ହୋଇପାରିବ । ଦୋକାନରେ ଥିବା କୁ୍ୟଆର୍ କୋଡ୍ ମାଧ୍ୟମରେ ମଧ୍ୟ ବ୍ୟବସାୟୀଙ୍କୁ ଡିଜିଟାଲ କରେନ୍ସି ପୈଠ କରାଯାଇପାରିବ ।
ଆରବିଆଇ ଅନୁସାରେ ଇ-ରୁପି (ରଫ-ଜ) ପ୍ରୋଜେକ୍ଟ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୮ ବ୍ୟାଙ୍କଙ୍କୁ ଚୟନ କରାଯାଇଛି, ଯେଉଁମାନେ ଏହି ଡିଜିଟାଲ୍ କରେନ୍ସି ପ୍ରକ୍ରିୟାରେ ପର୍ଯ୍ୟାୟକ୍ରମେ ସକ୍ରିୟ ଅଂଶଗ୍ରହଣ କରିବେ । ପ୍ରଥମ ପର୍ଯ୍ୟାୟରେ ଏସ୍ବିଆଇ, ଆଇସିଆଇସିଆଇ, ୟେସ୍ ବ୍ୟାଙ୍କ୍ ଏବଂ ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ୍ ଆଦି ୪ ବ୍ୟାଙ୍କ୍ ସାମିଲ ହେବାକୁ ଥିବା ବେଳେ ୨ୟ ପର୍ଯ୍ୟାୟରେ ବାକି ୪ ବ୍ୟାଙ୍କ୍ ଯଥା ବ୍ୟାଙ୍କ୍ ଅଫ୍ ବରୋଦା, ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଏଚ୍ଡିଏଫ୍ସି ବ୍ୟାଙ୍କ୍ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ଆଦି ସାମିଲ ହେବେ । ସେହିପରି ଏହି ପାଇଲଟ୍ ପ୍ରୋଜେକ୍ଟ ପ୍ରଥମରୁ ୪ ରାଜ୍ୟର ରାଜଧାନୀ ତଥା ପ୍ରମୁଖ ସହରରେ ଆରମ୍ଭ କରାଯିବ । ମହାରାଷ୍ଟ୍ରର ମୁମ୍ବାଇ, ଦିଲ୍ଲୀର ନୂଆଦିଲ୍ଲୀ, କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ଓଡ଼ିଶାର ଭୁବନେଶ୍ୱର ଆଦି ସହରରେ ଏହି ପ୍ରୋଜେକ୍ଟର ଶୁଭାରମ୍ଭ କରାଯବ । ପରେ ଏହି ପ୍ରୋଜେକ୍ଟକୁ ଗୁଜରାଟ, ସିକ୍କିମ୍, ଆସାମ, ତାମିଲନାଡୁ, ମଧ୍ୟପ୍ରଦେଶ, କେରଳ, ଉତ୍ତରପ୍ରଦେଶ, ବିହାର ଏବଂ ହିମାଚଳପ୍ରଦେଶର ରାଜଧାନୀଗୁଡ଼ିକରେ ଲାଗୁ କରାଯିବ । ଏହାପରେ ଦେଶର ଅନ୍ୟ ରାଜ୍ୟକୁ ଏହି ପ୍ରୋଜେକ୍ଟ ସମ୍ପ୍ରସାରିତ ହେବ ।