ରାମଚଣ୍ଡୀରେ ପାର୍କିଂ ଫି ଆଦାୟକୁ ସେବାୟତଙ୍କ ବିରୋଧ
କୋଣାର୍କ (ଆପ୍ର): ପୁରୀ-କୋଣାର୍କ ବେଳାମାର୍ଗ ମା’ରାମଚଣ୍ଡୀ ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କୁ ବିଭିନ୍ନ ଉପାୟରେ ଶୋଷଣ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ଏହି ପୀଠରେ ବେଆଇନ ପାର୍କିଂ ଫି ଆଦାୟ ହେଉଥିବା ମା’ ରାମଚଣ୍ଡୀ ସେବାୟତ ସଂଘ ପକ୍ଷରୁ ମଙ୍ଗଳବାର ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଲିିଖିତ ଅଭିଯୋଗ କରିଛନ୍ତି । ମା’ଙ୍କ ଦର୍ଶନ ପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।
ପୁରୀ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାମଚଣ୍ଡୀ ଉନ୍ନୟନ କମିଟି ଜରିଆରେ ସେବାୟତମାନଙ୍କ ଉପସ୍ଥିତିରେ ଟେଣ୍ଡର କାର୍ଯ୍ୟକାଳ ଶେଷ ହୋଇଯାଇଛି ଓ କାର୍ଯ୍ୟକାଳ ସରିଥିଲେ ମଧ୍ୟ ନୂଆ ଟେଣ୍ଡର ନ ହୋଇ ଏହି ପୀଠରୁ ପର୍ଯ୍ୟଟକଙ୍କ ଠାରୁ ଫି’ ଆଦାୟ ହେଉଥିବା ସେବାୟତ ସଂଘ ଅଭିଯୋଗ କରିଆସୁଛନ୍ତି । ବାଇକ୍, ବସ୍, କାର୍ ପାର୍କିଂ, ଜୋତା, ଶୌଚାଳୟ, ସଫେଇ, ବଣଭୋଜି ବାବଦରେ ଫି’ ଆଦାୟ କରି ପର୍ଯ୍ୟଟକଙ୍କୁ ଶୋଷଣ ହେଉଥିବା ନେଇ ନିମାପଡ଼ା କୋର୍ଟରେ ମାମଲା ଏବେ ବିଚାରାଧୀନ ରହିଛି । ଏଭଳି ବିବାଦ ଲାଗି ରହିଥିବାବେଳ ଏହାର ସମାଧାନ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯିବା ଓ ଉଭୟ ପକ୍ଷଙ୍କୁ ସମାଧାନ ଦିଗରେ କୌଣସି ଉଚିତ ପଦକ୍ଷେପ ନ ନେଇ ଚୁପ୍ଚାପ ବସି ରହିଛି ପ୍ରଶାସନ । ଏନେଇ ଏବେ ରାମଚଣ୍ଡୀ ପୀଠର ସେବାୟତ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବା ଆଶଙ୍କା ଦେଖାଦେଇଛି । ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ବେଆଇନ ପାର୍କିଂ ଫି’ ଆଦାୟ ହେଉଥିବାରୁ ଏବେ ରାମଚଣ୍ଡୀ ପୀଠରେ ଅସନ୍ତୋଷ ଦେଖାଦେଇଛି । ଏହାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ବେଆଇନ ପାର୍କିଂ ଫି’ ଆଦାୟକୁ ବନ୍ଦ କରିବାକୁ ସେବାୟତ ସଂଘ ଦାବି କରିଛି । ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ରାମଚଣ୍ଡୀ ଉନ୍ନୟନ କମିଟି ଓ ସେବାୟତଙ୍କ ଉପସ୍ଥିତିରେ ପୀଠରେ ପାର୍କିଙ୍ଗ ଟେଣ୍ଡର କରା ନ ଗଲେ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଡିସେମ୍ବର ୧ତାରିଖରୁ ରାମଚଣ୍ଡୀ ପୀଠ ବନ୍ଦ କରାଯିବ ବୋଲି ରାମଚଣ୍ଡୀ ମନ୍ଦିରର ସେବକ ପ୍ରକାଶ ଚନ୍ଦ୍ର ପଣ୍ଡା (ପାକା), ଉପେନ୍ଦ୍ର ନାୟକ, ଶ୍ରୀଧର ନାୟକ, ସଞ୍ଜୟ ପଣ୍ଡା, ଦୁର୍ଯେ୍ୟାଧନ ପଣ୍ଡା, ସୁବାସ ନାୟକ, ଜଗନ୍ନାଥ ପଣ୍ଡା, ପ୍ରକାଶ ଚନ୍ଦ୍ର ପଣ୍ଡା ପ୍ରମୁଖ ୬୦ରୁ ଊଦ୍ଧ୍ୱର୍ ସେବାୟତ ଚେତାବନୀ ଦେଇଛନ୍ତି ।