୭ ପ୍ରମୁଖ ସେକ୍ଟର ଉପରେ ଫୋକସ୍
ଭୁବନେଶ୍ୱର, ୨୯ା୧୧ (ବୁ୍ୟରୋ): ଆସନ୍ତାକାଲିଠାରୁ ଆରମ୍ଭ ହେବ ମେକ ଇନ ଓଡ଼ିଶା ମହାକୁମ୍ଭ । ୭ ପ୍ରମୂଖ ସେକ୍ଟର ଉପରେ ଫୋକସ୍ ରଖାଯାଇଛି । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ,ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟରକୁ ଅଧିକ ଫୋକସ୍ କରାଯାଇଥିବା ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଥିରେ ୧୦୦ ରୁ ଅଧିକ ଟି ଶିଳ୍ପପତି ଯୋଗ ଦେବେ । ୧୩୦ ଶିଳ୍ପ ସଂସ୍ଥା ପୁଞ୍ଜି ନିବେଷ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।
ଏଥିରେ ଏଲ୍ଏନ୍ ମିତ୍ତଲ, କାର୍ଯ୍ୟନିବାହୀ ଚେୟାରମ୍ୟାନ୍, ଆର୍ସେଲର୍ ମିତ୍ତଲ, ଶ୍ରୀ କୁମାର ମଙ୍ଗଲମ୍ ବିର୍ଲା, ଚେୟାରମ୍ୟାନ୍, ଆଦିତ୍ୟ ବିର୍ଲା ଗ୍ରୁପ୍, ଅନୀଲ ଅଗ୍ରୱାଲ, ଚେୟାରମ୍ୟାନ୍, ବେଦାନ୍ତ ରିସୋର୍ସ ଲିମିଟେଡ୍, ସାଜନ ଜିନ୍ଦଲ, ଚେୟାରମ୍ୟାନ୍, ଜେଏସଡବ୍ଲୁ ଗ୍ରୁପ୍, ନବୀନ ଜିନ୍ଦଲ, ଚେୟାରମ୍ୟାନ୍, ଜେଏସପିଏଲ୍, ଟି ଭି ନରେନ୍ଦ୍ରନ୍, ସିଇଓ ତଥା ଏମ୍ଡି, ଟାଟା ଷ୍ଟିଲ୍ । ଏହା ବ୍ୟତୀତ ଜାପାନ, ନରୱେ ଏବଂ ଜର୍ମାନୀର ସହଭାଗୀ ଦେଶଗୁଡିକର ପ୍ରତିନିଧୀମାନେ ମଧ୍ୟ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ । ଏଥିପାଇଁ ୧୧,୬୦୦ ପଞ୍ଜୀକରଣ ହୋଇଛନ୍ତି ।
ଏହାସହ ୧୨୪ ଜଣ ବକ୍ତା ରହିଛନ୍ତି । ଏହାପୂର୍ବରୁ ୨୦୧୬ ଓ ୨୦୧୮ରେ ମେକ ଇନ ଓଡ଼ିଶା କକ୍ଲେଭ ଆୟୋଜନ ହୋଇସାରିଛି । ଆମର ରାଜ୍ୟକୁ ସ୍ୱାବଲମ୍ବୀ ଓ ସମୃଦ୍ଧ ଓଡିଶା ଗଠନ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ୨୦୧୬ ସଂସ୍କରଣରେ ୨ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା । ସେଥିରୁ ୩୫ ପ୍ରତିଶତ ବାସ୍ତବ ରୂପ ନେଇଛି । ୨୦୧୮ରେ ୪ ଲକ୍ଷ ୨ ହଜାର କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା ସେଥିରୁ ୪୦% ବାସ୍ତବ ରୂପ ନେଇଛି । କୋଭିଡ ସମୟରେ ବି ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସିଛି ।