ବିଦେଶୀ ଖାଦ୍ୟର ସ୍ୱାଦ ଚାଖିବେ ପର୍ଯ୍ୟଟକ
ପୁରୀରେ ଖୋଲିଲା ଆଧୁନିକ ଫୁଡ୍ କୋର୍ଟ
ପୁରୀ (ବୁ୍ୟରୋ): ପୁରୀ ଚକ୍ରତୀର୍ଥ ରୋଡ୍ସ୍ଥିତ ୟୁଥ୍ ହଷ୍ଟେଲ ନିକଟରେ ପର୍ଯ୍ୟଟନ ବିଭାଗ ସହାୟତାରେ ଏସ୍ଏସ୍ କନସୋରିଟିୟମର ଭିବ୍ରାନ୍ସ ନାମରେ ଏକ ଫୁଡ୍ କୋର୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ପୁରୀ ଧାର୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ଗୁରୁତ୍ୱ ବହନ କରୁଥିବାରୁ ଏହି ଫୁଡ୍ କୋର୍ଟ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ବିଶେଷ ଭାବେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ଉତ୍ତମ ଆତିଥେୟତା ଦେବା ସହ ସେମାନଙ୍କ ରୁଚି ଅନୁସାରେ ଖାଦ୍ୟ ଯୋଗାଇଦେବାରେ ଏହା ବଡ଼ ସହାୟକ ହେବ । ଅନ୍ୟପକ୍ଷରେ ଏହି ଫୁଡ୍ କୋର୍ଟରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ରହିଛି । ଏଠାରେ ମଧ୍ୟ ବେଙ୍ଗଲୀ ଖାଦ୍ୟକୁ ନେଇ ହାୱଡ଼ା ଏକ୍ସପ୍ରେସ୍, ଦକ୍ଷିଣ ଭାରତୀୟ ଖାଦ୍ୟକୁ ନେଇ ଚେନ୍ନାଇ ଏକ୍ସପ୍ରେସ୍, କଣ୍ଟିନେଣ୍ଟାଲ୍ ଖାଦ୍ୟକୁ ନେଇ ୟୁରୋଷ୍ଟାର୍ ଏକ୍ସପ୍ରେସ୍, ଚାଇନିଜ୍ ଖାଦ୍ୟକୁ ନେଇ ଓରିଏଣ୍ଟ ଏକ୍ସପ୍ରେସ୍ ଓ ଭାରତୀୟ ଖାଦ୍ୟକୁ ନେଇ ହିମ୍ସାଗର ଏକ୍ସପ୍ରେସ୍ ଖୋଲାଯାଇଛି । ଏଥିରେ ଏକକାଳୀନ ୩୦୦ରୁ ଊଦ୍ଧ୍ୱର୍ ପର୍ଯ୍ୟଟକ ସେମାନଙ୍କ ରୁଚି ମୁତାବକ ଖାଦ୍ୟର ମଜା ନେଇପାରିବେ । ଏହି ଫୁଡ୍ କୋର୍ଟଟି ୧୦ ହଜାର ବର୍ଗ କ୍ଷେତ୍ର ପରିମିତ ଅଞ୍ଚଳରେ ନିର୍ମାଣ ହୋଇଛି । ଜନସାଧାରଣଙ୍କ ଅବସର ବିନୋଦନ ନିମନ୍ତେ ଲ୍ୟାଣ୍ଡିଂ ସ୍କାପିଂ ବ୍ୟବସ୍ଥା କରାଯାଇଛି । ପ୍ରକଳ୍ପ ଲାଗି ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି ।
ଏହି ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବରିଷ୍ଠ ସେବାୟତ ରାମକୃଷ୍ଣ ଦାଶ ମହାପାତ୍ର, ଏସ୍ଏସ୍ କନସୋରିଟିୟମର ଏମ୍ଡି ଶୁଭେନ୍ଦୁ ଶେଖର ମହାପାତ୍ର, ମାନେଜିଂ ପାର୍ଟନର ସ୍ମୃତିରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।