ସରକାର ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି ନାହିଁ

ଭୁବନେଶ୍ୱର, ୨୮ା୧୧ (ବୁ୍ୟରୋ): ସେକ୍ସ ସ୍କାଣ୍ଡାଲ ଅର୍ଚ୍ଚନା ନାଗ କେଳେଙ୍କାରୀ ସାମ୍ରାଜ୍ୟକୁ ନେଇ ଓଡ଼ିଶାର ରାଜ୍ୟ ରାଜନୀତି ବେଶ୍ ସରଗରମ । ଅର୍ଚ୍ଚନାର କଳାସାମ୍ରାଜ୍ୟ ପଛରେ ଓଡିଶାର ବଡ ବଡିଆବାବୁ, ମନ୍ତ୍ରୀ, ବିଧାୟକ, ରାଜନେତା, ବ୍ୟବସାୟୀ ଓ ପୁଲିସ ବିଭାଗର ବଡ ଅଧିକାରୀ ଲିପ୍ତ ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ବିଧାନସଭାରେ ସେକ୍ସ ସ୍କାଣ୍ଡାଲ ଅର୍ଚ୍ଚନା ନାଗ ସମ୍ପର୍କରେ ଭାରତୀୟ ଜନତା ପାର୍ଟିର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ପ୍ରସଙ୍ଗ ଉଠାଇଥିବାରୁ ଶାସକ ଦଳର ମନ୍ତ୍ରୀମାନେ ବିରୋଧ କରିଥିଲେ ।
ଶ୍ରୀ ମାଝୀ କହିଛନ୍ତ, ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ସମୃକ୍ତ ଅଛନ୍ତି । ନାଗ ଦମ୍ପତିଙ୍କ ମେଲ ଆଇଡିରୁ ବିଜେଡିର ୬୪ଜଣ ନେତାଙ୍କ ଫଟୋ ସହ ୫ ଡାଏରୀ, ୪ ଲାପଟପ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । କିନ୍ତୁ ପୁଲିସ ନାଗ ଦମ୍ପତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ତାଙ୍କୁ ଖସେଇ ଦେବାର ଉଦ୍ୟମ କରୁଛି । କିନ୍ତୁ ସେକ୍ସ ରାକେଟର କଳାସାମ୍ରାଜ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ୍ ରହିବା କେତେଦୂର ଉଚିତ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।
ଇଡିକୁ ରାଜ୍ୟ ପୁଲିସ ସହଯୋଗ କାହିଁକି କରୁନି । ଓଡ଼ିଶା ପୁଲିସ ଗୁଇନ୍ଦା ବିଭାଗ ମଉନ ବ୍ରତରେ ଶୋଇଥିଲେ କି? ନାଗ ଦମ୍ପତିଙ୍କ ଘଟଣାରେ ଆରମ୍ଭରୁ ନିଜ ଅଧିକାରୀ ଓ ନେତାକୁ ରାଜ୍ୟ ସରକାର କାହିଁକି ଲୁଚାଇ ରଖିଛନ୍ତି । ଅର୍ଚ୍ଚନା ନାଗଙ୍କ ଘରେ ସରକାରୀ କାର୍ଯ୍ୟର ଟେଣ୍ଡର ଫିକ୍ସିଂ ଓ ଠିକାଦାରୀର ନିଷ୍ପତି ହେଉଥିଲା । ଯାହାକି ଅର୍ଚ୍ଚନା ନାଗ କଳାସାମ୍ରାଜ୍ୟ ପଛରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଥିବା ପ୍ରମାଣ ହେଉଛି ବୋଲି ସେ କହିଛନ୍ତି ।
ସୂଚନା ଅନୁସାରେ ବିଧାନସଭାରେ ମୁଲତବୀ ପ୍ରସ୍ତାବରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସୋମବାର ଆଲୋଚନା ହୋଇଛି । ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଅର୍ଚ୍ଚନା ଘଟଣାରେ କାହିଁକି ମୁଖ୍ୟମନ୍ତ୍ରୀ ନିରବ । କଣ ବ୍ଲାକମେଲ ହୋଇଛି ତାହା ସମସ୍ତ ଜାଣିବାକୁ ଚାହୁଁଛନ୍ତି । ଘଟଣାରେ ଅନେକ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଏବଂ ଫଟୋ ଥିଲେ ବି ତାଙ୍କୁ ପୁଲିସ ଥରୁଟିଏ ବି ସେମାନଙ୍କୁ ଡାକିନାହିଁ । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି । ତେଣୁ ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଆଉ ଗୃହ ରାଷ୍ଟ୍ରମନ୍ତ୍ରୀ ସଠିକ ତଥ୍ୟ ଆଣି ଗୃହରେ ଉପସ୍ଥାପନ କରନ୍ତୁ ବୋଲି ନରସିଂହ ଦାବି କରିଛନ୍ତି । ଏଣେ ଆଲୋଚନାରେ ଅଂଶ ଗ୍ରହଣ କରି ବିଜେପି ବିଧାୟକ କେ ନାରାୟଣ ରାଓ କହିଛନ୍ତି, ଅର୍ଚ୍ଚନାଙ୍କୁ ମୁଁ ହାତଯୋଡ଼ି ନମସ୍କାର କରୁଛି । ସେ କେତେ ଲୋକଙ୍କୁ ସମ୍ଭାଳି ଥିଲେ । ଆଇପିଏସ୍, ଆଇଇଏସ୍ ଏବଂ ଅନେକ ବଡ଼ବଡିଆକୁ ସେ ସମ୍ଭାଳି ଥିଲା ତେଣୁ ତାକୁ ଧନ୍ୟବାଦ ଦେଉଛି । ତେଣେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଗୃହରେ ଯେଉଁ ପ୍ରସଙ୍ଗ ଆଲୋଚନା ହେଉଛି ତାହା ନିଶ୍ଚିତ ଭାବେ ସେନସେସନାଲ କେସ । ଅପରାଧୀଙ୍କୁ ସୁରକ୍ଷା ଦେବାର ଥିଲେ ଏଠି କିପରି ବାହାର ରାଜ୍ୟର ଅପରାଧୀଙ୍କୁ ଧରାଯାଉଛି । ରାଜ୍ୟର ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ । ରାଜ୍ୟରେ ପର୍ଯ୍ୟଟକ ବଢ଼ୁଛନ୍ତି ଯାହା ପ୍ରମାଣିତ କରୁଛି ଯେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ । ବଡ଼ବଡ଼ିଆଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ କି ନାହିଁ ତାହା ତଦନ୍ତକାରୀ ସଂସ୍ଥା ନିଷ୍ପତ୍ତି ନେବ । ଯିଏ ଅପରାଧ କରିଛି ସେ ଦଣ୍ଡିତ ହେବା ଉଚିତ । ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ସରକାର ଅପରାଧୀଙ୍କୁ କେବେ ସୁରକ୍ଷା ଦେଇନାହାନ୍ତି । ଏଭଳି ଅଭିଯୋଗ ଭିତ୍ତିହୀନ । ମାମଲାର ତଦନ୍ତ ହୋଇ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *