ଫିଫା ବିଶ୍ୱକପ୍ ୨ଠ୨୨: କାମେରୁନ୍-ସର୍ବିୟା ମ୍ୟାଚ୍ ଡ୍ର’
ଅଲ୍ ବକରାହ (କତର), ୨୮ା୧୧ (ଏଜେନ୍ସି): ଫିଫା ବିଶ୍ୱକପ୍ ୨୦୨୨ରେ ସୋମବାର କାମେରୁନ୍ ଓ ସର୍ବିୟା ମଧ୍ୟରେ ଆୟୋଜିତ ଗ୍ରୁପ୍-ଜି ମ୍ୟାଚ୍ ୩-୩ରେ ଡ୍ର’ ରହିଛି । ଉଭୟ ଅଦେ୍ର୍ଧକରେ ତିନି ଲେଖାଏଁ ଗୋଲ୍ ହୋଇଥିଲା ।
ପ୍ରଥମାର୍ଦ୍ଧରେ କାମେରୁନ୍ର ଜିନ୍-ଚାର୍ଲ୍ସ କାଷ୍ଟେଲେଟୋ ଡେଡ୍ଲକ୍ ଭାଙ୍ଗିଥିଲେ । ଏହାପରେ ମଧ୍ୟାନ୍ତର ପୂର୍ବରୁ ସର୍ବିୟା ଦୁଇଟି ଗୋଲ୍ ଦେଇ ୨-୧ରେ ଅଗ୍ରଣୀ ହାସଲ କରିଥିଲା । ମଧ୍ୟାନ୍ତର ପରେ ସର୍ବିୟା ଆଉ ଏକ ଗୋଲ୍ ଦେଇଥିଲା ।
ମନେ ହେଉଥିଲା ଯେ ୟୁରୋପୀୟ ଟିମ୍ ସହଜରେ ମୁକାବିଲା ଜିତିଯିବ । କିନ୍ତୁ ଏହାପରେ କାମେରୁନ୍ ତିନି ମିନିଟ୍ ବ୍ୟବଧାନରେ ଦୁଇଟି ଗୋଲ୍ କରି ସ୍କୋର୍ଲାଇନ୍କୁ ବରାବର କରିଥିଲା । ଧାର୍ଯ୍ୟ ସମୟ ସୁଦ୍ଧା ଏହା ବଳବତ୍ତର ରହିଥିଲା ।
କାମେରୁନ୍ ପକ୍ଷରୁ କାଷ୍ଟେଲେଟୋ, ଭିନ୍ସେଣ୍ଟ ଆବୋବକର ଏବଂ ଚୁପୋ ମୋଟିଙ୍ଗ୍ ସ୍କୋର୍ କରିଥିଲେ । ସର୍ବିୟା ପକ୍ଷରୁ ଷ୍ଟ୍ରାହିଞ୍ଜା ପାଭଲୋଭିଚ୍, ଲେକ୍ଜାଣ୍ଡର ମିତ୍ରୋଭିକ୍ ଓ ସର୍ଗେଜ୍ ସେଭିକ୍ ଗୋଲ୍ ଦେଇଥିଲେ ।
ଗ୍ରୁପ୍-ଜି’ରେ ବ୍ରାଜିଲ୍ ପ୍ରଥମ ଓ ସ୍ୱିଜରଲାଣ୍ଡ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଉଭୟ ୩ ପଏଣ୍ଟ ଲେଖାଏଁ ପାଇଛନ୍ତି । କାମେରୁନ୍ ଓ ସର୍ବିୟା ୧ ପଏଣ୍ଟ ଲେଖାଏଁ ପାଇଛନ୍ତି । ଉନ୍ନତ ଗୋଲ୍ ବ୍ୟବଧାନ ଦୃଷ୍ଟିରୁ କାମେରୁନ୍ ଦ୍ୱିତୀୟ ସ୍ଥାନରେ ରହିଛି ।
କାମେରୁନ୍ର ଡିଫେଣ୍ଡର କାଷ୍ଟେଲେଟୋ ୨୯ତମ ମିନିଟ୍ରେ କର୍ଣ୍ଣରରୁ ଆସୁଥିବା ବଲ୍ରୁ ସ୍କୋର୍ କରିଥିଲେ । ତେବେ ୪୫ ମିନିଟ୍ ପରେ ମିଳିଥିବା ଷ୍ଟପେଜ୍ ଟାଇମ୍ରେ ସର୍ବିୟା ଦୁଇଟି ଗୋଲ୍ ଦେଇଥିଲା । ଡିଫେଣ୍ଡର୍ ପାଭଲୋଭିଚ୍ ୪୫+୧ ମିନିଟ୍ରେ ପ୍ରଥମ ଗୋଲ୍ ଦେଇଥିଲେ । ସର୍ବିୟାର ଦୁସାନ୍ ଟାଡିଚ୍ ଫ୍ରିକିକ୍ ନେଇ ବଲ୍କୁ ବକ୍ସ ଭିତରେ ପହଞ୍ଚାଇଥିଲେ । ପାଭଲୋଭିଚ୍ ସୁଯୋଗ ଦେଖି ହେଡର୍ ମାରି ସ୍କୋର୍ କରିଥିଲେ । ୪୫+୩ ମିନିଟ୍ରେ ଦ୍ୱିତୀୟ ଗୋଲ୍ ହୋଇଥିଲା । ଜିଭୋକୋଭିକ୍ଙ୍କ ଠାରୁ ସର୍ଟ ପାସ୍ ପାଇ ସର୍ଗେଜ୍ ସର୍ବିୟାକୁ ଅଗ୍ରଣୀ କରିଥିଲେ ।
ଦ୍ୱିତୀୟାର୍ଦ୍ଧର ୫୩ତମ ମିନିଟ୍ରେ ମିତ୍ରୋଭିକ୍ ସର୍ବିୟା ପକ୍ଷରୁ ତୃତୀୟ ଗୋଲ୍ କରି ପ୍ରତିପକ୍ଷକୁ ଚାପଗ୍ରସ୍ତ କରିଦେଇଥିଲେ । ସେ ଜିଭାକୋଭିକ୍ଙ୍କ ପାସ୍ରେ ସ୍କୋର୍ କରିଥିଲେ । ୬୩ତମ ମିନିଟ୍ ପରେ କାମେରୁନ୍ ପ୍ରତ୍ୟାବର୍ତ୍ତନ କରିଥିଲା । ବଦଳ ଖେଳାଳି ଭିନ୍ସେଣ୍ଟ ଏହି ଗୋଲ୍ ଦେଇଥିଲେ । ଏହାର ତିନି ମିନିଟ୍ ପରେ କାମେରୁନ୍ ଆଉ ଏକ ଗୋଲ୍ କରି ସ୍କୋର୍କୁ ସମାନ ସ୍ଥିତିକୁ ଆଣିଥିଲା । ୬୬ତମ ମିନିଟ୍ରେ ମୋଟିଙ୍ଗ୍, ଭିନ୍ସେଣ୍ଟଙ୍କ ପାସ୍କୁ ଗୋଲ୍ରେ ପରିଣତ କରିଥିଲେ ।