କୁଇ ସମାଜ ସେବା ସମିତିର ୬୯ତମ ପ୍ରତିଷ୍ଠା ଦିବସ

ଫୁଲବାଣୀ (ବୁ୍ୟରୋ): ମଙ୍ଗଳବାର କୁଇ ସମାଜ ସେବା ସମିତି ଫୁଲବାଣୀ ଶାଖାର ୬୯ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ଫୁଲବାଣୀରେ ପାଳିତ ହୋଇଛି । ଏହି ଅବସରରେ ୬ ଦଫା ଦାବିରେ ସମିତି ପକ୍ଷରୁ ଫୁଲବାଣୀ ସହରରେ ବିରାଟ ଶୋଭାଯାତ୍ରା ସହିତ କରୋନେସନ ପଡ଼ିଆରେ ସାଧାରଣ ସଭା ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସମିତିର ସଭାପତି ସୁଦର୍ଶନ କହଁର, ସମ୍ପାଦକ ଅବନୀ କହଁର, ଏସ୍ଡିସି ଅଧ୍ୟକ୍ଷ ରୋଦନ ମଲ୍ଲିକ, ଟ୍ରାଇଫେଡ୍ ଅଧ୍ୟକ୍ଷ ପବିତ୍ର କହଁର, ଫୁଲବାଣୀ ବିଧାୟକ ପ୍ରତିନିଧି ନୀଳାମ୍ବର କହଁରଙ୍କ ସମେତ ହଜାର ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସ୍ଥାନୀୟ ମାଦିକୁନ୍ଦା ଛକରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । କରୋନେସନ ପଡ଼ିଆରେ ଅନୁଷ୍ଠିତ ସଭାରେ କନ୍ଧମାଳ ଜିଲ୍ଲାରେ ପେସା ଆଇନ ଲାଗୁ କରିବା, ଜବରଦଖଲ ଜମି ମାଫିଆଙ୍କ କବଳରୁ ଉଦ୍ଧାର କରି ଭୂମିହୀନ କୁଇମାନଙ୍କୁ ଆବଣ୍ଟନ କରିବା, ଫୁଲବାଣୀ ସହର ସ୍ଥିତ ହାଟପଦା ଜାଗାରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରି ସ୍ଥାନୀୟ ଚାଷୀଙ୍କ ପାଇଁ ସଂରକ୍ଷିତ ରଖିବା, କଳିଙ୍ଗା ବିଏଡ୍ କଲେଜକୁ ପୁନଃ କାର୍ଯ୍ୟକାରୀ କରିବା, କୁଇ ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଯୋଗାଯୋଗ ଏବଂ ପର୍ଯ୍ୟଟନକ୍ଷେତ୍ରର ଉନ୍ନତି କରିବା ପାଇଁ କୁଇ ସମାଜ ସେବା ସମିତିର ନେତାମାନେ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *